ଶ୍ରୀମନ୍ଦିରରେ ବୁଲୁଛି ମୋବାଇଲ ଫୋନ୍‌

ପୁରୀ : ଶ୍ରୀମନ୍ଦିର ପରିସରରେ ଖୋଲାଖୋଲି ମୋବାଇଲ ଫୋନ୍‌ ବ୍ୟବହାର କରାଯାଉଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଥିବା ନେଇ ରାଷ୍ଟ୍ରପତିଙ୍କୁ ଏକ ପତ୍ରରେ ଓଡ଼ିଶା ଯୁବ ଚେତନା ସଙ୍ଗଠନ ପକ୍ଷରୁ ଜଣାଇ ଦିଆଯାଇଛି। ଭାରତବର୍ଷର ଅନ୍ୟ ପ୍ରମୁଖ ମନ୍ଦିର ସୁରକ୍ଷା ଭଳି ଶ୍ରୀମନ୍ଦିରରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ନିୟୋଜିତ କରିବା ପାଇଁ ଦାବି ହୋଇଛି।

ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ଆସୁଥିବାବେଳେ ପ୍ରଶାସନ ଓ ପୁଲିସ କେବଳ ଭକ୍ତଙ୍କ ମୋବାଇଲ ଫୋନ୍‌କୁ ନିଷିଦ୍ଧ କରିଛନ୍ତି। କିନ୍ତୁ ସଂଖ୍ୟାଧିକ ସେବାୟତ, ପୁଲିସ ଓ ଜଗନ୍ନାଥ ମନ୍ଦିର ପୁଲିସ ମନ୍ଦିରକୁ ମୋବାଇଲ ନେଇଯାଉଛନ୍ତି। କିଛି ସେବାୟତ ପାଟ ମକୁଟା ଭିତରେ ମନ୍ଦିରକୁ ମୋବାଇଲ ଫୋନ୍‌ ନେଇ ମନ୍ଦିର ଗର୍ଭଗୃହଠାରୁ ଆନନ୍ଦବଜାର ପର୍ଯ୍ୟନ୍ତ ଫଟୋ ଓ ଭିଡିଓ ଉତ୍ତୋଳନ କରି ଯାତ୍ରୀଙ୍କୁ ଦେଉଥିବା ଅଭିଯୋଗ କରାଯାଇଛି। ଏପରିକି ଶ୍ରୀମନ୍ଦିରର ଅବଢ଼ା ବିକାଳି, ଫୁଲ ଓ ତୁଳସୀ ବିକାଳି ସହ ଦୀପବାଲାଙ୍କ ପାଖରେ ମୋବାଇଲ ଫୋନ୍‌ ରହୁଛି। ଏହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଆଣିପାରେ ବୋଲି ଅନୁଷ୍ଠାନର ରାଜ୍ୟ ସଭାପତି ବଦ୍ରି ମିଶ୍ର ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା ପରିବର୍ତ୍ତେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମୁତୟନ ପାଇଁ ଦାବି ହୋଇଛି।

Comments are closed.