ମିଶନ ଗଗନୟାନ, ମହାକାଶକୁ ଯିବେ ବଲାଙ୍ଗୀର ପୁଅ ନିଖିଳ
ବଲାଙ୍ଗୀର: ଭାରତରେ ଚନ୍ଦ୍ରାୟନ-୨କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲାଙ୍ଗୀର ତଥା ଓଡ଼ିଶା ପାଇଁ ଆଉ ଏକ ନୂଆ ଖବର ଆସି ପହଞ୍ଚିଛି। ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ‘ମିଶନ ଗଗନୟାନ’ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ହୋଇଥିବା ବେଳେ ବଲାଙ୍ଗୀର ପୁଅ ୱିଙ୍ଗ୍ସ କମାଣ୍ଡର ଫାଇଟର ପାଇଲଟ୍ ନିଖିଳ ରଥ ମନୋନୀତ ହୋଇଥିବା ଜଣାପଡିଛି।
ବଲାଙ୍ଗୀରର ବ୍ୟବସାୟୀ ଅଶୋକ ରଥ ଓ ମହିଳା କମିଶନର ସଦସ୍ୟା କୁଶୁମ ରଥଙ୍କ ପୁଅ ହେଉଛନ୍ତି ନିଖିଳ। ପ୍ରଥମ ଓଡ଼ିଆ ଭାବେ ନିଖିଳ ଗଗନୟାନ ମିଶନରେ ସାମିଲ ହୋଇଥିବାରୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ନିଖିଳ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୯୮ରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀ ସ୍ଥିତ ଡିପିଏସ୍ରୁ ଯୁକ୍ତ ଦୁଇ ପାସ କରିଥିଲ। ହିନ୍ଦୁ କଲେଜରେ ଯୁକ୍ତ ତିନି ପଢିବା ବେଳେ ସେ ଜାତୀୟ ସୁରକ୍ଷା ଏକାଡେମୀ(ଏନ୍ଡିଏ) ପଇଁ ମନୋନୀତ ହୋଇଥିଲେ। ୨୦୦୩ରେ ସେ ଏନ୍ଡିଏରୁ ପାସ୍ କରିବା ପରେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ଫାଇଟର ପାଇଲଟ୍ ଭାବେ ଜଣାଶୁଣା ନିଖିଳକୁ ଗଗନୟାନ ମିଶନ ପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି। ବାଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଏରୋସ୍ପେସ୍ ମେଡିସିନ୍ରେ ଏହି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା କରାଯାଇଥିବା ଜଣାପଡିଛି। ଏହି ଚୟନ ବେଳେ କଠିନ ଶାରୀରିକ ପରୀକ୍ଷା, ଲାବ୍ ଇନ୍ଭେଷ୍ଟିଗେସନ, ରେଡିଓଲୋଜି, କ୍ଲିନିକାଲ୍ ଟେଷ୍ଟ ସହ ମନୋ ବୈଜ୍ଞାନିକ ପରୀକ୍ଷା ବି କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ଭାରତୀୟ ବାୟୁସେନା ଇସ୍ରୋ ସହ ଗଗନୟାନ ଲାଗି ମହାକାଶଚାରୀ ଚୟନ ଓ ପ୍ରଶିକ୍ଷଣ ପାଇଁ ଚୁକ୍ତି କରିଥିଲା। ୨୦୨୧ ସୁଦ୍ଧା ଇସ୍ରୋ ପକ୍ଷରୁ ମିଶନ ଗଗନୟାନରେ ମହାକାଶଚାରୀଙ୍କ ସହ ମହାକଶ ଯାନ ଉତକ୍ଷେପଣ କରିବା ପାଇଁ ଲକ୍ଷ୍ୟ ରଖିଛି। ଅତିକମ୍ରେ ୩ଜଣ ଚୟନ ପ୍ରାର୍ଥୀ ମହାକାଶରେ ୭ ଦିନ ବିତାଇବେ ବୋଲି ଜଣାପଡିଛି। ଏଥିରେ ଜିଏସ୍ଏଲ୍ଭି ମ୍ୟାକ୍-୩କୁ ବ୍ୟବହାର କରାଯିବ ଓ ଏହି ମିଶନରେ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି।