Patra electronics

ବିବାହ କରିବାକୁ ମନା କରିବାରୁ… ଅପହରଣ ପରେ ନାବାଳିକାକୁ ଗଣବଳାତ୍କାର, ୪ ଗିରଫ

ବାଲିଗୁଡ଼ା : ବିବାହ ପାଇଁ ମନା କରିବାରୁ ଜଣେ ନାବାଳିକାକୁ ଜଣେ ଯୁବକ ଅପହରଣ କରିନେଇ ସାଥିମାନଙ୍କ ସହ ମିଶି ଗଣବଳାତ୍କାର କରିଥିବା ଭଳି ଅଭାବନୀୟ ଘଟଣା ସମଗ୍ର କନ୍ଧମାଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲିଗୁଡ଼ା ଥାନାରେ ଏତଲା ହେବା ପରେ ପୁଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛନ୍ତି।
ପୁଲିସ ସୂଚନା ପ୍ରକାରେ ଫୁଲବାଣୀରେ ରହୁଥିବା ଜଣେ ନାବାଳିକାର ବାଲିଗୁଡାର ଜଣେ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା। କିନ୍ତୁ ନାବାଳିକା ଜଣକ ବୟସ କମ କାରଣରୁ ବିବାହ କରିବାକୁ କୁଆଡେ ରୋକଠୋକ ମନା କରି ଦେଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ଜଣକ ଆଉ ୩ଜଣ ସାଙ୍ଗଙ୍କୁ ନେଇ ନାବାଳିକାକୁ ଅପହରଣ କରିବାକୁ ଯୋଜନା କରିଥିଲା। ଦୁଇଦିନ ତଳେ ଏକ କାର ନେଇ ଯୁବକଟି ଫୁଲବାଣୀରେ ପହଞ୍ଚି ଘରେ ଏକୁଟିଆ ଥିବା ନାବାଳିକାକୁ ବଳପୂର୍ବକ ଟାଣି ନେଇ କାରରେ ବସାଇ ଦେଇଥିଲା। ବାଲିଗୁଡ଼ାର ସିଟି ସ୍କୁଲ ଯିବା ରାସ୍ତାରେ ନିରୋଳା ସ୍ଥାନ ଦେଖି ନାବାଳିକାକୁ ଗଣ ବଳାତ୍କାର କରିଥିଲେ। ଏଣେ ଝିଅକୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇଥିବା ପରେ ସୂଚନା ପାଇଥିଲେ। ଏଣେ ବଳାତ୍କାରର ଶିକାର ନାବାଳିକା କୌଣସି ମତେ ଯୁବକମାନଙ୍କଠାରୁ ଖସି ଆସି ଘରେ ପହଞ୍ଚି ତା ପ୍ରତି ହୋଇଥିବା ଅତ୍ୟାଚାର ସମ୍ପର୍କରେ କହିଥିଲା। କନ୍ୟା ପିତା ଏ ସଂକ୍ରାନ୍ତରେ ବାଲିଗୁଡ଼ା ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ବାଲିଗୁଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡ଼ା ଦଣ୍ଡପଦର ସାହିର ଚକାଡ଼ୋଳା ଦିଗାଳ, ମୁଣ୍ଡା ସାହିର ଦିଲୁ ନାୟକ, ହାଟପଦାର ଯୁଗଳ ସେଠୀ ଓ ସାରଙ୍ଗଡ଼ ଗ୍ରାମର ହ୍ରିତିକ ନାୟକ। ଏହି ଚାରିଜଣଙ୍କୁ ଗିରଫ କରିବା ପରେ ଅଦାଲତ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି। ନାବାଳିକାର ଡାକ୍ତରୀମାଇନା କରାଯିବା ପରେ ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାସହ ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାଟି ବର୍ତ୍ତମାନ ସାରା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା ସହ ଗିରଫ ଚକାଡୋଳାର ବିବାହ ସ୍ଥିର ହୋଇଥିଲା। କିନ୍ତୁ ନାବାଳିକା ବିବାହ କରିବାକୁ ମନା କରିବାରୁ ଚକାଡୋଳା ଅପହରଣ ଓ ବଳାତ୍କାର ରଚିଥିବା ପୁଲିସ ଅନୁମାନ କରିଛି।

Comments are closed.