ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ, ଟିକାବାଲି ବନ୍ଦ ଡାକରା

ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ପଂଚାୟତର ଜଣେ ୧୬ବର୍ଷର ନାବାଳିକାଙ୍କୁ ସୁଦୂର ଗାଜଲବାଡ଼ି ନିକଟରେ ଗଣଦୁଷ୍କର୍ମ ପରେ ହତ୍ୟା କରି ମୃତଦେହକୁ ଜାଳିଦେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦ କରି ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ଟିକାବାଲି ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି।

ଟିକାବାଲି ବଣିକ ସଂଘ, ନାରୀ ସୁରକ୍ଷା ମହିଳା ମହାସଂଘ, ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ସମେତ ଟିକାବାଲି ଅଂଚଳବାସୀଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସୂଚନା ଅନୁସାରେ, ଗତ ଫେବୃୟାରୀ ୨୭ ତାରିଖ ସନ୍ଧ୍ୟା ୬ଟାରେ ନାବାଳିକା ଜଣକ ଟିଉସନ ଯାଇ ଆଉ ଘରକୁ ଫେରି ନ ଥିଲେ। ଫଳରେ ପରିବାର ଲୋକ ପାଖ ପଡୋଶୀ, ବନ୍ଧୁ, ସାଙ୍ଗସାଥୀମାନଙ୍କୁ ପଚାରା ଉଚାର କରିଥିଲେ। କିନ୍ତୁ ଝିଅର କୌଣସି ପତ୍ତା ପାଇ ନ ଥିଲେ। ଫଳରେ ଝିଅର ବାପା ସେହିଦିନ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଟିକାବାଲି ପୁଲିସ ଏକ ମାମଲା(୩୮/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତ ୨୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତର କେଟାମଣି ଜଙ୍ଗଲରୁ ସୋରଡ଼ା ପୁଲିସ ଏକ ମଣିଷ ହାଡ଼, କଙ୍କାଳ ଓ ଖପୁରି ସମେତ ଝିଅର ପୋଷାକ, ନେକଲେସ ଏବଂ ଦୁଇଟି ଦରପୋଡ଼ା ମୋବାଇଲ ଜବତ କରିଥିଲା। ସୋରଡ଼ା ଓ ଟିକାବାଲି ପୁଲିସ ଏବଂ ସାଇଣ୍ଟିଫିକ ଟିମର ମିଳିତ ଉଦ୍ୟମରେ ଝିଅର ପରିବାର ଲୋକଙ୍କୁ ଘଟଣା ସ୍ଥଳକୁ ନେଇ ଜବତ ହୋଇଥିବା ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଚି଼ହ୍ନଟ କରାଇଥିଲେ। ପରିବାର ଲୋକେ ଝିଅକୁ ଚିହ୍ନଟ କରିଥିଲେ। ଏହି ଘଟଣାରେ ସୋରଡ଼ା ପୁଲିସ  ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଗୁଡ୍ରିଗାଁ ଗ୍ରାମର ବିଜୟ କୁମାର ନାୟକ(୨୧), ତା’ର ସାଙ୍ଗ ସଞ୍ଜୀବ ସାହୁ, ଦୀପକ ସାହୁ ଓ ହିତେଶ ସାହୁ।

ଫେବୃୟାରୀ ୨୭ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଅଭିଯୁକ୍ତ ବିଜୟ ପୀଡ଼ିତା ନାବାଳିକାକୁ ଶଙ୍କରାଖୋଲ ଡାକିଥିଲା। ବିଜୟ କଥାରେ ନାବାଳିକା ଜଣକ ଶଙ୍କରାଖୋଲ ପହଞ୍ଚିଥିଲେ। ବିଜୟର ସାଙ୍ଗ ସଞ୍ଜୀବ, ଦୀପକ, ହିତେଶ ଆରାବାକା ଗ୍ରାମରୁ ଏକ କାର (ଓଡ଼ି୦୨ସିଜେ୩୭୫୩) ଧରି ଶଙ୍କରାଖୋଲ ପହଞ୍ଚିଥିଲେ। ଶଙ୍କରାଖୋଲରୁ ସାରଙ୍ଗଗଡ଼ ଅଭିମୁଖେ ନାବାଳିକା ସହିତ ତିନି ଅଭିଯୁକ୍ତ ଗସ୍ତ କରିଥିଲେ। ସାରଙ୍ଗଗଡ଼ ଛକରେ କିଛି ଫଳ ମୂଳ କିଣିବା ସହିତ ଏକ ଛୁରୀ କିଣିଥିଲେ। ସେଠାରୁ ଦାରିଙ୍ଗବାଡି ପାର୍କ ବୁଲିବାକୁ ଯିବା ବୋଲି ନାବାଳିକାକୁ ଅଭିଯୁକ୍ତମାନେ କହିଥିଲେ। କିନ୍ତୁ ସେ ଦିନ ପାର୍କ ବନ୍ଦ ଥିବାରୁ ଗାଜଲବାଡ଼ି ଜଙ୍ଗଲକୁ ବିଜୟ ଓ ନାବାଳିକା ଯାଇଥିଲେ। ସେଠାରେ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ। ପାହାଡ଼ ତଳେ ଜଗି ରହିଥିବା ଦୁଇ ସାଙ୍ଗ ସଂଜୀବ ଓ ହିତେଶ ମଧ୍ୟ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ନାବାଳିକା ବିରୋଧ କରିଥିଲେ। ସେତେବେଳେ ସମୟ ପ୍ରାୟ ରାତି ୧୦ଟା ହୋଇଥିଲା। ନାବାଳିକା ଜଣକ  ଅସହାୟ ହୋଇପଡ଼ିଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଶେଷରେ ଛୁରି ସାହାଯ୍ୟରେ ତାଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇ ଅଭିଯୁକ୍ତମାନେ ପଳାଇ ଆସିଥିଲେ। ବିଜୟ ତାଙ୍କ ଭିଣୋଇ ନୟାଗଡ ଜିଲ୍ଲା ଓଡଗାଁ ଗ୍ରାମର ଚନ୍ଦନ ସେଠୀଙ୍କ ଘରକୁ ସାଙ୍ଗମାନଙ୍କୁ ନେଇ ଯାଇଥିଲେ। ଚନ୍ଦନ ଅଭିଯୁକ୍ତମାନଙ୍କୁ ଆଶ୍ରୟ ଦେଇଥିଲେ। ପୁଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚନ୍ଦନଙ୍କୁ ମଧ୍ୟ ଗିରଫ କରାଯାଇଛି। ଏ ନେଇ ସୋରଡ଼ା ଥାନାରେ ଏକ ମାମଲା(୧୩୩/୨୦୨୫) ରୁଜୁ ହୋଇଛି।

Comments are closed.