ଉଦ୍ୟାନ କୃଷି ପକ୍ଷରୁ ପୁଷ୍ଟିସାଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ହିତାଧିକାରୀ ପରିବାରଙ୍କୁ ଯୋଗାଇ ଦିଆଯିବ ଫଳ ଓ ପନିପରିବା ବିହନ କିଟ୍‌

ଭୁବନେଶ୍ୱର: ପୁଷ୍ଟିହୀନତା ଦୂର କରିବା ଦିଗରେ ପରିବାରର ଖାଦ୍ୟ ତାଲିକାରେ ପୁଷ୍ଟିଯୁକ୍ତ ସବୁଜ ପନିପରିବା ଓ ଫଳ ସାମିଲ କରାଯିବାର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚିହ୍ନଟ ହିତାଧିକାରୀ ପରିବାରଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ କରାଯାଉଥିବା ହିତାଧିକାରୀଙ୍କ ନିକଟରେ ପୁଷ୍ଟିଯୁକ୍ତ ଫଳ ଓ ପନିପରିବା ଚାରା ଓ ବିହନ ପହଞ୍ଚାଇବା କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
ଆଜି କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଫଳ ଚାରା ଓ ପନିପରିବା ମଂଜି କିଟ୍‌ ଯୋଗାଣର ବ୍ୟବସ୍ଥା ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚିହ୍ନଟ ହିତାଧିକାରୀ ପରିବାରଙ୍କ ପୁଷ୍ଟିକରଣ ନିମନ୍ତେ ଫଳଚାରା ଓ ପନିପରିବା ବିହନ କିଟ୍‌ ଯୋଗାଇଦେବାକୁ ବୈଠକରେ ସ୍ଥିର କରାଗଲା । ଗ୍ରାମୀଣ ଗର୍ଭବତୀ ମହିଳା, ଶିଶୁ ତଥା ଅବିବାହିତ ଝିଅମାନଙ୍କର କୁପୋଷଣ ଦୂରୀକରଣ ନିମନ୍ତେ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସଜନା, କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଖମ୍ବଆଳୁ ଏବଂ ଏଗାରଗୋଟି ପନିପରିବା ବିହନ କିଟ୍‌ ଯୋଗାଇ ଦିଆଯିବ । ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅନୁରୂପ ଯେଉଁସବୁ ଫଳ ଓ ପନିପରିବା ଚାଷ ହୋଇପାରିବ ସେହିସବୁ ଚାରା ଓ ବିହନ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ସମାଜ ମଙ୍ଗଳ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Comments are closed.