ଡେସ୍କ: ଗତ ସେପ୍ଟେମ୍ବର ୨୯ରେ ପୃଥିବୀ ଦେଇ ଅତିକ୍ରମ କରିଥିବା ମିନି ମୁନ୍ ପୁଣି ୨୦୫୫ ମସିହାରେ ପୃଥିବୀ ଦେଇ ଗତି କରିବ ବୋଲି ଜଣାପଡିଛି। ଏହି ‘ମିନି ମୁନ୍’ ବାସ୍ତବରେ ‘୨୦୨୪ ପିଟି୫’ ନାମକ ଏକ ଗ୍ରହାଣୁ, ଯାହାର ଆକାର ଏକ ସ୍କୁଲ ବସ୍ ଭଳି। ତେବେ ଏହି ଗ୍ରହାଣୁ ପୃଥିବୀ ଚାରିପଟେ ମାତ୍ର ୫୭ ଦିନ ପରିକ୍ରମା କରିବ ଓ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଏହି ଗ୍ରହାଣୁ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରି ଗଭୀର ମହାକାଶରେ ଅଦୃଶ୍ୟ ହୋଇଯିବ।
୨୦୨୪ ଅଗଷ୍ଟ ୭ ତାରିଖରେ ଆମେରିକାର ମହାକାଶ ଏଜେନ୍ସି ନାସା ଦ୍ୱାରା ସ୍ଥାପିତ ଏବଂ ହାୱାଇରୁ ପରିଚାଳିତ ସ୍ୱୟଂଚାଳିତ ପ୍ରଣାଳୀ ଆଷ୍ଟ୍ରୋଏଡ୍ ଟେରେଷ୍ଟ୍ରିଆଲ୍-ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ୍ ଦ୍ୱାରା ‘୨୦୨୪ ପିଟି ୫’କୁ ଆବିଷ୍କାର କରାଯାଇଥିଲା। ଆଷ୍ଟ୍ରୋଏଡ୍ ଟେରେଷ୍ଟ୍ରିଆଲ୍-ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ୍ ପୃଥିବୀ ନିକଟରେ ଥିବା ଗ୍ରହାଣୁ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଏ।
ଏହି ଗ୍ରହାଣୁ ଉପରେ ତୀକ୍ଷ୍ଣ ନଜର ରଖିଥିବା ଇସ୍ରୋର ନେଟୱାର୍କ ଫର ସ୍ପେସ୍ ଅବ୍ଜେକ୍ଟସ୍ ଟ୍ରାକିଂ ଆଣ୍ଡ ଆନାଲିସିସର ମୁଖ୍ୟ ଡକ୍ଟର ଅନୀଲ କୁମାର ଏହି ‘ମିନି ମୁନ୍’ ଅର୍ଜୁନ ଆଷ୍ଟ୍ରୋଏଡ୍ ଗ୍ରୁପର ଏକ ଅଂଶ ବୋଲି ନିଶ୍ଚିତ କରିଛନ୍ତି। ନିଜର ଦକ୍ଷତା ଏବଂ ସାହସିକତା ପାଇଁ ଜଣାଶୁଣା ମହାକାବ୍ୟ ମହାଭାରତର କେନ୍ଦ୍ରୀୟ ଚରିତ୍ର ଅର୍ଜୁନଙ୍କ ସମ୍ମାନରେ ଏହି ଗୋଷ୍ଠୀର ନାମକରଣ କରାଯାଇଥିଲା।
ମାତ୍ର ୧୦ ମିଟର ବ୍ୟାସ ବିଶିଷ୍ଟ ଏହି ଗ୍ରହାଣୁ ପୃଥିବୀର ନିୟମିତ ଚନ୍ଦ୍ରଠାରୁ ୩ ଲକ୍ଷ ୫୦ ହଜାର ଗୁଣ ଛୋଟ, ଯାହାର ବ୍ୟାସ ୩,୪୭୬ କିଲୋମିଟର। ସ୍ୱତନ୍ତ୍ର ଉପକରଣ ବିନା ଏହାକୁ ଚିହ୍ନଟ କରିବା କଷ୍ଟକର। ପୂର୍ବରୁ ମିନି ମୁନ୍ ୧୯୯୭, ୨୦୧୩ ଓ ୨୦୧୮ରେ ଦେଖାଯାଇଥିଲା। ଆସନ୍ତା ନଭେମ୍ବର ୨୫ ତାରିଖରେ ଗ୍ରହାଣୁ ‘୨୦୨୪ ପିଟି-୫’ ପୃଥିବୀ ଠାରୁ ଅଲଗା ହୋଇ ବ୍ରହ୍ମାଣ୍ଡରେ ନିଜର ଏକକ ଗତିପଥ ଜାରି ରଖିବ। ୨୦୫୫ରେ ଏହା ପୁଣି ପୃଥିବୀ ଦେଇ ଗତି କରିବ ବୋଲି ଆଶା କରାଯାଉଛି।



