ଲକ୍ଷ୍ମୀପୁରରେ ମାଣ୍ଡିଆ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି ୨୮୪୩ ଚାଷୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ସରକାରଙ୍କ ପକ୍ଷରୁ ମାଣ୍ଡିଆ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇଛି । ଲକ୍ଷ୍ମୀପୁର ବ୍ଲକର ଉପାଧ୍ୟକ୍ଷା ଆରତୀ କୂଳଦୀପ ଓ ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ସମବାୟ ନିଗମର ପ୍ରତିନିଧି ଆଶୁତୋଷ ନନ୍ଦ ଏବଂ ଜାଗରଣ ଉତ୍ପାଦକ କମ୍ପାନୀର ପ୍ରମୁଖ ସଦସ୍ୟା ଭାବେ ସାବିତ୍ରୀ ପରଜା, ରାଣୀ ଗରଡା, ନାନ୍ଦାଇ ସେରେକା  ପ୍ରମୁଖ ଏହାକୁ ଉଦଘାଟନ କରିଥିଲେ ।

ଲକ୍ଷ୍ମୀପୁର ବ୍ଲକରୁ ଚଳିତବର୍ଷର ନୂତନ ଚାଷୀ ଭାବେ ୮୨୪ ଜଣ ଓ ଗତ ଵର୍ଷର ୨୦୧୯ ଜଣ ଚାଷୀଙ୍କୁ ନେଇ ସମୁଦାୟ ୨୮୪୩ ଜଣ ଚାଷୀ ଏ ବର୍ଷର ମାଣ୍ଡିଆ ବିକ୍ରୟରେ ସାମିଲ ହେବାପାଇଁ ପଞ୍ଜିକୃତ କରିଛନ୍ତି । ଏହା ସହିତ ଚଳିତବର୍ଷ ପାଇଁ ୧୫୦୦୦ କୁଇଣ୍ଟାଲ୍ ମାଣ୍ଡିଆ କ୍ରୟ କରିବା ଲକ୍ଷ୍ୟ ନେଇ ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଚାଷୀ ମାନଙ୍କୁ ମାଣ୍ଡିଆ ମଣ୍ଡିରେ ଦେବାପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଏହାର କିଲୋ ପ୍ରତି ଦର  ଗତ ବର୍ଷ ୩୫. ୭୮ ପଇସା ଥିବା ବେଳେ ଚଳିତ ବର୍ଷ ଦର ଧାର୍ଯ୍ୟ ହୋଇଛି ୩୮.୪୬ ପଇସା  ବୋଲି ଜଣାପଡ଼ିଛି ।

ଉକ୍ତ କାର୍ଯ୍ୟକ୍ରମରେ ସିଓ୍ବାଇଏସଡି ସାମାଜିକ ଅନୁଷ୍ଠାନର ବ୍ଲକ ପ୍ରତିନିଧି ଚିତ୍ତରଞ୍ଜନ ଗୌଡ଼,  ଅନ୍ୟାନ୍ୟ ଅଧିକାରୀ, ଓ୍ବାସନ ଅନୁଷ୍ଠାନର ସହଯୋଗୀ ରାମଚରଣ ଟୁଡୁଙ୍କ ସହିତ ଗଗନ ବିହାରୀ ପାଳ, ଦୁର୍ଯୋଧନ ହିକକା, ଯୋଗେନ୍ଦ୍ର ମାଣ୍ଡିଙ୍ଗା, ନିରଞ୍ଜନ ମାଣ୍ଡିଙ୍ଗା ତଥା ଜାଗରଣ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିଦାନ୍ ହିକକା କୋଷାଧ୍ୟକ୍ଷ ପୁଷ୍ପଳତା ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନର ସମସ୍ତ ପ୍ରକିୟା ସମ୍ପାଦନ ହୋଇଥିଲା।

Comments are closed.