ନୂଆ ବର୍ଷରେ ବିଭିନ୍ନ ସ୍ଥାନର ବି​ଶେ‌ଷ ବ୍ୟଞ୍ଜନ

ନୂଆ ବର୍ଷ ପାଇଁ ଲୋକେ ଏବେଠାରୁ ଭ୍ରମଣ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆପଣ ମଧ୍ୟ ଏଥରକ ଏସବୁ ସ୍ଥାନ ମଧ୍ୟରୁ କୌଣସି ଅଞ୍ଚଳକୁ ଯିବାକୁ ଯୋଜନା କରୁଥାନ୍ତି, ତେବେ ସେଠାକାର ବିଶେଷ ଖାଦ୍ୟର ମଜା ଯେପରି ନେବାକୁ ନ ଭୁଲନ୍ତି।

 

‘ସିଟି ଅଫ୍ ଜୟ’ ନାମରେ ଜଣାଯାଉଥିବା କଲକାତା ଭାରତର ଅନ୍ୟତମ ଶସ୍ତା ସହର ଭାବେ ବେଶ୍ ପରିଚିତ। ଉଭୟ ଧନୀ ଓ ଗରିବଙ୍କ ନିମନ୍ତେ ସେଠାରେ ଚଳିବାକୁ କୌଣସି ଅସୁବିଧା ଉପୁଜିନଥାଏ। କଲକାତାର ମହଙ୍ଗା ରେସ୍ତୋରାଁରେ ଖାଇବା ପରିବର୍ତ୍ତେ ଆପଣ ଷ୍ଟ୍ରିଟ୍ ଫୁଡ୍‌ର ମଜା ନେଇପାରିବେ। ସେଠାରେ ସିଙ୍ଗଡ଼ା ଗୋଟା ୩ଟଙ୍କାରେ, ଆଳୁ ଚପ୍, ପକୁଡ଼ି, ପୁରି-ତରକାରି ଖୁବ୍ କମ୍‌ ଦରରେ ମିଳିଯାଏ। ଏସବୁ ସହ କଲକାତା ବିରିୟାନୀ, ଅଣ୍ଡା ରୋଲ୍ ଓ ରସଗୋଲାର ସ୍ବାଦ ଖୁବ୍ ମଜାଦାର।

 

ମୁମ୍ବଇ ମଧ୍ୟ ସେହିଭଳି ଏକ ଲୋକପ୍ରିୟ ମହାନଗରୀ ଅଟେ। ସେଠାକାର ‘ବଡ଼ା ପାଓ’ ଓ ‘ପାଓ ଭାଜି’ ଏବେ ଲଣ୍ଡନ, ଆମେରିକାରେ ମଧ୍ୟ ବିକ୍ରି ହେଲାଣି। ମୁମ୍ବଇ ଯାଇଥିଲେ, ସେଠାକାର ନରିମାନ୍ ପଏଣ୍ଟ, ଜୁହୁ ବିଚ୍‌ରେ ବୁଲୁଥିବାବେଳେ ଏସବୁ ସୁଆଦିଆ ଖାଦ୍ୟର ମଜା ନିଶ୍ଚୟ ନିଅନ୍ତୁ। ୩୦-୪୦ ଟଙ୍କାରେ ଆପଣ ଏହି ଖାଦ୍ୟ ପେଟ ଭରି ଖାଇପାରିବେ।

 

 

ଦିଲ୍ଲୀ ‘ଦିଲୱାଲୋଁ କା ସହର’ ଭାବେ ଜଣାଯାଏ। ଅବଶ୍ୟ ରାଜଧାନୀରେ ଖାଦ୍ୟ ମହଙ୍ଗା, ତେବେ ପୁରାନା କିଲ୍ଲା, ମିନାର୍ ଗଲି, ଚାନ୍ଦନି ଚୌକ୍ ଇତ୍ୟାଦି କେତୋଟି ଅଞ୍ଚଳରେ ଆପଣ ଖର୍ଚ୍ଚାନ୍ତ ହେବେନାହିଁ। ଦିଲ୍ଲୀର ଛୋଲେ-ଭତୁରେର ସ୍ବାଦ ଆପଣ ଅନ୍ୟ କେଉଁଠାରେ ପାଇବେନାହିଁ।

 

 

ଚେନ୍ନଇରେ ଥିଲେ, ଆପଣ ସ୍ଥାନୀୟ ଅଞ୍ଚଳର ଇଡଲି-ସମ୍ବର ଓ ଦୋସା ଯେପରି ଖାଇବାକୁ ନ ଭୁଲନ୍ତି। ରାସ୍ତାକଡ଼ରେ ଆପଣ ୨୦ଟଙ୍କାରେ ବେଶ୍ ସୁଆଦିଆ ଜଳଖିଆ ସେଠାରେ ଖାଇପାରିବେ।

Comments are closed.