ଆଉ ଦୁଇଟି ନୂଆ ରୁଟ୍‌ରେ ଚାଲିବ ମେମୁ ଟ୍ରେନ୍

0

ଭୁବନେଶ୍ୱର : କଟକ ଓ ବ୍ରହ୍ମପୁର ପରେ ଏବେ ଆଉ ଦୁଇଟି ପଥରେ ସୁପାରଫାଷ୍ଟ ମେମୁ ଟ୍ରେନ୍ ଚାଲିବ। ପୁରୀ-ଅନୁଗୁଳ ଏବଂ ରାଉରକେଲା-ସମ୍ବଲପୁର ମଧ୍ୟରେ ଲୋକେ ମେମୁ ଟ୍ରେନ୍‌ରେ ଯାତ୍ରାର ସୁଯୋଗ ପାଇବେ। ମେମୁ ଟ୍ରେନ୍ ଚଳାଚଳ ଆରମ୍ଭ ପରେ ଉପରୋକ୍ତ ଦୁଇ ରୁଟ୍‌ରେ ଚାଲୁଥିବା ପାସେଞ୍ଜର ଟ୍ରେନ୍‌କୁ ବାତିଲ୍ କରାଯିବ। ଆଜି ଠାରୁ ରାଉରକେଲା-ସମ୍ବଲପୁର ଏବଂ ୧୦ ତାରିଖରୁ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ପୁରୀ-ଅନୁଗୁଳ-ପୁରୀ ମେମେୁ ପୂର୍ବରୁ ଚାଲୁଥିବା ପାସେଞ୍ଜର ଟ୍ରେନ୍ ସମୟରେ ଚାଲିବ।
ପୂର୍ବତଟ ରେଳପଥ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ପୁରୀ-ଅନୁଗୁଳ ପାସେଞ୍ଜର ପୁରୀରୁ ସୋମବାର ବ୍ୟତିତ ଅନ୍ୟ ସମସ୍ତ ଦିନରେ ଯାତ୍ରା କରିବ। ସେହିପରି ଅନୁଗୁଳ-ପୁରୀ ମେମୁ ମଙ୍ଗଳବାର ବ୍ୟତିତ ଅନ୍ୟ ସମସ୍ତ ଦିନରେ ଅନୁଗୁଳରୁ ଚାଲିବ। ଏହି ରୁଟ୍‌ରେ ମେମୁ ଟ୍ରେନ୍ ସେବା ବନ୍ଦ ଥିବା ଦିନ ଉଭୟ ପଟୁ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ। ଅପରପକ୍ଷେ ରାଉରକେଲା-ସମ୍ବଲପୁର ମେମୁ ରାଉରକେଲାରୁ ସକାଳ ୭.୨୦ ସମୟରେ ଛାଡ଼ି ପୂର୍ବାହ୍ନ ୧୦.୪୫ ସମୟରେ ସମ୍ବଲପୁର ଠାରେ ପହଞ୍ଚିବ। ଫେରିବା ପଥରେ ସମ୍ବଲପୁର-ରାଉରକେଲା ମେମୁ ପୂର୍ବାହ୍ନ ୧୧.୧୦ରେ ଯାତ୍ରା ଆରମ୍ଭ କରି ରାଉରକେଲାରେ ଅପରାହ୍ନ ୨.୪୫ ସମୟରେ ପହଞ୍ଚିବ।
ଅପରପକ୍ଷେ ମେମୁ ଟ୍ରେନ୍ ପ୍ରଚଳନ ଆରମ୍ଭ ପରେ ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ବଦଳରେ ମେମୁ ଟ୍ରେନ୍ ଚଳାଚଳ କରିବ। ସେହିପରି ରାଉରକେଲା-ଝାସୁଗୁଡ଼ା-ରାଉରକେଲା ପାସେଞ୍ଜର ପରିବର୍ତ୍ତେ ରାଉରକେଲା-ଝାରସୁଗୁଡ଼ା-ରାଉରକେଲା ମେମୁ ଟ୍ରେନ୍ ଯାତ୍ରା କରିବ। ଏଠାରେ ସୂଚନାଯୋଗ୍ୟ ଯେ ନିକଟରେ ବ୍ରହ୍ମପୁର-କଟକ ମଧ୍ୟରେ ବହୁ ପ୍ରତିକ୍ଷୀତ ମେମୁ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା। ଗତ ୭ ତାରିଖ ଦିନ ଭୁବନେଶ୍ବର ନୂଆ ରେଳ ଷ୍ଟେସନ ଉଦ୍‌ଘାଟନ ଅବସରରେ ନୂଆ ରୁଟ୍‌ରେ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ପୂର୍ବରୁ ଦେଶର ବଡ଼ ମହାନଗରରେ ଚଳାଚଳ କରୁଥିବା ମେମୁ ଟ୍ରେନ୍ ଓଡ଼ିଶାରେ ଚଳାଚଳ ଆରମ୍ଭ କରିବା ଦ୍ବାରା ପ୍ରତ୍ୟେକ ଦିନ ଲକ୍ଷାଧିକ ନିୟମିତ ଯାତ୍ରୀ ଉପକୃତ ହେବେ।

Leave A Reply