ଚକ୍ମା ଦେଲେ ଚୋକ୍ସି : ଭାରତର ନାଗରିକତ୍ବ ଛାଡ଼ିଲେ
ନୂଆଦିଲ୍ଲୀ : ଦେଶରୁ ଦୁର୍ନୀତି ହଟାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳାଇଥିବା ପ୍ରୟାସକୁ ବଡ଼ ଧକ୍କା ଲାଗିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରୁ ବହୁକୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଭାରତର ନାଗରିକତ୍ବ ଛାଡ଼ି ଦେଇଛନ୍ତି। ନାଗରିକତ୍ବ ଛାଡ଼ିବା ପୂର୍ବକ ଚୋକ୍ସି ତାଙ୍କର ପାସ୍ପୋର୍ଟକୁ ଆଣ୍ଟିଗୁଆସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ହସ୍ତାନ୍ତର କରିଛନ୍ତି। ବ୍ୟାଙ୍କ ଅର୍ଥ ଠକେଇକୁ ନେଇ ଭାରତର ବିଭିନ୍ନ ତଦନ୍ତକାରୀ ଏଜେନ୍ସି ଚୋକ୍ସିଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ଚୋକ୍ସି ଭାରତର ନାଗରିକତ୍ବ ଛାଡ଼ିବା ଦ୍ବାରା ତଦନ୍ତକାରୀ ଏଜେନ୍ସିଙ୍କ କାର୍ଯ୍ୟାନୁଷ୍ଠାନ ଓ ଭାରତ ସରକାରଙ୍କ ପ୍ରତ୍ୟର୍ପଣ ଉଦ୍ୟମକୁ ଝଟ୍କା ଲାଗିଛି। କୌଣସି ଭାରତୀୟ ଯଦି ବିଦେଶର ନାଗରିକତ୍ବ ଗ୍ରହଣ କରନ୍ତି, ସେତେବେଳେ ତାଙ୍କୁ ତାଙ୍କର ପାସ୍ପୋର୍ଟ ଦାଖଲ କରିବାକୁ ପଡ଼ିଥାଏ। ଅନ୍ୟପଟେ ଭାରତ ସରକାର ଚୋକ୍ସିଙ୍କୁ ପ୍ରତ୍ୟର୍ପଣ ଲାଗି କୂଟନୈତିକ ଓ ନ୍ୟାୟିକ ଉଦ୍ୟମ ଚଳାଇଛନ୍ତି।
ସୂଚନାଯୋଗ୍ୟ, ୫୯ବର୍ଷୀୟ ଚୋକ୍ସି ପ୍ରାୟ ଏକ ବର୍ଷ ହେଲା ଆଣ୍ଟିଗୁଆରେ ରହିଆସୁଛନ୍ତି। ଏବେ ସେ ସେଠାର ନାଗରିକତ୍ବ ଗ୍ରହଣ କରିଛନ୍ତି। ତାଙ୍କର ନୂଆ ଠିକଣା ହେଉଛି ଜୋଲି ହାର୍ବର ମାର୍କ୍ସ ଆଣ୍ଟିଗୁଆ। ଗତ ଡିସେମ୍ବର ୨୫ରେ ଚୋକସି ଭାରତୀୟ ଅଦାଲତଙ୍କୁ କହିଥିଲେ ଯେ ସେ ଭାରତ
ଫେରିପାରିବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ସେ ଭାରତ ଆସି ମାମଲା ଶୁଣାଣିର ସମ୍ମୁଖୀନ ହେବାକୁ ଅକ୍ଷମ। ଆଣ୍ଟିଗୁଆରୁ ଭାରତ ୪୧ଘଣ୍ଟା ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ଅସମ୍ଭବ ବୋଲି ଚୋକ୍ସି କହିଥିଲେ। ତେବେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସେ ତଦନ୍ତରେ ସାମିଲ ହେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଚୋକ୍ସି ଓ ତାଙ୍କ ଭଣଜା ନିରବ ମୋଦୀ ପିଏନ୍ବିରୁ ପ୍ରାୟ ୧୩ହଜାର କୋଟି ଟଙ୍କା ଠକି ନେଇଛନ୍ତି। ଉଭୟ ମାମୁ ଓ ଭଣଜା ଏବେ ବିଦେଶରେ ଅଛନ୍ତି। ୨୦୧୮ ଜାନୁଆରୀ ପ୍ରଥମ ସପ୍ତାହରେ ଚୋକସି ଆଣ୍ଟିଗୁଆ ପଳାଇ ଯାଇଥିଲେ। ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ସରକାର ଗତବର୍ଷ ଅଗଷ୍ଟରେ ଆଣ୍ଟିଗୁଆ ସରକାରଙ୍କୁ ନିବେଦନ ପୂର୍ବକ ଏକ ଦଳ ସେଠାକୁ ପଠାଇଥିଲେ। ଭାରତର ବିଭିନ୍ନ ଅଦାଲତ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ଏହା ସହିତ ଇଣ୍ଟରପୋଲ ପକ୍ଷରୁ ରେଡ୍ କର୍ଣ୍ଣର ନୋଟିସ ଜାରି କରାଯାଇଛି।
ଚକ୍ମା ଦେଲେ…