ମେହବୁବାଙ୍କ ଏକତରଫା ଅସ୍ତ୍ର ବିରତି ପରାମର୍ଶ ରାଷ୍ଟ୍ରହିତ ବିରୋଧୀ : ବିଜେପି
ଜାମ୍ମୁ : ରମଜାନ ମାସ ଏବଂ ଅମରନାଥ ଯାତ୍ରା ଉପଲକ୍ଷେ ଏକପାଖିଆ ଅସ୍ତ୍ର ବିରତି ନିମନ୍ତେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପରାମର୍ଶକୁ ବିଜେପି କଡ଼ା ସମାଲୋଚନା କରିଛି । ମେହବୁବାଙ୍କ କଳ୍ପନା ରାଷ୍ଟ୍ରହିତ ବିରୋଧୀ ବୋଲି ରଜ୍ୟ ବିଜେପି ମୁଖପାତ୍ର ସୁନିଲ ସେଠୀ କହିଛନ୍ତି। ବୁଧବାର ସର୍ବଦଳୀୟ ବୈଠକରେ ଭାରତ ପକ୍ଷରୁ ଏକତରଫା ଅସ୍ତ୍ର ବିରତି ପାଇଁ ମେହବୁବା ମୁଫତି ପରାମର୍ଶ ଦେଇଥିଲେ । ବୈଠକ ପରେ ସବୁ ଦଳ ତାଙ୍କ ବିଚାରକୁ ସମର୍ଥନ ଜଣାଇଥିବା ମେହବୁବା କହିଥିଲେ । ମାତ୍ର ବିଜେପି ଏହାକୁ ଖଣ୍ଡନ କରିଛି । ସର୍ବଦଳୀୟ ବୈଠକରେ ମୁଫତି କହିଥିଲେ ଯେ ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେପରି ଏକତରଫା ଅସ୍ତ୍ର ବିରତି ଭଳି ପଦକ୍ଷେପ ନେଇଥିଲେ ସେଭଳି ଏବେ ପଦକ୍ଷେପ ନିଆଯାଉ । ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ସମୟ ଭିନ୍ନ ଓ ପରିସ୍ଥିତି ବି ଭିନ୍ନ । ଏବେ ସେନା ଶାନ୍ତ ହୋଇଗଲେ ଆତଙ୍କବାଦୀ ଅନୁପ୍ରବେଶ ଉତ୍ସାହିତ ହେବେ ଓ ଅନୁପ୍ରବେଶ କରିବାକୁ ପ୍ରୟାସ ଆରମ୍ଭ କରିଦେବେ । ତେଣୁ ସେନାର ହାତକୁ ବନ୍ଧା ଯାଇପାରିବନି ବୋଲି ବିଜେପି ପକ୍ଷରୁ କୁହାଯାଇଛି।