ନଭେମ୍ବର ୨୩ରୁ ମିଡିଆ ମହାକୁମ୍ଭ: ଯୋଗଦେବେ ୭୦ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ଓ ଗବେଷକ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ କନକ୍ଲେଭର ଅଷ୍ଟମ ସଂସ୍କରଣ ନଭେମ୍ବର ୨୩ରୁ ତିନିଦିନ ଧରି ଭୁବନେଶ୍ୱରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ପରିସରରେ କିମସ ଅଡିଟୋରିୟମରେ ଆରମ୍ଭ ହେବାକୁ ଯାଉଛି। ଆଜି ଏହାର ଲୋଗୋ ଏବଂ ପୋଷ୍ଟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ସମ୍ମିଳନୀ କକ୍ଷରେ କନକ୍ଲେଭର ସଭାପତି ପ୍ରଫେସର ଉପେନ୍ଦ୍ର ପାଢ଼ୀ ଆୟୋଜକ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି।

ଏହି ବର୍ଷ ଏହି କନକ୍ଲେଭରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରାଯିବ ଏବଂ ବିଭିନ୍ନ ଅଧିବେଶନରେ ତାଙ୍କର ଜୀବନି ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ଉଜ୍ଜୀବିତ କରାଯିବ। ପୂର୍ବାଞ୍ଚଳ ଭାରତର ସବୁଠୁ ବଡ ଏକାଡେମିକ୍ କନକ୍ଲେଭ ତଥା ମିଡ଼ିଆ ମହାକୁମ୍ଭ ଭାବରେ ବିବେଚିତ ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ ରହିଛି ‘କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ’।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓକାକ, କିଟ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର)ର ମିଳିତ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଆଇଏମ୍ଏସ୍ ଦ୍ୱାରା ଏହି ଅଷ୍ଟମ ଜାତୀୟ ଗଣମାଧ୍ୟମ ସମ୍ମିଳନୀ ଆୟୋଜିତ ହେଉଛି।

ଏହି କନକ୍ଲେଭରେ ଉଦଘାଟନୀ ସମାରୋହ ସହ ବିଭିନ୍ନ ସମସାମୟିକ ପ୍ରସଙ୍ଗ ତଥା କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସାତୋଟି ଆଲୋଚନାଚକ୍ର ଏବଂ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ ପାଇଁ ୪ଟି ସମାନ୍ତରାଳ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବରିଷ୍ଠ ଗଣମାଧ୍ୟମ ଶିକ୍ଷାବିତ୍, ଗବେଷକ ଏବଂ ଦେଶର ୭୦ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ୭୦୦ରୁ ଅଧିକ ଅଂଶଗ୍ରହଣ କରିବେ। ସମାନ୍ତରାଳ ବୈଷୟିକ ଅଧିବେଶନରେ ପ୍ରାୟ ୮୦ଟି ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହେବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କିଟ ଗଣଯୋଗାଯୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଏବଂ ଆସୋସିଏଟ୍ ଡିନ୍ ଡକ୍ଟର ରାଜୀବ କୁମାର ପଣ୍ଡା, ବିର୍ଲା ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜ୍ଞାନରଞ୍ଜନ ମିଶ୍ର, ଆଇଏମ୍ଏସ୍ ସମାଜ ସେବା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଗାୟତ୍ରୀ ପଟ୍ଟନାୟକ ଓ ଆଇଏମ୍ଏସ୍ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.