ତିନି ବର୍ଷର ଶିଶୁ ପାଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ସିମୁଳିଆ: କୁନି ପାଟିରେ କଥା ଠିକ ଭାବରେ କହି ପାରୁ ନ ଥିବା ବେଳେ ଖେଳିବା ବୁଲିବା ବୟସରେ ଥଂଗେଇ ଥଂଗେଇ ସଂସ୍କୃତ ଶ୍ଳୋକ, ରାଜ୍ୟ ଓ ଦେଶ ବିଦେଶର ରାଜଧାନୀ,ନଦୀ,ସଂଖ୍ୟା ଗଣନା,ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନାଁ,ଲେଖକ ଓ କବିଙ୍କ ନାଁ, ପ୍ରାଞ୍ଜଳ ଭାବେ ଇଂରାଜୀ ରାଇମ ମନେରଖି ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇ ଏତେ କମ ବୟସରେ ପାରଦର୍ଶିତା ଅର୍ଜ୍ଜନ କରିଛନ୍ତି । ଏମିତି ଏକ ବିସ୍ମୟ ବାଳକ ହେଉଛନ୍ତି ବାଲେଶ୍ଵର ଜିଲା ସିମୁଳିଆ ବ୍ଳକ ପୁରୁଷୋତ୍ତମପୁର ପଞ୍ଚାୟତର ମୂର୍ତ୍ତୃଙ୍ଗା ଗ୍ରାମର । ବାପା ଅନିରୁଦ୍ଧ ଜେନା ବିଦ୍ୟୁତ କର୍ମଚାରୀ ଭାବେ ଏବଂ ମା ଗାୟତ୍ରୀ ଜେନା ଫକୀର ମୋହନ ବିଶ୍ବବିଦ୍ୟାଳୟର କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ପୁଅ ଏ.ଜି. ଦିବ୍ୟଜ୍ୟୋତି ଜେନା ବର୍ତ୍ତମାନ ବୟସ ମାତ୍ର ତିନି ବର୍ଷ ।

ମା ଗାୟତ୍ରୀ କହିବା ଅନୁଯାୟୀ ଦିବ୍ୟଜ୍ୟୋତି ଅତି କମ ବୟସରୁ ମାଙ୍କ ପୂଜାର୍ଚ୍ଚନା କରାଯିବା ସମୟରେ ବିଭିନ୍ନ ଶ୍ଳୋକ, ପାଠ ପଡାଇଲେ, କିମ୍ବା ରେଳ ଷ୍ଟେସନରେ ରେଳ ଘୋଷଣାକୁ ନିର୍ଭୁଲ ଭାବରେ ମନେରଖି କହୁଥିବା ଦେଖିବାକୁ ପାଇଥିଲେ । କୁନି ପୁଅର ଏଭଳି ବିସ୍ମୟ ପ୍ରତିଭା ଦେଖି ଇଣ୍ଡିଆ ବୁକ ସଂସ୍ଥା ସହ ଅକ୍ଟୋବର ମାସ ୨୮ତାରିଖରେ ଅନଲାଇନ ଯୋଗାଯୋଗ କରିଥିଲେ । ସଂସ୍ଥା ପକ୍ଷରୁ ନଭେମ୍ବର ୧୫ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ମାନିତ କରାଯାଇଥିଲା । ଏତେ କମ ବୟସରେ ଏତେବଡ ସମ୍ମାନରେ ସମ୍ମାନିତ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟିଛି । ଦିବ୍ୟଜ୍ୟୋତି ଭବିଷ୍ୟତରେ ଡାକ୍ତର ହେବାକୁ ରୁଚି ରଖିଥିବା ବେଳେ ପରିବାର ପକ୍ଷରୁ ୱାର୍ଲଡ଼ ବୁକ ରେକର୍ଡ ନିମନ୍ତେ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଛନ୍ତି ।

Comments are closed.