ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୩ ବର୍ଷର ଶିଶୁ
ସିମୁଳିଆ : କୁନି ପାଟିରେ କଥା ଠିକ ଭାବରେ କହି ପାରୁ ନ ଥିବାବେଳେ ଖେଳିବା ବୁଲିବା ବୟସରେ ସଂସ୍କୃତ ଶ୍ଳୋକ, ରାଜ୍ୟ ଓ ଦେଶ ବିଦେଶର ରାଜଧାନୀ, ନଦୀ, ସଂଖ୍ୟା ଗଣନା, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନାଁ,ଲେଖକ ଓ କବିଙ୍କ ନାଁ, ପ୍ରାଞ୍ଜଳ ଭାବେ ଇଂରାଜୀ ରାଇମ ମନେରଖି ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୩ ବର୍ଷର ଶିଶୁ । ଏହି ବିସ୍ମୟ ବାଳକ ହେଉଛନ୍ତି ବାଲେଶ୍ଵର ଜିଲା ସିମୁଳିଆ ବ୍ଳକ ପୁରୁଷୋତ୍ତମପୁର ପଞ୍ଚାୟତର ମୂର୍ତ୍ତୃଙ୍ଗା ଗ୍ରାମର । ବାପା ଅନିରୋଧ ଜେନା ବିଦ୍ୟୁତ ବିଭାଗ କର୍ମଚାରୀ ଭାବେ ଏବଂ ମା’ ଗାୟତ୍ରୀ ଜେନା ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି ।
ପୁଅ ଏ.ଜି. ଦିବ୍ୟଜ୍ୟୋତି ଜେନା ବର୍ତ୍ତମାନ ବୟସ ମାତ୍ର ତିନି ବର୍ଷ । ମା’ ଗାୟତ୍ରୀ କହିବା ଅନୁଯାୟୀ ଦିବ୍ୟଜ୍ୟୋତି ଅତି କମ ବୟସରୁ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସମୟରେ ବିଭିନ୍ନ ଶ୍ଳୋକ, ପାଠ ପଡାଇଲେ, କିମ୍ବା ରେଳ ଷ୍ଟେସନରେ ରେଳ ଘୋଷଣାକୁ ନିର୍ଭୁଲ ଭାବରେ ମନେରଖି କହୁଥିବା ଦେଖିବାକୁ ପାଇଥିଲେ । କୁନି ପୁଅର ଏଭଳି ବିସ୍ମୟ ପ୍ରତିଭା ଦେଖି ଇଣ୍ଡିଆ ବୁକ ସଂସ୍ଥା ସହ ଅକ୍ଟୋବର ମାସ ୨୮ତାରିଖରେ ଅନଲାଇନ ଯୋଗାଯୋଗ କରିଥିଲେ । ସଂସ୍ଥା ପକ୍ଷରୁ ନଭେମ୍ବର ୧୫ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ମାନିତ କରାଯାଇଥିଲା । ଏତେ କମ ବୟସରେ ଏତେବଡ ସମ୍ମାନରେ ସମ୍ମାନିତ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟିଛି । ଦିବ୍ୟଜ୍ୟୋତି ଭବିଷ୍ୟତରେ ଡାକ୍ତର ହେବାକୁ ରୁଚି ରଖିଥିବା ବେଳେ ପରିବାର ପକ୍ଷରୁ ୱାର୍ଲଡ଼ ବୁକ ରେକର୍ଡ ନିମନ୍ତେ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଛନ୍ତି ।
Comments are closed.