କଳାବାଡିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଜାମଦାପାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଶାମାଖୁଣ୍ଟା ବ୍ଳକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ। ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ରାସ୍ତା ଓ ନିର୍ମାଣ ବିଭାଗ, ଶିକ୍ଷା ବିଭାଗ, ପୁଲିସ ବିଭାଗ ପ୍ରମୁଖ ସାମିଲ ରହିଥିଲେ। ମାତ୍ର ଅଳ୍ପ ମାସ ମଧ୍ୟରେ କାର୍ଯ୍ୟ ସରିଥିବା ବିଦ୍ୟାଳୟ ବିଲଡିଂ ଗୁଡିକରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଦେଖିବା ସହ ସ୍ଥାନେ ସ୍ଥାନେ ଫାଟ ଥିବା ମଧ୍ୟ ଦେଖିବାକୁ ପାଇଥିଲେ ବିଧାୟିକା ସଞ୍ଜଲୀ। ଏପରିକି କେତେକ ସ୍ଥାନରେ ଛାତ ଗୁଡିକରୁ ପାଣି ଗଳୁଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ବିଦ୍ୟାଳୟ ଓ ଶହେ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସଗୁଡିକରେ ଅଧିକ ଲାଭ ପାଇବା ଆଶାରେ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଛନ୍ତି। ଯାହାପାଇଁ ନିଜର ଅସନ୍ତୋଷ ଜାହିର କରିଥିଲେ ବିଧାୟିକା। ସବୁଠାରୁ ବଡ଼ କଥା ହେଲା ଦୁଇଟି ଯାକ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଠିକାଦାର ଜଣକ ହେଉଛନ୍ତି ଗୋବିନ୍ଦ ସାହୁ। ଉକ୍ତ ଠିକାଦାରଙ୍କ ବିରୋଧରେ ପୂର୍ବରୁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବା ବିଭାଗୀୟ ଅଧିକାରୀମାନଙ୍କ ସହ ମଧୁ ଚନ୍ଦ୍ରିକାକୁ ମଧ୍ୟ ପଦାରେ ପକାଇ ଦେଇଛି। ଅନ୍ୟପକ୍ଷେ ଏହାର ପ୍ରତିକାର ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଉପରିସ୍ଥ ଅଧିକାରୀମାନଙ୍କୁ ବିଧାୟିକା ସଞ୍ଜଲୀ ମୁର୍ମୁ ନିର୍ଦ୍ଦେଶ ଦେଇଥିବାବେଳେ ଛୋଟ କୋମଳମତି ଛାତ୍ରଛାତ୍ରୀମାନଙ୍କ ଜୀବନ ସହ ଖେଳିବାକୁ ପଛାଉ ନଥିବା ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲାକ ଲିଷ୍ଟ କରିବାକୁ ଅଞ୍ଚଳବାସୀଙ୍କ ସମେତ ଅଭିଭାବକ ମହଲରେ ଦାବି ହେଉଛି।
ଆଦର୍ଶ ବିଦ୍ୟାଳୟ ବିଲଡିଂରେ ଫାଟ: ତଦନ୍ତ ନିର୍ଦେଶ ଦେଲେ ବାଙ୍ଗିରିପୋଷି ବିଧାୟିକା
Popular Categories



