ସରକାରୀ ବଙ୍ଗଳା ଛାଡ଼ିଲେ ମାୟାବତୀ, ସ୍ପିଡ୍ ପୋଷ୍ଟରେ ପଠାଇଲେ ଚାବି
ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବିଏସ୍ପି ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌ ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗସ୍ଥିତ ୬ ନମ୍ବର ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି। ଏହାସହ ସେ ବଙ୍ଗଳା ଚାବିକୁ ସ୍ପିଡ୍ ପୋଷ୍ଟ ଯୋଗେ ରାଜ୍ୟ ସମ୍ପତ୍ତି ବିଭାଗ ନିକଟକୁ ପଠାଇ ଦେଇଛନ୍ତି। ବିଭାଗ ତାଙ୍କ ନିକଟକୁ ଆସିନଥିବାରୁ ସେ ସ୍ପିଡ୍ ପୋଷ୍ଟରେ ଚାବିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ସେ କହିଛନ୍ତି ବଙ୍ଗଳା ଛାଡ଼ିବା ସମ୍ପର୍କରେ ମଇ ୨୯ରେ ରାଜ୍ୟ ସମ୍ପତ୍ତି ବିଭାଗକୁ ପତ୍ର ଲେଖି ଜଣାଇ ଦେଇଥିଲେ। ନିକଟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ସମ୍ପତ୍ତି ବିଭାଗ ୧୩ ଏ ମଲ ଆଭିନ୍ୟୁ ବଙ୍ଗଳାକୁ ଖାଲି କରିବା ପାଇଁ ମାୟାବତୀଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ମାୟାବତୀ ଏହି ବଙ୍ଗଳାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କାନ୍ସୀରାମ୍ଙ୍କ ଏକ ସ୍ମାରକୀରେ ପରିଣତ କରିଛନ୍ତି। ଏ ନେଇ ବଙ୍ଗଳା ଆଗରେ ସେ ଏକ ପ୍ରତୀକ ଚିହ୍ନ (ସାଇନବୋର୍ଡ) ଲଗାଇଛନ୍ତି। ଏହି ବଙ୍ଗଳା ସହ ମୁଖ୍ୟମନ୍ତ୍ରୀ କାନ୍ସୀରାମଙ୍କ ସ୍ମୃତି ଯୋଡ଼ି ହୋରହିଥିବାରୁ ସେ ଏପରି କରିଥିବା କହିଥିଲେ। ସେହିପରି ତାଙ୍କ ସରକାର ସମୟରେ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ସେହି ଆଧାରରେ ସେ ଏପରି କରିଥିବା ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଘର ଛାଡ଼ିବା ପାଇଁ ଆଉ ଦୁଇ ବର୍ଷ ସମୟ ମାଗିଛନ୍ତି। ମୁଲାୟମ ବର୍ତ୍ତମାନ ଲକ୍ଷ୍ନୌର ୫-ବିକ୍ରମାଦିତ୍ୟ ମାର୍ଗ ବଙ୍ଗଳାରେ ଅବସ୍ଥାନ କରୁଛନ୍ତି। ପ୍ରକାଶ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ସମେତ ମୁଲାୟମ, ଅଖିଳେଶ, ଏନ୍.ଡି ତିୱାରୀଙ୍କୁ ୧୫ ଦିନ ମଧ୍ୟରେ ସରକାରୀ ବାସଭବନ ଖାଲି କରିବା ପାଇଁ ନୋଟିସ ଜାରି ହୋଇଛି।