mission shakti banner

ଆସନ୍ତାକାଲି ନବନିର୍ମିତ ସଂସଦ ଭବନ ଉଦ୍‌‌ଘାଟନ କରିବେ ପ୍ରଧାନମନ୍ତ୍ରୀ

BSKY banner  750×100

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି(ରବିବାର) ନବନିର୍ମିତ ସଂସଦ ଭବନର ଉଦ୍‌‌ଘାଟନ କରିବା ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌‌ କରି ଆଶା ପ୍ରକାଶ କରିଛନ୍ତି, ଗଣତନ୍ତ୍ରର ଏହି ମନ୍ଦିର ଭାରତର ବିକାଶର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ କୋଟି କୋଟି ଲୋକଙ୍କୁ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଟୁଇଟ୍‌‌ କରିଛନ୍ତି, ବହୁ ବ୍ୟକ୍ତି ନୂଆ ସଂସଦ ଭବନ ଉଦ୍‌‌ଘାଟନ ପୂର୍ବରୁ #MyParliamentMyPride  ମାଧ୍ୟମରେ ଖୁସିବ୍ୟକ୍ତ କରୁଛନ୍ତି। ଦେଶର ଜନସାଧାରଣ ଏହି ମୁହୂର୍ତ୍ତକୁ ନେଇ ଗୌରବାନ୍ୱିତ ଅନୁଭବ କରୁଛନ୍ତି।

ନବନିର୍ମିତ ସଂସଦ ଭବନରେ ଲୋକସଭା ଜାତୀୟ ପକ୍ଷୀ ମୟୂର ଶୈଳୀରେ ନିର୍ମିତ ହୋଇଥିବାବେଳେ ରାଜ୍ୟସଭା ଜାତୀୟ ଫୁଲ ପଦ୍ମ ଶୈଳୀରେ ନିର୍ମିତ ହୋଇଛି। ଏହାର ଆଭ୍ୟନ୍ତର ବରଗଛ ଭଳି ଦୃଶ୍ୟମାନ ହେଉଛି। ‘ମୋ ସଂସଦ, ମୋ ଗର୍ବ’ ବୋଲି ମୋଦୀ ଏହାକୁ ବର୍ଣ୍ଣନା କରିବା ସହ ଏହାର ସର୍ବୋତ୍କୃଷ୍ଟ କାରିଗରୀ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରତ୍ୟେକ ସାଂସଦଙ୍କୁ ଆରାମ ଦେବ ବୋଲି କହିଛନ୍ତି।

ପ୍ରାୟ ୬୪ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ସଂସଦ ଭବନ ତିନି କୋଣିଆ ଓ ଚାରି ମହଲା ବିଶିଷ୍ଟ ହୋଇଛି। ଏହାର ତିନି ପ୍ରବେଶ ଦ୍ବାରକୁ ଯଥାକ୍ରମେ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ଭାବେ ନାମିତ କରାଯାଇଛି। ସଂସଦର ଦୁଇ ସଦନରେ ମୋଟ ୧୨୭୨ ଆସନ ବ୍ୟବସ୍ଥା ହୋଇଛି। ଏହା ପୁରୁଣା ସଂସଦ ଭବନ ତୁଳନାରେ ୫୦୦ ଆସନ ଅଧିକ। ରାଜ୍ୟସଭାର ଆସନ ସଂଖ୍ୟା ୩୮୪ ରଖାଯାଇଥିବାବେଳେ ଲୋକସଭାରେ ୮୮୮ ଆସନ ବ୍ୟବସ୍ଥା ହୋଇଛି। ପାଖାପାଖି ଏକ ହଜାର କୋଟି ଟଙ୍କା ବ୍ୟୟରେ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ ଦ୍ବାରା ନିର୍ମିତ ସଂସଦ ଭବନକୁ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ରୁଦ୍ଧିମନ୍ତ କରାଯାଇଛି। ଭାରତର ୫ହଜାର ବର୍ଷର ଇତିହାସର ପ୍ରତିଫଳନ ସହ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଓ କଳାକୃତି ଏଠାରେ ସ୍ଥାନ ପାଉଛି। ଦେଶର ଗଣତାନ୍ତ୍ରିକ ପରମ୍ପରାର ପୂର୍ଣ୍ଣ ପ୍ରତିଫଳନ ଏଠାରେ ଦୃଶ୍ୟମାନ। ସାଂସଦମାନଙ୍କ ପାଇଁ ଆମୋଦସ୍ଥଳୀ, ପାଠାଗାର, ବିଭିନ୍ନ କମିଟି ଗୃହ, ଭୋଜନସ୍ଥଳୀ ସହ ପାର୍କିଂ ଓ ପର୍ଯ୍ୟଟକଙ୍କ ପାଇଁ ବିଧିବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କୁ ସହାୟତା କଲା ଭଳି ଅନେକ ବ୍ୟବସ୍ଥା ଏଥିରେ ରହିଛି। ଉଦ୍‌ଘାଟନ ଉତ୍ସବ ରବିବାର ସକାଳ ସାଢ଼େ ୭ଟାରେ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଏଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ସତର୍କତା ସହ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comments are closed.