ଜଳୁଛି ଓଡ଼ିଶା, ୪ଦିନ ନିସ୍ତାର ନାହିଁ

ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବଲାଙ୍ଗୀର ଉତ୍ତପ୍ତ, ରାଜଧାନୀରେ ୧୪ବର୍ଷର ରେକର୍ଡ ଭାଙ୍ଗିଲା, ୩ଦିନ ଉପକୂଳ, ୫ଦିନ ପଶ୍ଚିମରେ ଅସହ୍ୟ ତାତି

ଭୁବନେଶ୍ବର : ଡହଡହ ଖରାରେ ସାରା ରାଜ୍ୟ ଜଳୁଛି। ଆଭ୍ୟନ୍ତରୀଣ, ପଶ୍ଚିମ, ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ସବୁଠି ପାରଦ ଉପର ମୁହାଁ । ସକାଳୁ ଖରା ମାଡ଼ି ଆସୁଛି । ପୂର୍ବାହ୍ନ ୧୦ଟା ବାଜିଲେ ଖରାରେ ବାହାରକୁ ମୁହାଁଇ ହେଉନାହିଁ । ମଧ୍ୟାହ୍ନ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ। ବାହାରକୁ ବାହାରିଲେ ଦେହମୁହଁ ପୋଡ଼ି ପକାଉଛି। ରାସ୍ତାଘାଟ ଶୂନ୍‌ଶାନ ହୋଇ ପଡୁଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନ ଓ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବାରୁ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା କାରଣରୁ ଗ୍ରୀଷ୍ମପ୍ରବାହ ଅବଧି ବଢୁଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ସବୁଠି ପାରଦ ୪୦ଡିଗ୍ରୀ ଉପରେ। ଦୁଇଦିନ ହେଲା ପଶ୍ଚିମ ପରି ଉପକୂଳ ଓଡ଼ିଶାରେ ସମାନ ପରିସ୍ଥିତି। ତାପମାତ୍ରା ବୃଦ୍ଧି ଯୋଗୁଁ ରାଜଧାନୀ ସମେତ ପଶ୍ଚିମ ଏବଂ ଉପକୂଳବର୍ତ୍ତୀ ଜିଲା ଗୁଡ଼ିକ ତତଲା କଡ଼େଇରେ ଭାଜି ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୪ ବର୍ଷରେ ରେକର୍ଡ଼ ଭାଙ୍ଗିଛି ରାଜଧାନୀ ଭୁବନେଶ୍ବରର ତାପମାତ୍ରା।
ଶୁକ୍ରବାର ସୁବର୍ଣ୍ଣପୁରରେ ତାପମାତ୍ରା ୪୫.୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ୪୫.୪ ଏବଂ ବଲାଙ୍ଗୀରରେ ୪୫.୩ଡିଗ୍ରୀ ଛୁଇଁଛି। ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଏବଂ କଟକରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୪.୮, ଅନୁଗୋଳ ୪୪.୭, ହୀରାକୁଦ ୪୪.୬, ସୁନ୍ଦରଗଡ଼ ୪୪.୫, ତାଳଚେର ୪୪.୪, ବୌଦ୍ଧ ୪୪.୨, ରାଉରକେଲା ଓ ବରଗଡ଼ରେ ୪୪ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଥିବାବେଳେ ୪୩ ଡିଗ୍ରୀ ଉପରେ ୬ ସହର ଏବଂ ୪୨ଡିଗ୍ରୀ ଉପରେ ୨ଟି ସ୍ଥାନର ପାରଦ ରହିଛି। ଟିଟିଲାଗଡ଼ ୪୩.୫, ବାରିପଦା ଓ ବ୍ରହ୍ମପୁର ୪୩.୨ ନୂଆପଡ଼ା, ଖୋର୍ଦ୍ଧା, ଭବାନୀପାଟଣା ୪୩, ମାଲକାନଗିରି ୪୨.୪, କଟକ ୪୨.୨, ଦେବଗଡ଼ ୪୨, କେନ୍ଦ୍ରାପଡ଼ା ୪୧.୮, ଫୁଲବାଣୀ ୪୧.୫, ପାରଳାଖେମୁଣ୍ଡି ୪୦.୯, କେନ୍ଦୁଝର ୪୦.୫, ଜଗତସିଂହପୁର ୪୦.୫, ଭଦ୍ରକ ୪୦.୪, ଚାନ୍ଦବାଲି ୪୦.୪, ଯାଜପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆଗାମୀ ୪ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଉପକୂଳ ଏବଂ ୫ ଦିନ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୭ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା ଥିବାରୁ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ରାଜଧାନୀ ତାପମାତ୍ରା ୧୪ବର୍ଷର ରେକର୍ଡ ଭାଙ୍ଗିଛି। ୧୪ବର୍ଷ ଭିତରେ ଜୁନ୍‌ ୧୬ରେ ରାଜଧାନୀ ତାପମାତ୍ରା ୪୪.୬ ଡିଗ୍ରୀ ଛୁଇଁନାହିଁ। ଯାହାକି ଚଳିତ ବର୍ଷ ଜୁନ୍‌ ୧୬ରେ ୪୪.୬ଡିଗ୍ରୀ ଟପିଛି। ୨୦୦୯ ଜୁନ୍‌ ୧୬ରେ ରାଜଧାନୀ ତାପମାତ୍ରା ୪୨.୧ଡିଗ୍ରୀ ଥିବାବେଳେ ଅନ୍ୟାନ୍ୟ ବର୍ଷ ଜୁନ୍‌ ୧୬ରେ ଏହାଠାରୁ କମ୍‌ ତାପମାତ୍ରା ରହୁଥିଲା। ପୂର୍ବାହ୍ନ ୧୧ଟା ବେଳକୁ ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିବାବେଳେ ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ପାରଦ ୪୪.୬ ଡିଗ୍ରୀରେ ପହଞ୍ଚିଥିଲା। ରାଜ୍ୟରେ ଦିନ ତମାମ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅପରାହ୍ଣରେ ପୁରୀ ଜିଲା ସତ୍ୟବାଦୀ ନୂଆସୋମେଶ୍ୱରପୁର ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଅଞ୍ଚଳବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧାକୁ ଗ୍ରୀଷ୍ମପ୍ରବାହ ନେଇ କମଳା(ଅରେଞ୍ଜ) ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, ଢେଙ୍କାନାଳ ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ହଳଦିଆ(ୟେଲୋ) ସତର୍କ ସୂଚନା ଦିଆଯାଇଛି। ଉପକୂଳ ଓଡ଼ିଶା ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳରେ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ବଜ୍ରପାତ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁରକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଗତ କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜଧାନୀରେ ୧୮ରେ ସାମାନ୍ୟ ତାପମାତ୍ରା କମିବାକୁ ଥିବାବେଳେ ୧୯ ତାରିଖ ପରେ ତାପମାତ୍ରା ୩୯ଡିଗ୍ରୀ ତଳକୁ ଖସି ଆସିବ; କିନ୍ତୁ ଆଭ୍ୟନ୍ତରୀଣ ଦକ୍ଷିଣରେ ୨୨ତାରିଖ ପର୍ଯ୍ୟନ୍ତ ଗରମ ଲାଗି ରହିବ। ଆଭ୍ୟନ୍ତରୀଣ ଉତ୍ତରରେ ୨୦ ତାରିଖ ପର୍ଯ୍ୟନ୍ତ ଗରମ ଜାରି ରହିବାକୁ ଥିବାବେଳେ ୧୯ରୁ ୨୨ ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ। କେତେକ ସ୍ଥାନରେ ପ୍ରାକ୍ ମୌସୁମୀଜନିତ ବର୍ଷା ହୋଇପାରେ।

Comments are closed.