କଳାପଥର : ବୈଦ୍ୟେଶ୍ୱର ଗ୍ରାମ ପଂଚାୟତର ପାଟଣା ସାହିର ପଦ୍ମ ଚରଣ ସାହୁଙ୍କ ଶିକ୍ଷୟତ୍ରୀ ଝିଅ ବିହାଘରକୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରୁ ବର ଆସିଥିଲା । ବରଯାତ୍ରୀ ସହ ଗ୍ରାମବାସୀ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା । ଏହି ଭୋଜିଭାତ ଯେ, କାଳ ହେବ ତାହା କେହି କଳ୍ପନା କରିନଥିଲେ । ଭୋଜି ଖାଇ ବିଳମ୍ବିତ ରାତ୍ରିରେ ସମସ୍ତେ ଜ୍ଵର, ଝାଡା ଏବଂ ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଶହେରୁ ଅଧିକ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ବାଙ୍କୀ, ବୈଦ୍ୟେଶ୍ୱର ଏବଂ କଳାପଥର, ବାଙ୍କୋଇର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ।
ଖାଦ୍ୟ ଅପମିଶ୍ରଣ, ପାନୀୟ ଜଳ ବା ସଂକ୍ରମଣ ଜନିତ ବିଷାକ୍ତ ହେବା ଯୋଗୁଁ ଝାଡା, ବାନ୍ତି, ଜ୍ଵର ବ୍ୟାପିଥିବା ଚିକିତ୍ସାକାରୀ ଡାକ୍ତରମାନେ କହିଛନ୍ତି । ଆକ୍ରାନ୍ତ ସଂଖ୍ୟା ଯେପରି ବୃଦ୍ଧି ନପାଏ ସେଥିପାଇଁ ବୈଦ୍ୟେଶ୍ୱର ଡାକ୍ତରଖାନା ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ମଙ୍ଗଳବାର ସକାଳେ କଟକ ସିଡିଏମଓଙ୍କ ସମେତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ଟିମ ସହ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବୈଦ୍ୟେଶ୍ୱର ପଂଚାୟତର ଘର ଘର ପରିଦର୍ଶନ କରି ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀମାନେ ଲୋକ ମାନଙ୍କୁ ବଟିକା, ସାଲାଇନ, ଓ଼ଆରଏସ, ବ୍ଲିଚିଙ୍ଗ ପକାଇ ସମସ୍ୟା ବୁଝୁଥିବାର ନଜିର ରହିଛି । ସ୍ଥିତି ଗମ୍ଭୀର ଥିଲାବେଳେ ପ୍ରସ୍ତୁତ ପାଣି, ଖାଦ୍ୟ ଅପମିଶ୍ରଣ କେମିତି ହେଲା ତାକୁ ନେଇ ବିଭାଗୀୟ ଅଧିକାରୀମାନେ ଖୋଳତାଡ଼ କରିଛନ୍ତି ।



