୧୨୮୨ ଶିଶୁ ଖାଇଲେ ପୋଲିଓ ବୁନ୍ଦା

ଆଠଗଡ : ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓକୁ ସମୂଳେ ମୂଳୋତ୍ପାଟନ ପାଇଁ ନିଆଯାଇଥିବା ପଦକ୍ଷେପର ଅଂଶବିଶେଷ ଭାବେ ରବିବାର ସାମୁହିକ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ ଉପଖଣ୍ଡ ଡାକ୍ତରଖାନା ତରଫରୁ ଏନଏସି ଅଞ୍ଚଳରେ ଶିଶୁମାନଙ୍କୁ ସାମୁହିକ ପୋଲିଓ ବୁନ୍ଦା ଖୁଆଇବା ଅଭିଯାନ ଆୟୋଜିତ ହୋଇଯାଇଛି । ସହରର ୧୮ଟି ୱାର୍ଡର ଶୂନ୍ୟରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୋଟ ୧୪୩୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ ରହିଥିଲା । ବୀରକିଶୋରପୁର ୟୁପି ସ୍କୁଲରେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ୫-୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।

ରବିବାର ଏନଏସିର ସମସ୍ତ ୧୮ଟି ୱାର୍ଡ ପାଇଁ ବୀରକିଶୋରପୁର ସ୍କୁଲ, ହେମମାଳପୁର ସ୍କୁଲ, ବିଏନ ମଡେଲ ସ୍କୁଲ, ରାସରସିକପୁର ସ୍କୁଲ, କନ୍ତୋଲ ୟୁପି ସ୍କୁଲ ଓ ନୋଡାଲ ସ୍କୁଲ, ବାଣୀକଣ୍ଠନଗର କୋଠଘର ଏବଂ ଡାକ୍ତରଖାନାର ପିପି ସେଣ୍ଟର ଆଦି ୮ ଟି କେନ୍ଦ୍ରରେ ପଲସ୍ ପୋଲିଓ କାର୍ଯ୍ୟକ୍ରମ ଚାଲିଥିବାବେଳେ ମୋଟ ୧୨୮୨ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଥିଲେ ।  ଲକ୍ଷ୍ୟର ୮୯.୨୭ ପ୍ରତିଶତ ସଫଳତା ମିଳିଥିବାବେଳେ ବାକି ରହିଯାଇଥିବା ୧୫୪ ଜଣ ଶିଶୁଙ୍କୁ ସେମାନଙ୍କ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଖୁଆଇବାର ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଡାକ୍ତର ମିଶ୍ର କହିଛନ୍ତି । ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତିଲତା ରଥ ଓ ଏଏନଏମ ରେଣୁବାଳା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହରାଞ୍ଚଳର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ଏଥିରେ ସହଯୋଗ କରିଥିଲେ ।

 

Comments are closed.