ସ୍ବାମୀ ଦେଢ଼କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ: ସ୍ବାମୀ, ଦିଅର, ଶାଶୂ ଓ ଶ୍ବଶୁର ଗିରଫ

ଝାରସୁଗୁଡ଼ା : ଭଦ୍ରକ ଜିଲା ବନ୍ତ ଅଞ୍ଚଳର ଜନୈକ ଯୁବକ ଗୁଜୁରାଟ ଅହମ୍ମଦାବାଦର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିବାବେଳେ ତାଙ୍କ ଭାଇ ଏବଂ ବାପାମାଙ୍କୁ ମଧ୍ୟ ଗିରଫ କରିଛି।
ଭଦ୍ରକ ବନ୍ତର ମୂଳନିବାସୀ ମନୋଜ ନାୟକ ଅହମ୍ମଦାବାଦରେ କାମ କରୁଥିବାବେଳେ ସେଠାରେ ହିରଲବେନ୍ ମୋଦିଙ୍କୁ ୨୦୧୯ରେ ପ୍ରେମବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ବାତ୍ୟା ଦାନା ସମୟରେ ମନୋଜ ଗୁଜରାଟରୁ ଘରକୁ ଆସିଥିଲେ। ବାତ୍ୟାରେ ଘର ଭାଙ୍ଗିଯାଇଥିବା କହି ହିରଲବେନ୍ଙ୍କଠାରୁ ୧ କୋଟି ୩୦ ଲକ୍ଷ ଟଙ୍କା ଆଣିଥିଲେ। ବନ୍ତରେ ୫ ଦିନ ରହିବା ପରେ ନିଜର ବଡ଼ବାପା ଓ ବଡ଼ମା’ ରହୁଥିବା ସମ୍ବଲପୁର ଜିଲା ଯୁଯୁମୁରା ଯାଇ ୧୦ ଦିନ ରହିଥିଲେ। ଆଉ ଅହମ୍ମଦାବାଦକୁ ନ ଫେରି ସେଠାରୁ ତାମିଲନାଡୁର ହିସୋରକୁ ଯାଇ ଏକ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ଭାବେ ଚାକିରି କରିଥିଲେ। ସ୍ବାମୀ ନଫେରିବାରୁ ହିରଲବେନ୍ ଖୋଜି ଖୋଜି ଭଦ୍ରକ ବନ୍ତରେ ଥିବା ମନୋଜର ଘରେ ପହଞ୍ଚିଥିଲେ। ସେ କୁଆଡ଼େ ଯାଇଛି ଜାଣିନାହାନ୍ତି ବୋଲି ଘର ଲୋକେ କହିଥିଲେ। ମନୋଜକୁ ଖୋଜିବା ପାଇଁ ହିରଲବେନ୍ ବନ୍ତ ଶଶୁର ଘରେ ରହିଥିଲେ। କିଛି ମାସ ସେଠାରେ ରହିବା ସହିତ ବନ୍ତ ଥାନା ଏବଂ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ଭେଟି ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କୁ କୌଣସି ସହଯୋଗ ନକରିବାରୁ ସେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ। ଗାଁ ଲୋକଙ୍କଠାରୁ କିଛି ସୂଚନା ପାଇ ସମ୍ବଲପୁର ଜିଲାର ଯୁଯୁମୁରାରେ ରହୁଥିବା ମନୋଜଙ୍କ ବଡ଼ବାପା ଓ ମାଆଙ୍କ ପାଖକୁ ଆସିଥିଲେ। ସେଠାରୁ ମଧ୍ୟ କୌଣସି ସୂଚନା ପାଇଲେ ନାହିଁ। ବାଧ୍ୟ ହୋଇ ହିରଲବେନ୍ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣାରେ ଆଇଜି ହିମାଂଶୁ ଲାଲ ହସ୍ତକ୍ଷେପ କରି ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପି ପରମାରଙ୍କୁ ଆସି ଭେଟ କରିବା ପାଇଁ ହିରଲବେନ୍ଙ୍କୁ କହିଥିଲେ। ଝାରସୁଗୁଡ଼ା ପୁଲିସ ମନୋଜକୁ ଧରିବା ପାଇଁ ୨ଟି ଟିମ ଗଠନ କରିଥିଲେ। ଇତି ମଧ୍ୟରେ ମନୋଜ ଫୋନରେ ବଡ଼ମାଆ ସହ କଥା ହୋଇଥିଲେ। ଯାହାକୁ ଆଧାର କରି ଝାରସୁଗୁଡ଼ା ପୁଲିସ ୨ ଦିନ ଭିତରେ ତାମିଲନାଡୁର ହିସୋର ଯାଇ ମନୋଜର ସାନଭାଇ ମାନସକୁ ଉଠାଇଥିଲେ। ସାନଭାଇ ମାନସକୁ ଧରିବା ପରେ ବେଙ୍ଗାଲୁରୁକୁ ଯାଇଥିବା ମନୋଜକୁ ଗିରଫ କରିଥିଲା। ମନୋଜକୁ ଝାରସୁଗୁଡ଼ାକୁ ଆଣିବା ପରେ ବନ୍ତ ପୁଲିସର ଜିମା ଦେଇଥିଲା। ଏନେଇ ବନ୍ତ ପୁଲିସ ଏକ ମାମଲା ରୁଜୁ କରି ଦଫା ୪୯୮(ବ)୨୯୪, ୪୦୬, ୪୨୦ରେ ମନୋଜ, ମାନସ ସମେତ ପିତା ପ୍ରଦୀପ ଓ ମାତା ଯମୁନାକୁ ଗିରଫ କରିଛି। ବନ୍ତ ଥାନାରେ ୧ କୋଟି ୩୦ ଲକ୍ଷ ଟଙ୍କା ଠକିଥିବାରୁ ରିପୋର୍ଟରେ ଉଲ୍ଲେଖ କରିଥିବା ବେଳେ ୩୦ ଲକ୍ଷ ଟଙ୍କା ଗୃହବନ୍ଧା ପକାଇ ବାଜାଜ ଆଲିଆଞ୍ଜରୁ ଋଣ ଆଣିଥିଲେ। ଯାହା ଏବେ ନିଲାମ ହେବାକୁ ବସିଛି। ଏବେ ହିରଲବେନ୍ ୨ କୋଟି ଟଙ୍କା ଫେରାଇବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କହିଛନ୍ତି।
Comments are closed.