କେରଳ ଛୁଇଁଲା ମୌସୁମି
ତିରୁଅନନ୍ତପୁରମ୍/ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର କେରଳ ଉପକୂଳ ଛୁଇଁଛି। ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଥିଲା ଏହାର ତିନିଦିନ ପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ବିଶେଷକରି ଦକ୍ଷିଣ ଭାରତରେ ଅସ୍ତବ୍ୟସ୍ତ ହୋଇପଡିଥିବା ଜନଜୀବନକୁ ଟିକିଏ ଆଶ୍ୱସ୍ତି ମିଳିଛି। ଓଡ଼ିଶାରେ ଜୁନ୍ ପ୍ରଥମ ସପ୍ତାହ ଆଡ଼କୁ ମୌସୁମୀ ପହଞ୍ଚିବା ପୂର୍ବାନୁମାନ କରାଯାଇଛି। ଏବେ ବି ଉତ୍ତର ଭାରତ ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା ହୋଇ ରହିଛି। ତେବେ ଦେଢମାସ ଭିତରେ ଦେଶର ସମସ୍ତ ଅଞ୍ଚଳକୁ ପ୍ରାୟ ମୌସୁମି ଛୁଇଁବା ନେଇ ଆଶା କରାଯାଉଛି।
ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବା ନେଇ ପୂର୍ବାନୁମାନ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗୁଆ ମୌସୁମୀ ବର୍ଷା ଖବରକୁ ନେଇ ସମଗ୍ର ଦେଶରେ ଜନଜୀବନ ଏକପ୍ରକାର ଆଶ୍ୱସ୍ତ ହୋଇଛି। ଅନ୍ୟପଟେ ମୌସୁମୀ ବର୍ଷା ଶୀଘ୍ର ଆରମ୍ଭ ହୋଇଥିବାରୁ କୃଷକଙ୍କ ପାଇଁ ଏହା ଶୁଭସଙ୍କେତ ବୋଲି କୁହାଯାଉଛି। ଏହାଦ୍ୱାରା କୃଷକମାନେ ଶୀଘ୍ର ଖରିଫ ପାଇଁ ପ୍ରସ୍ତୁତି କରିପାରିବେ।
ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମଙ୍ଗଳବାର ମୌସୁମୀ ପ୍ରଭାବରେ କେରଳ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ବିଶେଷକରି ଦକ୍ଷିଣପୂର୍ବ ଆରବ ସାଗର, କ୍ୟାମୋରିନ୍-ମାଲଦ୍ୱୀପ, ଲାକ୍ଷାଦ୍ୱୀପ, କେରଳ ଓ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି। କନ୍ନୁର, କୋଏମ୍ବାଟୁର, କୋଡାଇକେନାଲ ଏବଂ ଟୁଟିକୋରିନ୍ରେ ମଧ୍ୟ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି। କେରଳରେ ଗତ ୪ ଦିନ ହେବ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଥିଲା। ବିଶେଷକରି ମାଙ୍ଗାଲୋର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡିଛି। ଆଗାମୀ ୫ ଦିନ ପର୍ୟ୍ୟନ୍ତ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କାରେ ମାଙ୍ଗାଲୋର ପ୍ରଶାସନ ବୁଧବାର ପର୍ୟ୍ୟନ୍ତ ସମସ୍ତ ସ୍କୁଲ କଲେଜ୍ ବନ୍ଦ ଘୋଷଣା କରିଛି।
ଅନ୍ୟପଟେ କେରଳ-କର୍ଣ୍ଣାଟକର ଉତ୍ତର ଉପକୂଳବର୍ତ୍ତୀ ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଲଘୁଚାପ ଘନୀଭୂତ ହୋଇଥିବାରୁ ଦେଶରେ ମୌସୁମୀ ବର୍ଷା ପାଇଁ ପାଣିପାଗ ଅନୁକୂଳ ରହିଛି। ତେବେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ଆଗାମୀ କିଛି ଦିନ ପାଇଁ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍ ପ୍ରଥମ ସପ୍ତାହ ଅର୍ଥାତ୍ ୫ କିମ୍ବା ୬ ତାରିଖ ବେଳକୁ ମୌସୁମି ଓଡ଼ିଶାରେ ପହଞ୍ଚିବ। ଜୁନ୍ ଦ୍ୱିତୀୟ ସପ୍ତାହ ବେଳକୁ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ଅଧିକ ବର୍ଷା ଅନୁଭୂତ ହେବ। ଜୁନ୍ ମାସରେ ଦକ୍ଷିଣ ଓଡ଼ିଶାରେ ବିଶେଷକରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ ଜିଲାରେ ବର୍ଷା ସ୍ୱାଭାବିକ ଠାରୁ କମ୍ ରହିବ; କିନ୍ତୁ ଏଠାରେ ବର୍ଷାର ପରିମାଣ ବୁଣାବୁଣି କରିବା ପାଇଁ ଯଥେଷ୍ଟ ରହିବ।
ଅପରପକ୍ଷେ ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା କ୍ରମଶଃ ଅବପାତର ରୂପ ନେବାର ସମ୍ଭାବନା ଅଛି। ଅଧିକ ଘନୀଭୂତ ହେଲେ ଏହା ମିଆଁମାର-ବାଂଲାଦେଶ ଅଭିମୁଖେ ଗତି କରିବ।
ଏବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହେଲାଣି। ମଙ୍ଗଳବାର ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିର ଓ ସୋନପୁରରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି।