କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ

ମଣିପୁର ପ୍ରସଙ୍ଗରେ ସଂସଦ ଅଚଳ, ରାଜ୍ୟସଭାରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହଲ୍ଲା କରିବାରୁ ଉଭୟ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ମଣିପୁର ପ୍ରସଙ୍ଗକୁ ସରକାର ସଂସଦରେ ଆଲୋଚନା କରିବାକୁ ଅନୁମତି ଦେଉ ନଥିବା ପ୍ରତିବାଦରେ ଗୁରୁବାର ବିରୋଧୀ ସଦସ୍ୟମାନେ ଉଭୟ ଗୃହରେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଥିଲେ। ‘ଇଣ୍ଡିଆ’ ମେଣ୍ଟର ଅଂଶୀଦାର ବିରୋଧୀ ଦଳ ସଦସ୍ୟମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପକ୍ଷରୁ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ସରକାର ଆଲୋଚନା କରୁ ନାହାନ୍ତି। କଂଗ୍ରେସ ସଦସ୍ୟ ଗୌରବ ଗୋଗଇ ବୁଧବାର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବକୁ ଆଲୋଚନା ନିମନ୍ତେ ବାଚସ୍ପତି ଅନୁମୋଦନ ପୂର୍ବକ ଗ୍ରହଣ କରିଥିଲେ। ମାତ୍ର ଆଲୋଚନା ନିମନ୍ତେ ବାଚସ୍ପତି ଏବେ ସୁଦ୍ଧା ସମୟ ଧାର୍ଯ୍ୟ କରି ନାହାନ୍ତି। ଆଲୋଚନା ନିମନ୍ତେ ବିରୋଧୀ ସଦସ୍ୟମାନେ ବ୍ୟଗ୍ର ହୋଇଥିବାବେଳେ ବାଚସ୍ପତି ଧାର୍ଯ୍ୟ ୧୦ଦିନର ସମୟ ସୀମାକୁ ଆଧାର କରି ସମୟ ଗଡାଇ ଚାଲିଛନ୍ତି।
ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ରାଜ୍ୟସଭାର ପ୍ରାତଃ ଅଧିବେଶନକୁ ଦୁଇଥର ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ଣ ଅଧିବେଶନ ଆରମ୍ଭ ସମୟରେ ଗୃହରେ ସିନେମାଟୋଗ୍ରାଫ୍ (ସଂଶୋଧନ) ବିଧେୟକ ୨୦୨୩ ଆଗତ କରାଯାଇଥିଲା। ବିଧେୟକ ଉପରେ ଆଲୋଚନା ନିମନ୍ତେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କହିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ଖଡଗେ ବିଧେୟକ ପରିବର୍ତ୍ତେ ମଣିପୁର ପ୍ରସଙ୍ଗ କହିବାକୁ ଅନୁମତି ଲୋଡିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ଖଡଗେଙ୍କ ସହିତ ସମସ୍ତ ବିରୋଧୀ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ। ଲୋକସଭାରେ ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହୋହଲ୍ଲା କରିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ ସଦସ୍ୟମାନେ ଗୃହରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ହୋହଲ୍ଲା ମଧ୍ୟରେ ଗୃହରେ ଦୁଇଟି ବିଧେୟକ ଗୃହୀତ ହୋଇଥିଲା।
ସଂସଦରେ ବିରୋଧୀଙ୍କ କଳାପୋଷାକ ପିନ୍ଧା ପ୍ରତିବାଦ ଉପରେ ବିଜେପି କଡା ପ୍ରତିକ୍ରିୟା ଦେଇଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତିଯେ ବିରୋଧୀ ସଦସ୍ୟମାନେ ନିଜର କଳାକାରନାମା ଲୁଚାଇବା ଲାଗି ଏପରି କଳା ପୋଷାକ ପିନ୍ଧିଛନ୍ତି। ବିରୋଧୀଙ୍କ ଅତୀତ କାର୍ଯ୍ୟ କଳା ଥିଲା ଏବେ ସେମାନଙ୍କର କଳା କାର୍ଯ୍ୟ ଜାରି ରହିଛି ଓ ଭବିଷ୍ୟତ କାର୍ଯ୍ୟ ମଧ୍ୟ କଳା ରହିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ କଳା ପୋଷାକ ପିନ୍ଧିବା ଦ୍ବାରା କୌଣସି ଉଦ୍ଦେଶ୍ୟ ପୂରଣ ହେବ ନାହିଁ।

prayash

‘ବିବାଦ ଉସୁକାଉଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ’
ମଣିପୁର ହିଂସାର ପ୍ରଭାବ ପଡ଼ୋଶୀ ମିଜୋରାମ୍‌ ଓ ନାଗାଲାଣ୍ଡରେ ଅନୁଭୂତ ହୋଇଛି। ମୈତେଇମାନଙ୍କୁ ମିଜୋରାମ ଛାଡ଼ିବା ପାଇଁ ସେଠାକାର କେତେକ ଆତଙ୍କବାଦୀ ସଂଗଠନ ଧମକ ଦେବା ପରେ ମୈତେଇ ସମ୍ପ୍ରଦାୟର ଲୋକେ ସେଠାରୁ ଜୀବନ ବିକଳରେ ପଳାଇ ଆସୁଛନ୍ତି। ଏଭଳି ସ୍ଥିତିରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥୋଙ୍ଗା କୁକି-ଜୋ’ ସମ୍ପ୍ରଦାୟକୁ ସମର୍ଥନ କରିବା ସହ ଆଇଜଲଠାରେ ଅନୁଷ୍ଠିତ ସେମାନଙ୍କ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ ଏହାକୁ ସମାଲୋଚନା କରିଛନ୍ତି। ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବାବେଳେ ମିଜୋରାମ ମୁଖ୍ୟମନ୍ତ୍ରୀ ହିଂସାକୁ ତେଜିବା ପରିତାପର ବିଷୟ। ଅନ୍ୟ ରାଜ୍ୟରେ ଘଟୁଥିବା ହିଂସାକାଣ୍ଡକୁ ଉସୁକାଇବା ଜଣେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ଅଶୋଭନୀୟ ଏବଂ ପ୍ରଚଳିତ ପରମ୍ପରାର ପରିପନ୍ଥୀ। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅନୁଷ୍ଠିତ କଥିତ ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ତାୱାନ୍‌ଲୁଇଆଙ୍କ ସହ କିଛି ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବା ମଧ୍ୟ ପରିତାପର ବିଷୟ ବୋଲି ବୀରେନ୍‌ କହିଛନ୍ତି। ଏ ସମ୍ପର୍କରେ ସେ ଜୋରାମଥୋଙ୍ଗାଙ୍କୁ ନିଜର ଅସନ୍ତୋଷ ଜଣାଇଥିବା କହିଛନ୍ତି। ଶୋଭାଯାତ୍ରାକାରୀ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ବୁଲାଇବା ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ ପାଇଁ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ କରିଥିଲେ। ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠା ଯାଇଥିଲା। ମିଜୋରାମରେ ମିଜୋଙ୍କ ସହିତ କୁକି, ବାଂଲାଦେଶ ଚିତ୍ତାଗଙ୍ଗ ପାର୍ବତ୍ୟାଞ୍ଚଳର କୁକି-ଚୀନ୍‌ ଓ ମ୍ୟାଁମାରର ଚୀନ୍‌ ସମ୍ପ୍ରଦାୟ ବସବାସ କରନ୍ତି। ସେମାନେ ସମ୍ମିଳିତ ଭାବେ କୁକି-ଜୋ ଭାବେ ପରିଚିତ।

Comments are closed.