ଭୁବନେଶ୍ୱର: କରୋନା ଯୋଦ୍ଧା ଅଙ୍ଗନୱାଡ଼ି କର୍ମୀ ଦିବ୍ୟାଙ୍ଗ ମମତାରାଣୀ ପଣ୍ଡା। ନିଜର ଅକ୍ଷମତାକୁ ଖାତିର ନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ସୂଚନା ସ୍ଥାନୀୟ ଅଞ୍ଚଳରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନିଜର ଅକ୍ଷମତା ପାଇଁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ରହି ଲୋକଙ୍କ ସେବା କରିବାକୁ ମମତା ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ଭିନ୍ନକ୍ଷମ କମିଶନର, ଉତ୍ତରାଞ୍ଚଳ ରାଜସ୍ବ କମିଶନକୁ ଗୁହାରି କରିଛନ୍ତି। କିନ୍ତୁ ସେମାନେ ତାଙ୍କୁ ନ୍ୟାୟ ପ୍ରଦାନ କରିନାହାନ୍ତି ବୋଲି ମମତା ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କର ଶେଷ ଭରସା ମୁଖ୍ୟମନ୍ତ୍ରୀ। ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ତାଙ୍କର ଗୁହାରି ମୁଖ୍ୟମନ୍ତ୍ରୀ ନିଶ୍ଚୟ ଶୁଣିବେ ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ମମତା।
ମମତା ଜଣେ ଚଳନ ବାଧିତ ମହିଳା। ଶୈଶବରେ ପୋଲିଓ ଆକ୍ରନ୍ତ ହେବାରୁ ପଙ୍ଗୁ ପାଲଟି ଯାଇଛନ୍ତି ଓ ସେ ତାଙ୍କର ଦୁଇଟି ଗୋଡ଼ରେ ଚାଲିବା ଶକ୍ତି ହରାଇଛନ୍ତି। ତାଙ୍କ ପିତା ଶୂଳପାଣି ପଣ୍ଡା ପରିବାରରୁ ସମ୍ପର୍କ ଛିନ୍ନ କରି ଚାଲିଯିବା ପରେ, ମା’ ତରୁଲତା ମମତାଙ୍କୁ ସାନରୁ ବଡ଼ କରି ପାଳିପୋଷି ମଣିଷ କରିଛନ୍ତି। ମମତା ଉଚ୍ଚଶିକ୍ଷିତ । ପାଟଣାଗଡ଼ ଜବାହର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୦୯ ମସିହାରୁ ଜଣେ ଅଙ୍ଗନୱାଡ଼ି କର୍ମୀ ରୂପେ କାର୍ଯ୍ୟ କରି ଆସୁଛନ୍ତି ମମତା। ବଲାଙ୍ଗୀର ଜିଲାର ଚୁଡାପାଲି (ଗ) ଅଙ୍ଗନୱାଡ଼ି କେନ୍ଦ୍ରକୁ ମମତାଙ୍କୁ ନେବା ଆଣିବା କରୁଥିଲେ ସାନଭାଇ ଅଜିତ ପଣ୍ଡା। ତେବେ ଭାଇ ଅଜିତ୍ଙ୍କ ମସ୍ତିଷ୍କରେ ଆବୁ ହେବାରୁ ୨୦୧୫ ମସିହାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ବୟସ ବଢି ଚାଲିବାରୁ ମମତାଙ୍କ ଅକ୍ଷମତା ମଧ୍ୟ ବଢିଚାଲିଲା। ୨୦୧୭ ମସିହାରେ ଚୁଡାପାଲି(ଖ) ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସବିତା ନାଗଙ୍କ ଅକାଳ ମୃତ୍ୟୁ ହେବାରୁ ମମତା ଚୁଡାପାଲି (ଗ) କେନ୍ଦ୍ର ସହିତ ୨ ବର୍ଷ ଧରି ଚୁଡ଼ାପାଲି(ଖ) କେନ୍ଦ୍ରର କର୍ମୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଲେ। ନିଜର ଅକ୍ଷମତା ସତ୍ତ୍ବେ ଗୋଟିଏ କେନ୍ଦ୍ରରୁ ଦରମା ନେଇ ଦୁଇଟି କେନ୍ଦ୍ରର ଦାୟିତ୍ବ ସମ୍ପାଦନ କରିଥିଲେ। ଚୁଡାପାଲି(ଖ) କେନ୍ଦ୍ର ମମତାଙ୍କ ଘର ପାଖରେ ଥିବାରୁ ତାଙ୍କୁ ସେଠାରେ ନିଯୁକ୍ତ କରିବା ପାଇଁ ଗାଁ ମୁଖିଆଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୁଡାପାଲି(ଖ) କେନ୍ଦ୍ରର ଖାଲିସ୍ଥାନ ପୂରଣ କରିବା ପାଇଁ ସରକାର ନିଯୁକ୍ତି ବିଜ୍ଞାପନ ପ୍ରକାଶ କଲେ। ମମତା ଆବେଦନ କଲେ ଏବଂ ଯୋଗ୍ୟତା ତାଲିକାର ଶୀର୍ଷରେ ରହିଲେ। ତା’ପରେ ତାଙ୍କୁ କୁହାଗଲା ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥିନୀ ରୋଜି ନାଗ ଚୁଡ଼ାପାଲି(ଖ) କେନ୍ଦ୍ରରେ ନିଯୁକ୍ତି ପାଇବେ କିନ୍ତୁ ସେ(ଗ) କେନ୍ଦ୍ରରେ କାମ କରିବେ। ମମତାଙ୍କ ବୟସ ଅନୁଯାୟୀ ତାଙ୍କର ଅକ୍ଷମତା ବଢି ଚାଲୁଥିବାରୁ ସେ ଚୁଡ଼ାପାଲି(ଖ) କେନ୍ଦ୍ରକୁ ଆସିବେ। ସେଥିପାଇଁ ରୋଜି ନାଗ ଲିଖିତ ଭାବରେ ନିଜର ଇଚ୍ଛା ବ୍ୟକ୍ତ କଲାପରେ ମମତା ରାଜି ହୋଇ ପୂର୍ବପରି (ଗ) କେନ୍ଦ୍ରରେ କାମ କଲେ। ଗତ ୧୧ ମେ’ ୨୦୨୦ରେ ବଲାଙ୍ଗୀର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମମତାଙ୍କୁ ଚୁଡାପାଲି(ଖ) କେନ୍ଦ୍ରରେ କାମ କରିବାକୁ ପ୍ରତିଶ୍ରୁତି ଦେଇ ତା’ର ଠିକ୍ ମାସେ ୩ ଦିନ ପରେ ଜୁନ ୧୧ ରେ ନିଜର ଆଦେଶ ପ୍ରତ୍ୟାହାର କରିନେଲେ। ଫଳରେ ମମତା ତାଙ୍କ ଘର ଠାରୁ ୨.୫ କି.ମି. ଦୂର(ଗ) କେନ୍ଦ୍ରକୁ ପୁଣି ଯାଇ କାମ କରିବାକୁ ବାଧ୍ୟ ହେଉଛନ୍ତି। ମମତା ନିଜ ଦୁଃଖ ରାଜ୍ୟ ଭିନ୍ନକ୍ଷମ କମିଶନର, ଉତ୍ତରାଞ୍ଚଳ ରାଜସ୍ବ କମିଶନ ଓ ବଲାଙ୍ଗୀର ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତାହା ସେମାନଙ୍କ ନିକଟରେ କୁମ୍ଭୀର କାନ୍ଦଣା ସଦୃଶ ପାଲଟିଛି। ଏବେ ନ୍ୟାୟ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦୁଃଖ ଦୂର କରି ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ମମତା।




