www.samajalive.in
Tuesday, November 18, 2025
16.1 C
Bhubaneswar

କମିଛି ବର୍ଷା , କମିନି ଦୁର୍ଦ୍ଦଶା: ଆଜି ପାଇଁ ମାଲକାନଗିରି ଓ ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଗତ ଦୁଇଦିନ ହେଲା ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି ଓ ରାସ୍ତାଘାଟ ଧୋଇଯାଇଛି। ସେହିପରି ଅଧିକାଂଶ ପୋଲ ଉପରେ ପାଣି ଚାଲୁଥିବାବେଳେ କୋରାପୁଟ ସହିତ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୋଡ଼ାମ୍ବ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ପଶି ଔଷଧ ପତ୍ର ନଷ୍ଟ ହୋଇଯାଇଥିବାବେଳେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବାବେଳେ ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। ବର୍ଷା ଜନିତ ସମସ୍ୟାର ସମାଧାନ ପାଇଁ ଏସ୍‌ଆର୍‌ସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ କହିଛନ୍ତି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲାପାଳଙ୍କୁ ପ୍ରାକ୍‌ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଲକାନଗିରି ଜିଲାରେ ସ୍ଥିତି ଜଟିଳ ହୋଇଥିବାରୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ମୀଣାଙ୍କୁ ମାଲକାନଗିରି ପଠାଯାଇଛି। ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି। ରନ୍ଧା ଖାଦ୍ୟ ବଦଳରେ ଶିଶୁଙ୍କ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯିବ। କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ସୁପରଭାଇଜର, ସିଡ଼ିପିଓ କିମ୍ବା ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଛି। ମାଲକାନଗିରି ଓ କାଲିମେଳା ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଜିଲାର ସବୁ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ୮ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୋରାପୁଟ ଜିଲାର ୬ ବ୍ଲକ ଜୟପୁର, ବୈପାରୀଗୁଡ଼, କୁନ୍ଦ୍ରା, ବୋରିଗୁମ୍ମା, ସେମିଳିଗୁଡ଼ା ଓ କୋରାପୁଟ ପ୍ରଭାବିତ ହୋଇଥିବାବେଳେ ୩୬ ଗାଁ, ୭୫୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ମୋଟ ୬ଟି ରିଲିଫ କ୍ୟାମ୍ପରେ ରଖାଯାଇଛି। ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି। ଗାଁଗୁଡ଼ିକରେ ମଧ୍ୟ ୫ଫୁଟ ଉପରେ ପାଣି ଚାଲିଛି। ଜୟପୁର ଓ ଅନ୍ୟାନ ଅଞ୍ଚଳକୁ ଯାନବାହାନ ଚଲାଚଳ ବନ୍ଦ ରହିଛି। ଚାଲାଣଗୁଡ଼ା ପଞ୍ଚାୟତ ତମସା ନଦୀର ପୋଲ ଓ ବାଙ୍କିଗୁଡା ପୋଲ ବୁଡି ଯାଇଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼଼ର ସୁକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ସେହିପରି କାଲିମେଳାରୁ ମୋଟୁକୁ ଓ ମାଲକାନଗିରିରୁ କୋରାପୁଟ ଜିଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଯୋଗୁ ଦୁଇ ଜିଲାକୁ ଯାତାୟାତ ସମ୍ଭବ ହୋଇପାରୁନି। ଜିଲାର ପ୍ରବେଶ ପଥ ପାଙ୍ଗମ,ଏମଭି- ୭, ପୋଟେରୁ, ଏମଭି-୯୦, କନ୍ୟା ଆଶ୍ରମ, କାଙ୍କୋରକୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ। କୋଲାବ ନଦୀ ଫୁଲୁଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି। ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ପାଣି ପଶି ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି। କୋରାପୁଟ ଜିଲାର କୁରଲୁ ଓ ବିରି ନଦୀ ଫୁଲୁଛି। କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଉପର ମୁଣ୍ଡରେ ଥିବା ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବର୍ଷାଜଳ ପାତାଳି ଓ ମାଛକୁଣ୍ଡ ନଦୀ ଦେଇ ପ୍ରବାହିତ ହୋଇ ଜୋଲାପୁଟ ଜଳଭଣ୍ଡାରକୁ ଫୁଲେଇବାରେ ଲାଗିଛି। ଜଳଭଣ୍ଡାର ଜଳଧାରଣ କ୍ଷମତା ବିପଦସଙ୍କେତ ପାର କରିବା ପରେ ଜଳଭଣ୍ଡାର କର୍ତ୍ତୃପକ୍ଷ ୭ଗୋଟି ଫାଟକ ଖୋଲି ସେକେଣ୍ଡ ପିଛା ୪୫ ହଜାର କ୍ୟୁସେକ ଜଳ ନିଷ୍କାସନ କରୁଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିନେଇ ଜିଲାୱାରୀ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂ। ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍‌‌ ଟିମ୍‌‌ ମୁତୟନ କରାଯାଇଛି।

 

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories