ମାଲକାନଗିରି : ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସି ରହିଥିଲେ ଯୁବକ। ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଏହି ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା। ଶେଷରେ ହେଲିକପ୍ଟର ଯୋଗେ ଯୁବକକୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଢିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚି ଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡା ହୋଇ ରହିଥିଲେ। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଚେଷ୍ଟା କରାଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।



