ପୋଲାଭରମ ଯୋଗୁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି: ବିଜେଡି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଇଁ ପୋଲାଭରମ ପ୍ରକଳ୍ପକୁ ଦାୟୀ କରିଛି ବିଜେଡି। ସେହିପରି ବନ୍ୟାକୁ ଠିକ ଭାବରେ ନିୟନ୍ତ୍ରଣ କରିବା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବାରେ ସରକାର ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି। ସ୍ଥାନୀୟ ଏକ ହୋଟେଲରେ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

prayash

ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ପ୍ରଦୀପ କହିଥିଲେ ଯେ, ବନ୍ୟା ପରିସ୍ଥିତି ସମ୍ପର୍କରେ ଲୋକମାନଙ୍କୁ ସତର୍କ କରାଯାଇ ନ ଥିଲା। ସରକାର ପୂର୍ବରୁ ଠିକ ଭାବରେ ପଦକ୍ଷେପ ନେଇନାହାନ୍ତି। ଅତ୍ୟଧିକ ବୃଷ୍ଟିପାତ ବିଷୟରେ ସରକାର ଅବଗତ ଥାଇ ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ୟା ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ଅବଗତ କରାଇ ନ ଥିଲେ। ପୂର୍ବରୁ ଓଡ୍ରାଫ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ସେସବୁ ଅଞ୍ଚଳରେ ମୁତୟନ କରି ନ ଥିଲେ। ଫଳରେ ଲୋକମାନେ ଦୀର୍ଘ ସମୟ ଧରି ବିଭିନ୍ନ ଅଞ୍ଚଳରେ ଫସିରହି ବହୁ କଷ୍ଟ ଭୋଗିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ବନ୍ୟା ପରେ ମଧ୍ୟ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀମାନେ ପହଞ୍ଚି ନାହାନ୍ତି। ବହୁ କ୍ଷତିଗ୍ରସ୍ତ ଲୋକ ସରକାରଙ୍କଠାରୁ କୌଣସି ସାହାଯ୍ୟ ଏବଂ କ୍ଷତିପୂରଣ ମଧ୍ୟ ପାଇନାହାନ୍ତି। ବନ୍ୟା ପାଇଁ ପୋଲାଭରମ ପ୍ରକଳ୍ପକୁ ଦାୟୀ କରି ଏହାର ସମାଧାନ ଲାଗି ଅତିଶୀଘ୍ର ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଥିବା ପାଣି ଅଟକାଇବା ପାଇଁ ଆଡ଼ିବନ୍ଧ ନିର୍ମାଣ କରିବାକୁ ପୂର୍ବତନ ସାଂସଦ ମାଝୀ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିଥିବା ପୋଲାଭରମ ପ୍ରକଳ୍ପ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶର ନୂଆ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇ ପୁଣି ଆଗାମୀ ଦୁଇ ମାସ ଭିତରେ ଆରମ୍ଭ ହେବାକୁ ଯାଉଛି। ତେଣୁ ଏହି ପ୍ରକଳ୍ପ ଦ୍ଵାରା ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ପ୍ରଭାବିତ ହେବା ନିଶ୍ଚିତ। ଏଣୁ ବନ୍ଧର ଉଚ୍ଚତା ୧୫୦ ଫୁଟ ରଖିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କାମ ହେଉ। ବର୍ତ୍ତମାନର ମୋହନ ମାଝୀ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ବିଜୁ ଜନତା ଦଳ ତରଫରୁ ମାଲକାନଗିରି, ଭୁବନେଶ୍ୱର ଏବଂ ଦିଲ୍ଲୀରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.