ମାଳଦ୍ୱୀପର ମନ୍ତ୍ରୀ ମୋଦୀଙ୍କୁ କଲେ ସମାଲୋଚନା- ସୋସିଆଲ୍‌ ମଡିଆରେ ଟ୍ରେଣ୍ଡ କରୁଛି #ବୟକଟ୍‌ମାଲ୍‌ଡେଭିସ୍‌

ନୂଆଦିଲ୍ଲୀ : କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଯାତ୍ରା କରିଥିଲେ। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାକାର କିଛି ମନୋରମ ଦୃଶ୍ୟ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। କିଛି ଲୋକ ଲାକ୍ଷାଦ୍ବୀପକୁ ମାଳଦ୍ବୀପ ସହ ତୁଳନା କରିଥିଲେ। ଏହାକୁ କିନ୍ତୁ ହଜମ କରିପାରି ନ ଥିଲେ ମାଳଦ୍ବୀପ ମନ୍ତ୍ରୀ ା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏମାନେ ସମାଲୋଚନା କରିଥିଲେ। ଏହାକୁ ସହ୍ୟ କରିପାରି ନଥିଲେ ଭାରତୀୟ କଳାକାର ା ଏହି କଳାମାରମାନେ ହିଁ ଅଧିକାଂଶ ସମୟରେ ମାଳଦ୍ବୀପକୁ ଫିଲ୍ମ ସୁଟିଂ ପାଇଁ ଯାଇଥା’ନ୍ତି। ଏବେ ଏମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିବା ସହ ମାଳଦ୍ବୀପ ପରିବ​‌େ​‌ର୍ତ୍ତ ଲାକ୍ଷାଦ୍ବୀପ ଯିବାକୁ ପର୍ଯ୍ୟଟକଙ୍କୁ ଆହ୍ବାନ ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ବୀପ ଗସ୍ତରେ ଯାଇ ସେଠାକାର ସମୁଦ୍ର ବେଳାଭୂମି ପର୍ଯ୍ୟଟନର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେଇଥିଲେ। ମୋଦୀଙ୍କ ଏପରି ପଦକ୍ଷେପରେ ମାଳଦ୍ବୀପର ମନ୍ତ୍ରୀ ଓ ଜନ ପ୍ରତିନିଧିମାନେ ଅସହିଷ୍ଣୁ ହୋଇ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ଜଣ ମନ୍ତ୍ରୀଙ୍କୁ ସରକାର ସେମାନଙ୍କ ପଦରୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ମନ୍ତ୍ରୀମାନେ​‌ ହେଲେ ମାଲସା ସରିଫ, ମାରିୟମ୍ ସିୟୁନା ଓ ଅବଦୁଲ୍ଲା ମାଝୁମ୍ ମାଜିଦ୍। ସୁନିଆ ତାଙ୍କ ସୋସିଆଲ ମିଡିଆ ଏକ୍ସର ଆକାଉଣ୍ଟରେ ମୋଦୀଙ୍କୁ ଜଣେ ଜୋକର ଓ କଣ୍ଢେଇ ବୋଲି ଉଲ୍ଲେଖ କରିଥିଲେ। ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତର ଫଟୋ ସହିତ ସୁନିଆ ଏପରି ଲେଖି ପୋଷ୍ଟ କରିଥିଲେ। ଯାହାକୁ ଏବେ ସାମାଜିକ ଗଣମାଧ୍ୟମରୁ ଡିଲିଟ୍ କରିଦିଆଯାଇଛି। ସେହିପରି ଅବଦୁଲ୍ଲା ମାଝୁମ ଏକ ପୋଷ୍ଟରେ ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ସମାଲୋଚନା କରିଥିଲେ। ମାଝୁମ ଲେଖିଥିଲେ ଯେ ସମୁଦ୍ର ବେଳାଭୂମି ପର୍ଯ୍ୟଟନରେ ଭାରତ କେବେହେଲେ ମାଳଦ୍ବୀପ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବ ନାହିଁ। ମାଳଦ୍ବୀପର ରିସଟ୍‌ ଭିତ୍ତିଭୂମି ଭାରତ ଠାରୁ ବହୁତ ଉନ୍ନତ। ଭାରତର ପର୍ଯ୍ୟଟନ ଶିଳ୍ପର ବିକାଶ ମାଳଦ୍ବୀପ
ଆଶା କରୁଛି। ମାତ୍ର ଏହି ବିକାଶ ପାଇଁ ମାଳଦ୍ବୀପ ସହିତ କୂଟନୀତି କରିବା ଠିକ୍ ନୁହେଁ। ଏହି ତିନି ମନ୍ତ୍ରୀଙ୍କ ସହିତ ମାଳଦ୍ବୀପର ସାଂସଦ ଜାହିଦ୍ ରମିଜ ମଧ୍ୟ ମୋଦୀଙ୍କୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟପଟେ ମାଳଦ୍ବୀପ ସରକାର ମୋଦୀ ବିରୋଧୀ ମନ୍ତବ୍ୟକୁ ଅଗ୍ରାହ୍ୟ କରିଛନ୍ତି। ମାଳଦ୍ବୀପ ସରକାର କହିଛନ୍ତି ଯେ ମନ୍ତ୍ରୀ ଓ ସାଂସଦମାନେ ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସରକାରୀ ମନ୍ତବ୍ୟକୁ ପ୍ରତିନିଧିତ୍ବ କରୁ ନାହିଁ, ବରଂ ଏହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ। ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ ମାରିୟମ ସିୟୁନାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ସରକାର ମାଳଦ୍ବୀପ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇଛନ୍ତି। ମାଳଦ୍ବୀପସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମିଉଜଙ୍କ ନେତୃତ୍ବ ସରକାରଙ୍କ ନିକଟରେ ପ୍ରତିବାଦ କରିଛନ୍ତି। ମାତ୍ର ମାଳଦ୍ବୀପ ସରକାର ନିଜ ମନ୍ତ୍ରୀମାନଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି। ବିବାଦ ପରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି ମାଳଦ୍ୱୀପ ସରକାର। ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ସେମାନଙ୍କ ପାଇଁ ମହଙ୍ଗା ପଡିଛି। ମନ୍ତ୍ରୀ ମାରିୟମ ସିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ୱୀପର ଫଟୋ ପୋଷ୍ଟ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଭାରତକୁ ସମାଲୋଚନା କରିଥିଲେ। ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମାରିୟମ ସିୟୁନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋକର ଏବଂ କଣ୍ଢେଇ ବୋଲି କହିଥିଲେ। ଏଥିସହ ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯାଉଥିବାରୁ ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ସେ ହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ମଧ୍ୟ ବିବାଦ ଘନେଇ ଥିଲା। ଏହି ବିବାଦ ପରେ ମାଳଦ୍ୱୀପକୁ ସର୍ବାଧିକ ଭ୍ରମଣ କରୁଥିବା ବଲିଉଡ କଳାକାରମାନେ ମଧ୍ୟ ସ୍ୱର ଉଠାଇଥିଲେ। ସେମାନେ ଲାକ୍ଷାଦ୍ୱୀପକୁ ପ୍ରଶଂସା କରିଥିଲେ। କେତେକ କଳାକାର ପ୍ରଧାନମନ୍ତ୍ରୀଙ୍କର ଲାକ୍ଷାଦ୍ୱୀପ ଭ୍ରମଣକୁ ନେଇ ଭାରତୀୟ ପର୍ଯ୍ୟଟନ ସ୍ଥଳର ପ୍ରଚାର କରିଥିବାବେଳେ କିଛି କଳାକାର ମାଳଦ୍ୱୀପର ଏଭଳି ମନ୍ତବ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ-ମାଳଦ୍ବୀପ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏପରିସ୍ଥିତିରେ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପକୁ ବର୍ଜନ କରିବା ଲାଗି ଭାରତୀୟ ବଲିଉଡ କଳାକାର ଓ କ୍ରୀଡା ତାରକାମାନେ ଘୋଷଣା କରିଛନ୍ତି। ବଲିଉଡ କଳାକାର ଅକ୍ଷୟ କୁମାର, ସଲମାନ ଖାଁ, ଜନ ଆବ୍ରାହମ୍, ଶ୍ରଦ୍ଧା କପୁର, କଙ୍ଗନା ରଣାୱତ ପ୍ରମୁଖ ମାଳଦ୍ବୀପକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ସେହିପରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ୟ କ୍ରୀଡା ତାରକାମାନେ ମାଳଦ୍ବୀପକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ମାଳଦ୍ବୀପ ମନ୍ତ୍ରୀ ଓ ନେତାମାନେ ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଅକ୍ଷୟ କୁମାର ନିନ୍ଦା କରିବା ସହିତ ଏହାକୁ ଘୃଣା ସୃଷ୍ଟି ବୋଲି କହିଛନ୍ତି। ସେ କହିଛନ୍ତି ଯେ ମାଳଦ୍ବୀପକୁ ସର୍ବାଧିକ ପର୍ଯ୍ୟଟକ ଭାରତରୁ ହିଁ ଯାଇଥାନ୍ତି। ଭାରତୀୟ ପର୍ଯ୍ୟଟକମାନେ ଏବେ ମାଳଦ୍ବୀପକୁ ବର୍ଜନ କରିବା ଦରକାର। ଏପରିକି ସେ ଆଗାମୀ ଦିନରେ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପକୁ ବର୍ଜନ କରିବା ସହିତ ଭାରତୀୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ଦିଗରେ ସହଯୋଗ କରିବେ ବୋଲି ଅକ୍ଷୟ କୁମାର କହିଛନ୍ତି। ସଲମାନ ଖଁା କହିଛନ୍ତି ଯେ ଲାକ୍ଷାଦ୍ବୀପର ସୁନ୍ଦର, ମନୋରମ ସମୁଦ୍ର ବେଳାଭୂମିରେ ଆମର ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଆମ ପାଇଁ ଆନନ୍ଦ ଦାୟକ। ସବୁଠାରୁ ବଡ କଥା ହେଉଛି ଏପରି ମନୋରମ ବେଳାଭୂମି ଆମ ଦେଶରେ ରହିଛି। ସେହିପରି କଙ୍ଗନା ରଣାୱତ, ଶ୍ରଦ୍ଧା କପୁର ମଧ୍ୟ ମାଳଦ୍ବୀପ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି। କ୍ରିକେଟର ସଚିନ ତେନ୍ଦୁଲକର ସମୁଦ୍ର ବେଳାଭୂମିରେ କ୍ରିକେଟ ଖେଳୁଥିବାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଭାରତରେ ମଧ୍ୟ ଏପରି ସୁନ୍ଦର ବେଳାଭୂମି ଓ ଦ୍ବୀପ ରହିଛି। ଆମର ଦର୍ଶନ ହେଉଛି ‘ଅତିଥି ଦେବ ଭବ’। ଏହି ଦର୍ଶନକୁ ଆଧାର କରି ଆମେ ଆମ ପର୍ଯ୍ୟଟନ ଶିଳ୍ପର ବିକାଶ କରିବା ଦରକାର।
ସୂଚନାଯୋଗ୍ୟ ଜାନୁଆରୀ ୪ ତାରିଖରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ଏହି ଗସ୍ତ ପରେ ଏବେ କେନ୍ଦ୍ର ଶାସିତ ପ୍ରଦେଶର ପର୍ଯ୍ୟଟନରେ ନୂଆ ଡେଣା ଲାଗିଛି। ଗତ ତିନି ଦିନରେ ତାଙ୍କ ନିକଟକୁ ଲାକ୍ଷାଦ୍ୱୀପକୁ ନେଇ ଯେତିକି ବୁକିଂ ଆସିଛି, ତାହା ଆଜି ଯାଏ କେବେ ହୋଇ ନଥିଲା। ଅନୁମାନ ଅନୁସାରେ ଆଗମୀ ତିନି ମାସ ପାଇଁ ଅନେକ ଲୋକ ଲାକ୍ଷାଦ୍ୱୀପ ଯିବା ପାଇଁ ବୁକିଂ କରିସାରିଛନ୍ତି। ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବିଭାଗ ନିଜ ରାଜ୍ୟକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାରେ ଲାଗିପଡ଼ିଛି। ତେବେ ଲାକ୍ଷାଦ୍ୱୀପ ଏବେ ବି ଆକାଶମାର୍ଗରୁ କେବଳ କେରଳ ସହ ହିଁ ଯୋଡ଼ି ହୋଇଛି। ଏହି କାରଣରୁ ଏଠାରେ ପର୍ଯ୍ୟଟକଙ୍କ ଉପସ୍ଥିତି ସେତେ ଅଧିକ ହୋଇପାରି ନାହିଁ। ପ୍ରମୁଖ ରାଜ୍ୟରୁ ଲାକ୍ଷାଦ୍ୱୀପକୁ ସିଧା ଉଡାଣ ହେଲେ ସେଠାକାର ପର୍ଯ୍ୟଟନ ବଢିବ। ଅଲ୍ ଇଣ୍ଡିଆ ଟୁର୍ ଆଣ୍ଡ ଟ୍ରାଭେଲ୍ ଅପରେଟର୍ ଆସୋସିଏସନ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ମୋଦୀଙ୍କ ଗସ୍ତ ପରେ ଗତ ତିନି ଦିନରେ ତାଙ୍କ ନିକଟକୁ ଲାକ୍ଷାଦ୍ୱୀପକୁ ନେଇ ସବୁଠୁ ଅଧିକ ଫୋନ ଆସିଛି। ଦେଶର ବିଭିନ୍ନ ସ୍ଥାନରେ ଟୁର୍ ଅପରେଟର୍ସ ମଧ୍ୟ ଫୋନ କରି ଲାକ୍ଷାଦ୍ୱୀପ ଉପରେ ସୂଚନା ନେଉଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହ ଜଡିତ ଅପରେଟସଙ୍କ ନିକଟରେ ସାରା ଦେଶରୁ ପ୍ରାୟ ୭୦୦୦ରୁ ଅଧିକ ବୁକିଂ କେବଳ ଲାକ୍ଷାଦ୍ୱୀପ ପାଇଁ ହୋଇଛି। ଯେ ଲାକ୍ଷାଦ୍ୱୀପରେ ବିନା ପରମିଟରେ ଲୋକଙ୍କ ପ୍ରବେଶ ପ୍ରତିବନ୍ଧିତ। ଏଠାକୁ ଯିବା ପାଇଁ ସ୍ୱତନ୍ତ୍ର ଅନୁମତିପତ୍ରର ଦରକାର ପଡ଼ିଥାଏ । ଏହି କାରଣରୁ ସାଧାରଣ ପର୍ଯ୍ୟଟକ ଲାକ୍ଷାଦ୍ୱୀପ ଯିବାକୁ ଅମଙ୍ଗ ହୋଇଥାନ୍ତି।

Comments are closed.