ମେଜର ଆଦିତ୍ୟଙ୍କ ବିରୋଧରେ ତଦନ୍ତ ବନ୍ଦ

0

ନୂଆଦିଲ୍ଲୀ : ସୋପିଆନ୍‌ ଗୁଳିକାଣ୍ଡ ମାମଲାରେ ମେଜର ଆଦିତ୍ୟ କୁମାରଙ୍କ ବିରୋଧରେ ରହିଥିବା ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ଏହି ଗୁଳିକାଣ୍ଡକୁ ନେଇ ଥାନାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ମେଜର ଆଦିତ୍ୟଙ୍କ ନାମ ନାହିଁ ବୋଲି ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ କୁହାଯାଇଛି। ଏପ୍ରିଲ ୨୪ରେ ଏହାର ଚୂଡାନ୍ତ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‌. ଖାନ୍‌ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ସେ ପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତକୁ ଖଣ୍ଡପୀଠ ସ୍ଥଗିତ ରଖିଛନ୍ତି। ଏଫ୍‌ଆଇଆର୍‌ରେ କୌଣସି ସାଧାରଣ ଲୋକ ନୁହେଁ; ବରଂ ଜଣେ ସେନା ଅଧିକାରୀଙ୍କୁ ସମ୍ପୃକ୍ତ କରାଯାଇଛି ବୋଲି ଖଣ୍ଡପୀଠ କହିଥିଲେ। କିନ୍ତୁ ତଦନ୍ତ ଉପରେ ସ୍ଥଗିତା ଦେଶକୁ ବିରୋଧ କରି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ, ମେଜର ଆଦିତ୍ୟ ଜଣେ ସେନା ଅଧିକାରୀ, ତାହାର ଅର୍ଥ ନୁହେଁ ଯେ କୌଣସି ଲୋକଙ୍କୁ ଗୁଳି କରି ହତ୍ୟା କରିବାର ଅଧିକାର ତାଙ୍କୁ ମିଳିଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରର ଅନୁମତି ନ ନେଇ ରାଜ୍ୟ ସରକାର ମେଜର କୁମାରଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ବଢାଯାଇଥିଲା। ଜାମ୍ମୁ କାଶ୍ମୀର ସରକାର ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଯେ ମେଜରଙ୍କ ନାମ ଏଫ୍‌ଆଇଆର୍‌ରେ ଉଲ୍ଲେଖ ନାହିଁ। ତେବେ ଏକ ଅଭିଯୋଗର ତଦନ୍ତ ଲାଗି କେନ୍ଦ୍ରର ଅନୁମତିର ଆବଶ୍ୟକତା ନାହିଁ। କେବଳ ଅଭିଯୋଗ ଫର୍ଦ ଦାଖଲ ବେଳେ କେନ୍ଦ୍ରର ଅନୁମତି ଲୋଡା ବୋଲି ରାଜ୍ୟ ସରକାର କହିଥିଲେ।
ଜାନୁଆରୀ ୨୭ରେ ସୋପିଆନ୍‌ର ଗନାଉପୁରଠାରେ ୩ ଜଣ ନାଗରିକ ସେନାଗୁଳିରେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଗରୱାଲ ରାଇଫଲ୍ସ ୟୁନିଟର ୧୦ ଜଣଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାଏର କରାଯାଇଥିଲା। ମେଜର ଆଦିତ୍ୟଙ୍କ ବିରୋଧରେ ରହିଥିବା ଏହି ଏଫ୍‌ଆଇଆର୍‌କୁ ରଦ୍ଦ କରିବା ଲାଗି ତାଙ୍କ ପିତା ଲେପ୍ଟନାଣ୍ଟ କର୍ଣ୍ଣେଲ କରମବୀର ସିଂହ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଥିଲେ। ମେଜର କେବଳ ତାଙ୍କ ଦାୟିତ୍ୱ ନିର୍ବାହ କରୁଥିଲେ। କିନ୍ତୁ ତ୍ରୁଟିପୂର୍ଣ୍ଣ ଭାବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି ବୋଲି କରମବୀର ତାଙ୍କ ଆବେଦନରେ ଦର୍ଶାଇଥିଲେ। ଫେବୃଆରୀ ୧୨ରେ ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମେଜର ଆଦିତ୍ୟଙ୍କ ବିରୋଧରେ ତଦନ୍ତ ଉପରେ ସ୍ଥଗିତାଦେଶ ଦେଇଥିଲେ। ପୁଲିସ ମେଜରଙ୍କୁ ଜେରା ନିମନ୍ତେ ସମନ ପଠାଇ ପାରିବ ନାହିଁ ବୋଲି ମଧ୍ୟ କୋର୍ଟ ନିର୍ଦେଶ ଦେଇଥିଲେ।

Leave A Reply