ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ଫଳଚାରା ବଣ୍ଟନ
ତିଗିରିଆ : ତିଗିରିଆ ବ୍ଲକର ୬ଗୋଟି ପଞ୍ଚାୟତର ଜୱାଦ କ୍ଷତିଗ୍ରସ୍ତ ମହିଳାଚାଷୀଙ୍କୁ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଶୁକ୍ରବାର ମାଗଣାରେ ବିଭିନ୍ନ ଫଳଗଛ ଚାରା ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନରଞ୍ଜନ ରାଉତ, ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଗାୟତ୍ରୀ ବଢ଼େଇ ଓ ପବିତ୍ର କୁମାର ବାରିକ, ମନ୍ତ୍ରୀଙ୍କ ପ୍ରତିନିଧି ଗୌରହରି ପରିଡ଼ା, ଦୁଇ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍ ପ୍ରମୁଖ ଏହି ଫଳଚାରା ବଣ୍ଟନ କରିଛନ୍ତି । ବ୍ଲକର ଗଦାଧରପୁର, ବିନ୍ଧାଣିମା. ଜେମାଦେଇପୁର, ପୁରୁଣା ତିଗିରିଆ, ପାଞ୍ଚଗାଁ ଓ ସୋମପଡ଼ା ପଞ୍ଚାୟତରେ ଏହି ଫଳଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ୮ଗୋଟି ପଞ୍ଚାୟତରେ ସମୁଦାୟ ୩୯୨ଜଣ ମହିଳା ଚାଷୀଙ୍କୁ ଏହି ଫଳଚାରା ବଣ୍ଟନ କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ଆସନ୍ତାକାଲି ଆଉ ଦୁଇଟି ପଞ୍ଚାୟତ ବଡ଼ନାଉପୁଟ ଏବଂ ହାଟମାଳରେ ଏହି ଫଳଚାରା ବଣ୍ଟନ କରାଯିବ ବୋଲି ଆତ୍ମା ଅଧ୍ୟକ୍ଷ ଶ୍ରୀ ଦଳେଇ କହିଛନ୍ତି । ପ୍ରତ୍ୟେକଙ୍କୁ ୬ ଗୋଟିଏ ଲେଖାଏଁ ଯଥା ଆମ୍ବ, ପଣସ ଓ ଲେମ୍ବୁ ଫଳ ଚାରା ବଣ୍ଟନ କରାଯାଇଥିବା ଜଣାପଡ଼ିଛି।
Comments are closed.