www.samajalive.in
Monday, December 8, 2025
27.1 C
Bhubaneswar

ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନର ପ୍ରାସଙ୍ଗିକତା

ଶହେରୁ ଊର୍ଦ୍ଧ୍ବ ବର୍ଷ ବିତିଯିବ। ରକ୍ତ ମାଂସର ଶରୀର ଧାରଣ କରି ଏମିତି ଜଣେ ମଣିଷ ଧରାପୃଷ୍ଠରେ ଜନ୍ମ ନେଇଥିଲା ବୋଲି ଲୋକେ ସହଜରେ ବିଶ୍ୱାସ କରି ପାରିବେନି। ଏହା ଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କର ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ସୁମନ। ଏହା ଭିତରେ ଗାନ୍ଧୀଙ୍କ ଜନ୍ମର ଦେଢ଼ଶହ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ସ୍ୱତନ୍ତ୍ରତା ସଂଗ୍ରାମର କର୍ଣ୍ଣଧାର, ସତ୍ୟ ଓ ଅହିଂସାର ପୂଜାରୀ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ କେବେ ଆମେ ପାଇଛୁ ସର୍ବୋଦୟ ଆନ୍ଦୋଳନର ସୂତ୍ରଧର ଭାବରେ ତ ଆଉ କେବେ ପ୍ରାକୃତିକ ଚିକିତ୍ସକ, ପୁଣି କେବେ ଶିକ୍ଷା ଦର୍ଶନର ଉଳ ଜ୍ୟୋତିଷ୍କ ରୂପରେ।
ବାଳକ ଓ ବୟସ୍କଙ୍କ ଭିତରେ ଥିବା ଶରୀର, ମନ ତଥା ଆତ୍ମାର ସର୍ବୋତ୍କୃଷ୍ଟ ବିକାଶ ହିଁ ଶିକ୍ଷା। ଶିକ୍ଷା କେବଳ ଏକ ମାନସିକ ପ୍ରକ୍ରିୟା ନୁହେଁ। ଗାନ୍ଧୀଙ୍କ ମତରେ ମଣିଷ କେବଳ ବୁଦ୍ଧିସର୍ବସ୍ୱ ନୁହେଁ, ପଶୁର ଶରୀରରେ ଆବଦ୍ଧ ନୁହେଁ ବା ଆତ୍ମକୈନ୍ଦ୍ରିକ ମଧ୍ୟ ନୁହେଁ ବରଂ ଏହି ତିନୋଟିର ଏକ ମଧୁର ସମନ୍ୱୟ ହିଁ ମନୁଷ୍ୟକୁ ପୂର୍ଣ୍ଣ ମାନବ କରିଥାଏ। ଗାନ୍ଧିଜୀଙ୍କ ଏହି ଶିକ୍ଷା ଦର୍ଶନ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାର ଜ୍ଞାନାତ୍ମକ, ଭାବାତ୍ମକ ତଥା କ୍ରିୟାତ୍ମକ ପକ୍ଷର ବିକାଶରେ ପ୍ରତିଫଳିତ ହୋଇଥାଏ। ଶିକ୍ଷା ଯଦି ମନୁଷ୍ୟକୁ ଆତ୍ମିକ ଆନନ୍ଦ ଦେବାରେ ସଫଳ ନହେଲା ତେବେ ତାହା ମୂଲ୍ୟହୀନ। ଗାନ୍ଧିଜୀଙ୍କ ମତରେ ସାକ୍ଷରତା ଶିକ୍ଷା ନୁହେଁ। ଏହା ଶିକ୍ଷାର ଅନ୍ତିମ ପର୍ଯ୍ୟାୟ ବା ଶିକ୍ଷାର ପ୍ରାରମ୍ଭ ମଧ୍ୟ ନୁହେଁ। ସାକ୍ଷରତା ଏକ ସାଧନ ଯାହା ମାଧ୍ୟମରେ ପୁରୁଷ ଏବଂ ମହିଳା ଶିକ୍ଷିତ ହୋଇପାରିବେ। ଆଜି ଏକବିଂଶ ଶତାବ୍ଦୀର ଦ୍ୱାରଦେଶରେ ଛିଡ଼ା ହୋଇ ଆମେ ଯେତେବେଳେ ବର୍ଦ୍ଧିତ ସାକ୍ଷରତା ହାରକୁ ଦେଖି ଖୁସି ହେଉଛେ ଅଥଚ ନ୍ୟୂନତମ ଶିକ୍ଷାର ସ୍ତର ହାସଲ କରି ପାରିନପାରି କ୍ଷୋଭ ପ୍ରକାଶ କରୁଛେ, ସେତେବେଳେ ଗାନ୍ଧୀଙ୍କ ସାକ୍ଷରତା ସମ୍ବନ୍ଧରେ ବିଚାର ବେଶ ସମୟୋପଯୋଗୀ ମନେହୁଏ।
ଯେଉଁ ଶିକ୍ଷା ମନୁଷ୍ୟକୁ ସ୍ୱାବଲମ୍ବୀ କରିବାରେ ଅସମର୍ଥ ହୁଏ ତାହା ପ୍ରକୃତ ଶିକ୍ଷା ନୁହେଁ – ଏହା ଥିଲା ଗାନ୍ଧୀଙ୍କ ଶିକ୍ଷା ଦର୍ଶନର ଅନ୍ୟତମ ଦିଗ। ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀକୁ ରୋଜଗାରକ୍ଷମ କରିବା ପାଇଁ ‘ନୟୀ ତାଲିମ’ର କଳ୍ପନା କରିଥିଲେ ଗାନ୍ଧୀ। ତାଙ୍କର ମୌଳିକ ଶିକ୍ଷାନୀତି ଅନୁଯାୟୀ ବିଦ୍ୟାଳୟର ସମସ୍ତ ବିଷୟ କୌଣସି ନା କୌଣସି ହସ୍ତଶିଳ୍ପକୁ ଆଧାର କରି ପଢ଼ାଯାଇପାରିବ। ଶିକ୍ଷାର ଅୟମାରମ୍ଭ ଏକ ଆବଶ୍ୟକୀୟ ଏବଂ ଉତ୍ପାଦନକ୍ଷମ ହସ୍ତଶିଳ୍ପ ମାଧ୍ୟମରେ ହେବା ଉଚିତ। ଏହି ହସ୍ତଶିଳ୍ପ ମାଧ୍ୟମରେ ମନ ଏବଂ ଆତ୍ମାର ସର୍ବଶ୍ରେଷ୍ଠ ବିକାଶ ସମ୍ଭବ। ପ୍ରସ୍ତୁତ ହସ୍ତଶିଳ୍ପର ବିକ୍ରିଲବ୍ଧ ଅର୍ଥରୁ ଶିକ୍ଷକର ବେତନ ମିଳିବା ସହ ବିଦ୍ୟାଳୟର ଖର୍ଚ୍ଚ ବି ଭରଣା ହୋଇପାରିବ। ବିଭିନ୍ନ ହସ୍ତଶିଳ୍ପ ଯଥା – ସିଲେଇ, ବୁଣାବୁଣି, କୃଷି ଓ ରନ୍ଧନ ଆଦି କାର୍ଯ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ସହ ସୃଜନଶୀଳତାର ସ୍ଫୁରଣ ସମ୍ଭବ ବୋଲି ଗାନ୍ଧୀ ମନେ କରୁଥିଲେ। ପ୍ରସିଦ୍ଧ ଶିକ୍ଷା ଶାସ୍ତ୍ରୀ ଜନ୍ ଡିୟୁଙ୍କ ପରି ଗାନ୍ଧୀଙ୍କ ପାଇଁ ବିଦ୍ୟାଳୟ ଥିଲା ଏକ ପ୍ରୟୋଗଶାଳା ଏବଂ ଛାତ୍ର ନିଜ ଅଭିଜ୍ଞତାରୁ ଶିଖିବା ଥିଲା ପ୍ରୟୋଗଶାଳାର ଉଦ୍ଦେଶ୍ୟ। ମାଧ୍ୟମିକ ଶିକ୍ଷା ଆୟୋଗ ୧୯୫୨ରୁ ଆରମ୍ଭ କରି ନୂତନ ଶିକ୍ଷାନୀତି ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷା ଆୟୋଗର ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱାରୋପ ଗାନ୍ଧୀଙ୍କ ଉପରୋକ୍ତ ବିଚାରଧାରାର ପରିବର୍ଦ୍ଧିତ ତଥା ପରିମାର୍ଜିତ ରୂପ କହିଲେ ଅତ୍ୟୁକ୍ତି ହେବନାହିଁ।
ସାତରୁ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷା ପର୍ଯ୍ୟାୟରେ ଶିକ୍ଷାକୁ ମୁକ୍ତ ଏବଂ ବାଧ୍ୟତାମୂଳକ କରିବା ପାଇଁ ଗାନ୍ଧୀ ସ୍ୱପ୍ନ ଦେଖିଥିଲେ। ଗାନ୍ଧୀଙ୍କ ଏହି ବିଚାର ପ୍ରତିଫଳିତ ହୋଇଥିଲା ଆମ ସମ୍ବିଧାନର ଧାରା ୪୫ରେ, ଯେଉଁଠି ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ ଥିଲା। ପୁନଶ୍ଚ ୨୦୦୯ରେ ଏକ ଆଇନ ପାରିତ କରାଯାଇ ଏହାକୁ ଭାରତୀୟ ସମ୍ବିଧାନର ଧାରା ୨୧(କ)ରେ ସମ୍ମିଳିତ କରାଯାଇଥିଲା। ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରକୁ ମିଶାଇ ଗାନ୍ଧିଜୀ ଇଂରାଜୀବିହୀନ ମାଟ୍ରିକୁଲେସନକୁ ମୁକ୍ତ ତଥା ସାର୍ବଜନୀନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅତଃ ମାତୃଭାଷା ହିଁ ଶିକ୍ଷାର ମାଧ୍ୟମ ହେଉ ବୋଲି ଗାନ୍ଧୀ ଚାହୁଁଥିଲେ। ମାତୃଭାଷା ମାଧ୍ୟମରେ ପିଲାଟିଏ ସହଜରେ କଥା ବୁଝିପାରେ ତଥା ଭାବର ଆଦାନପ୍ରଦାନ କରିପାରେ। ସଂପ୍ରତି ଇଂରାଜୀ ଭାଷାର ବହୁଳ ବ୍ୟବହାର ଓ ଆବଶ୍ୟକତା ସତ୍ତ୍ବେ ମାତୃଭାଷାର ମହକ ମଳିନ ପଡ଼ିନାହିଁ। ନୂତନ ଶିକ୍ଷାନୀତି ୨୦୨୦ର ମାତୃଭାଷା ସମ୍ବନ୍ଧୀୟ ସୁପାରିସ ତାହାର ବିଶେଷ ଆଲେଖ୍ୟ ବହନ କରେ।
ବାସ୍ତବିକ ଶିକ୍ଷା ମନୁଷ୍ୟର ଶାରୀରିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବିକାଶ କରିଥାଏ। ଏକ ଆଦର୍ଶବାଦୀ ଭାବରେ ଗାନ୍ଧୀ ଶିକ୍ଷାକୁ ମନୁଷ୍ୟ ହୃଦୟରେ ଦୟା, ପ୍ରେମ, ସହିଷ୍ଣୁତା ଆଦି ବିକାଶର ସାଧନ ବୋଲି ମନେ କରୁଥିଲେ। ଶିକ୍ଷା ମାଧ୍ୟମରେ ବାଳକର ଚରିତ୍ର ନିର୍ମାଣ କରିବା ତାଙ୍କ ଶୈକ୍ଷିକ ବିଚାରଧାରାର ଅନ୍ୟତମ ଉଦ୍ଦେଶ୍ୟ ଥିଲା। ସତ୍ୟ ଓ ଅହିଂସା ଉପରେ ଆଧାରିତ ଗାନ୍ଧୀଙ୍କ ଶିକ୍ଷାଦର୍ଶନ ସମାଜରୁ ସମସ୍ତ ଶ୍ରେଣୀ ଓ ସାଂପ୍ରଦାୟିକ ବିଦ୍ୱେଷ ଦୂର କରି ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଉଦ୍ଦିଷ୍ଟ ଥିଲା। ସାମାଜିକ ସଚେତନତା ଏବଂ ମାତୃଭୂମି ପ୍ରତି ସେବା ମନୋଭାବର ବିକାଶ ଥିଲା ଗାନ୍ଧୀବାଦୀ ଶିକ୍ଷାର ଉଦ୍ଦେଶ୍ୟ। ଲିଙ୍ଗଗତ ବୈଷମ୍ୟର ବହୁ ଊର୍ଦ୍ଧ୍ବକୁ ଯାଇ ମହାତ୍ମା ଗାନ୍ଧୀ ମହିଳା ମାନଙ୍କ ସାମାଜିକ ସ୍ତରରେ କ୍ରାନ୍ତିକାରୀ ପରିବତର୍ତ୍ତ ଆଣିବାକୁ ଉଦ୍ୟମ କରିଥିଲେ। ଆଧୁନିକ ଶିକ୍ଷା ବ୍ୟବସ୍ଥା ପରି ଗାନ୍ଧୀଙ୍କ ବିଚାରଧାରା ସହଶିକ୍ଷା (କୋ-ଏଜୁକେଶନ) ସପକ୍ଷରେ ରହିଥିଲା। ଜଣେ ପ୍ରକୃତିବାଦୀ (ନେଚୁରାଲିଷ୍ଟିକ୍) ପରି ଗାନ୍ଧୀ ଆନ୍ତରିକ ଅନୁଶାସନ ଉପରେ ଗୁରୁତ୍ୱାରୋପ କରୁଥିଲେ। ଜବରଦସ୍ତି ଲଦାଯାଇଥିବା କୌଣସି ଅନୁଶାସନ ବାଳକକୁ ଅଧିକ ସମୟ ପ୍ରଭାବିତ କରି ରଖିପାରେ ନାହିଁ। ଆନ୍ତରିକ ସ୍ପୃହା ଉଜ୍ଜୀବିତ ହେଲେ ହିଁ ବ୍ୟକ୍ତି ଅନୁଶାସିତ ହୋଇଥାଏ। ଗାନ୍ଧୀଙ୍କ ଦର୍ଶନର ଏହି ଆନ୍ତରିକ ଅନୁଶାସନ ହିଁ ଆଧୁନିକ ମନୋବିଜ୍ଞାନରେ ଅନୁଶାସନର ପରିଭାଷା।
ଏକ ପ୍ରୟୋଜନବାଦୀ (ପ୍ରାଗ୍ମାଟିକ୍) ଭାବରେ ଗାନ୍ଧୀ ବିଦ୍ୟାର୍ଥୀର ସୃଜନଶୀଳତା ତଥା ସ୍ୱତନ୍ତ୍ର ବିଚାରବୋଧର ବିକାଶ ପାଇଁ କାର୍ଯ୍ୟ ମାଧ୍ୟମରେ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିଲେ। ଜ୍ଞାନ ଓ କର୍ମ ଭିତରେ ଗାନ୍ଧୀ କୌଣସି ପ୍ରଭେଦ ଦେଖୁ ନଥିଲେ। ତାଙ୍କର ମୌଳିକ ଶିକ୍ଷା ମାଧ୍ୟମରେ ସେ ବିଦ୍ୟାର୍ଥୀର ମସ୍ତିଷ୍କ, ହସ୍ତ ଏବଂ ହୃଦୟ (୩-ଏଚ୍) ର ସନ୍ତୁଳିତ ବିକାଶ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲେ। ଲର୍ଡ ମାକାଲେଙ୍କ ଶିକ୍ଷାନୀତି (୧୮୩୫) ତଥା ଇଂରାଜୀ ଶିକ୍ଷାର ବହୁଳ ପ୍ରଭାବ ଭାରତୀୟ କିଶୋରମାନଙ୍କୁ ଶ୍ରମବିମୁଖ କରାଇ କେବଳ ଦପ୍ତରରେ ବସି କାମ କରିବାକୁ ଆକୃଷ୍ଟ କରୁଥିବାବେଳେ ଗାନ୍ଧୀଙ୍କ ପ୍ରଦର୍ଶିତ ଶିକ୍ଷାନୀତି କର୍ମର ମହତ୍ତ୍ବ ପ୍ରତିପାଦନ କରିବାରେ ଏକ ବଳିଷ୍ଠ ପଦକ୍ଷେପ ଥିଲା। ପ୍ରୟୋଜନବାଦରେ ବିଶ୍ୱାସ ରଖୁଥିବା ଗାନ୍ଧୀ ତାଙ୍କ ସମସ୍ତ ଶିକ୍ଷା ସିଦ୍ଧାନ୍ତକୁ ମଧ୍ୟ ପ୍ରୟୋଗ କରି ତା’ପରେ ସତ୍ୟାସତ୍ୟକୁ ଗ୍ରହଣ କରିବାକୁ ପରାମର୍ଶ ଦେଉଥିଲେ। ଗାନ୍ଧିଜୀଙ୍କ ୱାର୍ଦ୍ଧା ଶିକ୍ଷା ଯୋଜନା ଥିଲା ଗାନ୍ଧୀ ଶିକ୍ଷା ଦର୍ଶନର ଏକ ବିଶିଷ୍ଟ ପ୍ରୟୋଗଶାଳା।
ଶିକ୍ଷା ଜଗତର ତିନୋଟି ବିଶିଷ୍ଟ ବିଚାରଧାରା – ଆଦର୍ଶବାଦ, ପ୍ରକୃତିବାଦ ଏବଂ ପ୍ରୟୋଜନବାଦର ଅପୂର୍ବ ସମନ୍ୱୟରେ ପରିପୁଷ୍ଟ ମହାତ୍ମା ଗାନ୍ଧୀଙ୍କ ଶୈକ୍ଷିକ ବିଚାରଧାରା ସମୟର କଷଟିରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଆଧୁନିକ ପରିପ୍ରେକ୍ଷୀରେ ଯେ ବେଶ ପ୍ରାସଙ୍ଗିକ ଏଥିରେ ସନ୍ଦେହ ନାହିଁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories