ପ୍ରୟାଗରାଜ : ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ଚଳିତମାସ ୨୬ରେ ଶେଷ ହେବାକୁ ଯାଉଛି। ଦୀର୍ଘ ୪୫ ଦିନ ଧରି ଚାଲିବାକୁ ଥିବା ଏହି ଧାର୍ମିକ ସମାବେଶରେ ଏପର୍ଯ୍ୟନ୍ତ ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି। ତେବେ ମହାକୁମ୍ଭର ଅବଧିକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମହାକୁମ୍ଭର ଅବଧି ବୃଦ୍ଧି କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପ୍ରୟାଗରାଜ ଜିଲାପାଳ ରବୀନ୍ଦ୍ର କୁମାର ମାନ୍ଧାଦ୍ କହିଛନ୍ତି ଯେ ମହାକୁମ୍ଭର ଅବଧି ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖ (ଫେବୃଆରୀ ୨୬)ରେ ଏହା ଶେଷ ହେବ ବୋଲି ସେ କହିଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏଭଳି ଗୁଜବରେ ବିଶ୍ବାସ ନ କରିବାକୁ ସେ ଶ୍ରଦ୍ଧାଳୁଙ୍କୁ ଅନୁରାଧ କରିଛନ୍ତି। ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରିବାକୁ କେତେକ ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ପ୍ରସାର କରୁଥିବା ସେ କହିଛନ୍ତି। ଯଦି ଶ୍ରଦ୍ଧାଳୁମାନେ ଏହି ଗୁଜବରେ ବିଶ୍ବାସ କରି ପ୍ରୟାଗରାଜ ଆସିବାକୁ ଉଦ୍ୟମ କରନ୍ତି, ତେବେ ସେମାନଙ୍କୁ ଅଯଥାରେ ନିରାଶ ହେବାକୁ ପଡିବ ବୋଲି ସେ ଚେତାଇ ଦେଇଛନ୍ତି। ଅପରପକ୍ଷରେ ମହାକୁମ୍ଭର ଅବଧି ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡିଛି। ଅଖିଳେଶ ଯୁକ୍ତି ଦର୍ଶାଇଛନ୍ତି ଯେ ଅତୀତରେ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳା ୭୫ ଦିନ ଧରି ଚାଲିଥିଲା। ଏଥର ଏହି ସମୟସୀମା ୪୫ ଦିନ ଧାର୍ଯ୍ୟ କରାଯାଇଥିବାରୁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାରୁ ବଞ୍ଚିତ ହେବେ ବୋଲି ଅଖିଳେଶ କହିଛନ୍ତି। ଯଦି ମହାକୁମ୍ଭର ଅବଧି ବୃଦ୍ଧି କରାଯାଏ, ତେବେ ବସ୍, ଟ୍ରେନ୍ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରୟାଗରାଜକୁ ଆସୁଥିବା ଯାନବାହନ ଭିଡ ହ୍ରାସ ପାଇବା ସହ ଶ୍ରଦ୍ଧାଳୁଙ୍କ ମନୋକାମନା ପୂରଣ ହେବ ବୋଲି ଅଖିଳେଶ କହିଛନ୍ତି।
Popular Categories



