ଜାଣନ୍ତୁ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କଥା

0

ଆସନ୍ତାକାଲି ହେଉଛି ମହାଶିବରାତ୍ରି । ଏହି ଅବସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାଶିବରାତ୍ରିକୁ ନେଇ ବିଭିନ୍ନ ମାନ୍ୟତା ରହିଛି । ପୌରାଣିକ ମତ ଅନୁଯାୟୀ, ମହାଶିବରାତ୍ରି ଦିନ ସମୁଦ୍ର ମନ୍ଥନରୁ ନିର୍ଗତ ଥିବା ବିଷକୁ ପାନ କରିଥିଲେ ଏବଂ ସୃଷ୍ଟିର ଆରମ୍ଭ ପାଇଁ ଏହି ଦିନ ମହାଦେବ ତାଣ୍ଡବ କରିଥିଲେ । ଏହା ସହ ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ମଧ୍ୟ ହୋଇଥିଲା । ମାତା ପାର୍ବତୀ ଓ ଭଗବାନ ଶିବଙ୍କ କାହାଣୀକୁ ନେଇ ଆଜିର ବିଷୟବସ୍ତୁ ଗତିଶୀଳ..

ମାତା ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପାଇଁ ଇଚ୍ଛୁକ ଥିଲେ । ପର୍ବତ ରାଜକନ୍ୟା ପାର୍ବତୀଙ୍କ ବିବାହ ଭଗବାନ ଶିବଙ୍କ ସହ ହେଉ ତାହା ସମସ୍ତ ଦେବତାଗଣ ମଧ୍ୟ ଚାହୁଁଥିଲେ । ଏହି ବିବାହର ମଧ୍ୟସ୍ଥି ସାଜିବା ପାଇଁ ଦେବତାଗଣ କନ୍ଦର୍ପଙ୍କୁ ମାତା ପାର୍ବତୀଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭଗବାନ ଶିବ ନିଜର ତୃତୀୟ ନୟନରେ କନ୍ଦର୍ପଙ୍କୁ ଭସ୍ମ କରି ଦେଇଥିଲେ ।

ପାର୍ବତୀ ସ୍ଥିର କରିସାରିଥିଲେ ଯେ, ସେ କେବଳ ମହାଦେବଙ୍କୁ ହିଁ ବିବାହ କରିବେ । ମହାଦେବଙ୍କୁ ନିଜର କରିବା ପଇଁ ମାତା ପାର୍ବତୀ କଠୋର ତପସ୍ୟା କରିଥିଲେ । ମାତାଙ୍କ ତପସ୍ୟା ବେଳେ ସବୁ ସ୍ଥାନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ବଡ-ବଡ ପର୍ବତର ମୂଳଦୁଆ ଟଳମଳ ହେବାରେ ଲାଗିଲା । ଏଭଳି ପରିସ୍ଥିତିରେ ଭଗବାନ ଶିବ ଧ୍ୟାନ ଭଙ୍ଗ କରି ମାତା ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଜଣେ ତପସ୍ବୀ ସହ ଜୀବନ ନିର୍ବାହ କରିବା ସହଜ ନୁହେଁ । ତେଣୁ କୌଣସି ସମୃଦ୍ଧ ରାଜକୁମାରଙ୍କୁ ବିବାହ କରିବା ପାଇଁ ପାର୍ବତୀଙ୍କୁ ମହାଦେବ ପରାମର୍ଶ ଦେଇଥିଲେ ।

କିନ୍ତୁ ମାତା ପାର୍ବତୀ ନିଜ ଜିଦରେ ଅଟଳ ଥିଲେ । ସେ କେବଳ ମହାଦେବଙ୍କୁ ବିବାହ କରିବେ କହିଥିଲେ । ପାର୍ବତୀଙ୍କ ଜିଦ୍ ସାମ୍ନାରେ ବାବା ଭୋଳାନାଥ ତରଳି ଯାଇଥିଲେ ଏବଂ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମହାଦେବ ତପସ୍ବୀ ହୋଇଥିବାରୁ ତାଙ୍କୁ ବିବାହ ପ୍ରସ୍ତୁତି ବିଷୟରେ କିଛି ଜଣାନଥିଲା । ମହାଦେବଙ୍କର କେହି ବନ୍ଧୁ ପରିଜନ ନଥିବାରୁ ଭୂତ-ପ୍ରେତଙ୍କୁ ସାଙ୍ଗରେ ନେଇ ବିବାହ ମଣ୍ଡପକୁ ଯିବାକୁ ସ୍ଥିର କରିଥିଲେ । ଦେହରେ ଭସ୍ମ ବୋଳି ହୋଇ ଓ ଗଳାରେ ହାଡ ମାଳ ପକାଇ ମହାଦେବ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।

ମହାଦେବଙ୍କ ଏହି ରୂପ ଦେବତାମାନଙ୍କୁ ଚକିତ କରିଥିଲେ । ମହାଦେବଙ୍କ ଏଭଳି ବିଚିତ୍ର ରୂପ ଦେଖି ମାତା ପାର୍ବତୀଙ୍କ ମା’ ଝିଅର ଏହି ବିବାହ ପାଇଁ ଅରାଜି ହୋଇଥିଲେ । ଏଭଳି ପରିସ୍ଥିତିରେ ରୀତିନୀତି ଅନୁଯାୟୀ ପସ୍ତୁତ ହୋଇ ବିବାହ ମଣ୍ଡପରେ ପହଞ୍ଚିବାକୁ  ମାତା ପାର୍ବତୀ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । ମାତା ପାର୍ବତୀଙ୍କ ପ୍ରାର୍ଥନା ମହାଦେବ ସ୍ବୀକାର କରିଥିଲେ ଏବଂ ତାଙ୍କୁ ସୁନ୍ଦର ଭାବେ ସଜାଇବା ପାଇଁ ସବୁ ଦେବୀ-ଦେବତାଙ୍କୁ ମହାଦେବ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ସବୁ ଦେବୀ ଓ ଦେବତାମାନେ ବର ବେଶରେ ତାଙ୍କୁ ସଜାଇ ଦେଇଥିଲେ । ଫଳରେ କନ୍ଦର୍ପଙ୍କ ଠାରୁ ମହାଦେବ ଅତ୍ୟନ୍ତ ସୁନ୍ଦର ଦେଖାଯାଇଥିଲେ । ମହାଦେବଙ୍କ ଏହି ବେଶକୁ ଚନ୍ଦ୍ରଶେଖର ବେଶ ବୋଲି କୁହାଯାଏ । ମହାଦେବଙ୍କ ଏହି ଦିବ୍ୟ ରୂପ ଦେଖି ପାର୍ବତୀଙ୍କ ମା’ ତୁରନ୍ତ ତାଙ୍କୁ ଜ୍ବାଇଁ ରୂପରେ ସ୍ବୀକାର କରିଥିଲେ । ବ୍ରହ୍ମଙ୍କ ଉପସ୍ଥିତିରେ ମାତା ପାର୍ବତୀ ଓ ମହାଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା।

pic courtesy dailyhunt
Leave A Reply