କରୋନାରେ ମଧ୍ୟ ଥମିନି ଯୌନ ନିର୍ଯାତନା : ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଆଖି ନଷ୍ଟ କଲା ଅଭିଯୁକ୍ତ

ଭୋପାଳ : ମହାମାରୀ କରୋନାକୁ ନେଇ ସମଗ୍ର ଦେଶ ଚିନ୍ତିତ ଥିବା ବେଳେ ଏଭଳି ପରିସ୍ଥିତିରେ ଯୌନ ନିର୍ଯାତନା ଥମିବାର ନାଁ ଧରୁନାହିଁ। ଏକ ୬ ବର୍ଷର ଶିଶୁକନ୍ୟା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଦୁଷ୍କର୍ମ ପରେ ଶିଶୁଟିର ଆଖିକୁ ନଷ୍ଟ କରି ଦିଆଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ଗାଁରେ ଘଟିଛି। ଗୁରୁବାର ଦିନ ପୁଲିସ ସୂତ୍ରରୁ ଜଣାପଡିଛି ଯେ, ଜଣେ ଅଜ୍ଞାତ ବ୍ୟକ୍ତି ଶିଶୁଟିକୁ ଦୁଷ୍କର୍ମ କରିବା ପରେ ଆଖିକୁ କ୍ଷତି ପହଞ୍ଚାଇଛି।

ସୂଚନାଯୋଗ୍ୟ, ବୁଧବାର ଦିନ ଶିଶୁଟି ଘର ବାହାରେ ଖେଳୁଥିଲେ। ପରେ ଶିଶୁଟିର କୌଣସି ଖୋଜ ଖବର ମିଳିନଥିଲା। ଗୁରୁବାର ସକାଳେ ଘର ନିକଟସ୍ଥ ଏକ ନିର୍ଜନ ସ୍ଥାନରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ଶିଶୁଟିର ଆଖି ନଷ୍ଟ ହୋଇଯାଇଥିବା ବେଳେ ମୁହଁରେ ମଧ୍ୟ ଅନେକ ଆଘାତ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ଶିଶୁଟିର ଆଖିର ଚିକିତ୍ସା ଆରମ୍ଭ କରିଥିଲେ। ଆଖି ଏତେ ଫୁଲି ଯାଇଥିଲା ଯେ ଡାକ୍ତର ରେଟିନା ପରୀକ୍ଷା କରିପାରିନଥିଲେ।

ଜିଲାପାଳ ହେମନ୍ତ ଚହ୍ବାନ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ଘର ବାହାରେ ଶିଶୁଟି ଖେଳୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା ଏବଂ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଶିଶୁଟିକୁ ମରଣାତ୍ମକ ଆକ୍ରମଣ କରିଥିଲା। ଯାହାଦ୍ବାରା ଶିଶୁଟିର ମୁହଁରେ ଆଘାତ ସୃଷ୍ଟି ହେବା ସହ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବହୁତ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି।

Comments are closed.