Patra electronics

ତ୍ରିପୁରାସୁନ୍ଦରୀ ମା’ ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପୂଜା

ବଡ଼ମ୍ବା : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଶଶାଙ୍ଗ ଗ୍ରାମବାସିନୀ ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ପୀଠରେ ନବଦିନାତ୍ମକ ବାସନ୍ତୀକ ଦୁର୍ଗାପୂଜା ଅର୍ଥାତ୍‌ ନବରାତ୍ରପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଉଛି । ଏଥିପାଇଁ ସେବାୟତମାନେ ବ୍ରତପାଳନ ପୂର୍ବକ ମା’ଙ୍କର ଦୈନନ୍ଦିନ ଦେବନୀତି ପ୍ରତ୍ୟୁଷରୁ ରାତ୍ର ପର୍ଯ୍ୟନ୍ତ ଯଥାବିଧି ପାଳନ କରୁଛନ୍ତି । ଦେବୀଙ୍କର ଏହି ସ୍ୱତନ୍ତ୍ର ପର୍ବ ଅବସରରେ ପ୍ରତ୍ୟହ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଠାକୁରାଣୀଙ୍କ ଦର୍ଶନ ନିମିତ ପୀଠକୁ ଆସୁଛନ୍ତି ।

ପ୍ରତ୍ୟୁଷରୁ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳଆଳତି,ଦ୍ୱାରଦେବ ପୂଜା,ସୂର୍ଯ୍ୟପୂଜା,ଠାକୁରାଣୀଙ୍କ ମାଜଣା,ସ୍ନାନନୀତି ଅନୁଷ୍ଠିତ ହେବାରେ ସକାଳ ଧୂପଲାଗି କରାଯାଉଛି । ଏହାପରେ ସର୍ବସାଧାରଣ ଦର୍ଶନ ନିମିତ ମନ୍ଦିର ସାହାଣମେଲା କରାଯାଉଛି । ସେହିଭଳି ନୀତିନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ତଥା ସଂଧ୍ୟା ଆଳତି କରାଯିବା ପରେ ଚଣ୍ଡିପୁରାଣ ପାଠ ସହ ରାତ୍ର ଧୂପ ଲାଗୁଛି । ଶାନ୍ତିଉଦକ ପଣାସହ ଦେବୀଙ୍କ ରାତ୍ରପହୁଡ଼ କରାଯାଉଛି । ନବଦିନ ବ୍ୟାପି ଦେବୀଙ୍କ ଏହି ସ୍ୱତନ୍ତ୍ର ପୂଜା ଅର୍ଥାତ୍‌ ନବରାତ୍ର ପୂଜାର ଗୁରବାର ବିଲ୍ୱବରଣ ନୀତି ଅନୁଷ୍ଠିତ ହୋଇଛି ।

ସେହିଭଳି ଶୁକ୍ରବାର ନବରାତ୍ର ଉତ୍ସବର ସପ୍ତମୀ ପୂଜା ,ଶନିବାର ମହାଷ୍ଟମୀ ବା ଅଶୋକାଷ୍ଟମୀ ପର୍ବ ଏବଂ ରବିବାର ମହାନବମୀ ତଥା ଶ୍ରୀରାମନବମୀ ପର୍ବ ଯଥାବିଧି ଅନୁଷ୍ଠିତ ହେବ । ଆସନ୍ତା ୧୧ତାରିଖ ମଙ୍ଗଳବାର ଦିନ ପୁରାଣବର୍ଣ୍ଣିତ ଏହି ପରଶୁରାମ ପୀଠରେ ମହାମାୟା ମା ଭଟ୍ଟାରିକାଙ୍କ ବାସନ୍ତୀକ ଦଶହରା ପର୍ବ ଅନୁଷ୍ଠିତ ହେବବୋଲି ମନ୍ଦିର ସେବାୟତଙ୍କଠାରୁ ପ୍ରକାଶ ।

Comments are closed.