ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ଯୋଗୁଁ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିଛି। ତେବେ ଆସନ୍ତା କାଲି ଠାରୁ ବର୍ଷାର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିଥିବା ନେଇ ଗତକାଲି ଏଠାକୁ ଆସିଥିବା ଅବସରରେ ଆଇଏମ୍ଡି ମହାନିର୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଥିଲେ। ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଆଜି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ଝାରଖଣ୍ଡ ଉପରେ ରହିଛି। ଏହି ଧାରା ବଜାୟ ରହିଲେ ମୌସୁମି ଅଧିକ ସକ୍ରିୟ ହେବା ସହ ବର୍ଷା ହେବ। କିନ୍ତୁ ଦୁଇଦିନ ଧରି ବର୍ଷା ଲାଗି ରହିବା ପରେ ବର୍ଷାର ପ୍ରକୋପ କ୍ରମଶଃ ହ୍ରାସ ପାଇବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନକୁ ବାଦ୍ ଦେଲେ ରବିବାର ଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆସିବ। ତେବେ ଏହି ସମୟ ମଧ୍ୟରେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେବ। ଆସନ୍ତା କାଲି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ବୌଦ୍ଧ ଜିଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ବର୍ଷାର ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୪୭.୨ ମିଲି ମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୪୨ ମିମି, ଟିଟିଲାଗଡ଼ରେ ୩୩ ମିମି, ପାରାଦ୍ବୀପରେ ୨୮.୨ ମିମି, ଭୁବନେଶ୍ବରରେ ୨୮ ମିମି, ପୁରୀରେ ୨୨.୫ ମିମି, ବାରିପଦାରେ ୨୨ ମିମି, କୋରାପୁଟରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷେ ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ମଧ୍ୟରେ ସୀମିତ ରହିଥିଲା। ତାଳଚେରରେ ସର୍ବାଧିକ ତାପମାତ୍ରା ୩୫.୧ଂ ରହିଥିବା ବେଳେ ଗୋପାଳପୁରରେ ୩୪.୧ଂ ଥିଲା।
ସକ୍ରିୟ ହେଉଛି ଲଘୁଚାପ ; ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ
Popular Categories



