www.samajalive.in
Thursday, December 11, 2025
26.1 C
Bhubaneswar

ଦକ୍ଷିଣ ଆଫ୍ରିକା-ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ୍ : ଚଳିତ ବିଶ୍ବକପ୍‌ରେ ରବିବାର ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ମୁକାବିଲା ଦକ୍ଷିଣ ଆଫ୍ରିକା ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ; ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପାକିସ୍ତାନ ଅଦ୍ୟାବଧି ୫ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍‌ ସହ ୩ ପଏଣ୍ଟ ପାଇ ୯ମ ସ୍ଥାନରେ ରହିଛି। ସେମିଫାଇନାଲର ରାସ୍ତା ଉନ୍ମୁକ୍ତ ରଖିବାକୁ ହେଲେ ପାକିସ୍ତାନକୁ ଏହି ମ୍ୟାଚ୍ ସହ ବାକି ସମସ୍ତ ୪ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ୬ଟି ମ୍ୟାଚ୍‌ରୁ ମାତ୍ର ୩ ପଏଣ୍ଟ ପାଇଥିବା ଦକ୍ଷିଣ ଆଫ୍ରିକା ଦଳର ସେମିଫାଇନାଲ ଖେଳିବା ଆଶା ମଉଳି ଯାଇଛି। ତେଣୁ ଏହା ପାଇଁ ବାକି ୩ଟି ମ୍ୟାଚ୍ ଔପଚାରିକତାରେ ପରିଣତ ହୋଇଛି। ଏହି କାରଣରୁ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମନଖୋଲା କ୍ରିକେଟ ଖେଳିବ; ଯାହା ପାକିସ୍ତାନ ପାଇଁ ଏକ ଚେତାବନୀ। ଅନ୍ୟପକ୍ଷରେ ଚିର ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ପରାସ୍ତହେବା ପରେ ଏବେ ସ୍ବଦେଶ​‌େ​‌ର ପାକିସ୍ତାନର ଖେଳାଳି ନିନ୍ଦିତ ଓ ଲାଞ୍ଛିତ। ତେଣୁ ଘରୋଇ ପ୍ରଶଂସକଙ୍କ ଆସ୍ଥା ଜିତିବା ସହ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାର ଆଶା ବଜାୟ ରଖିବା ଲାଗି ପାକିସ୍ତାନକୁ ଏହି ମ୍ୟାଚ୍ ସହ ବାକିଥିବା ମ୍ୟାଚ୍‌ଗୁଡ଼ିକୁ ଜିତିବାକୁ ପଡ଼ିବ।
ତା’ର ବିଶ୍ବକପ୍ ଅଭିଯାନର ପ୍ରଥମ ମ୍ୟାଚ୍‌ରେ ହିଁ ଝୁଣ୍ଟିଥିଲା ଦକ୍ଷିଣ ଆଫ୍ରିକା। ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକାକୁ ସ୍ତବ୍‌ଧ କରି ଦେଇଥିଲେ। ପରେ ଏହା ଝାଡ଼ିଝୁଡ଼ି ହୋଇ ଉଠିବା ବେଳକୁ ଲଢ଼ୁଆ ପ୍ରଦର୍ଶନ କରି ଏହାକୁ ପରାସ୍ତ କରିଥିଲା ବାଂଲାଦେଶ। ଏହି ପରାଜୟ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ପୂରା ଭାଙ୍ଗି ଦେଇଥିଲା। ପରେ ଭାରତୀୟ ବୋଲିଂ ସମ୍ମୁଖରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ସମ୍ପୂର୍ଣ୍ଣ ହାର ମାନିଥିବା ବେଳେ ଶିଖର ଧାୱନ ଶତକମାରି ଏହାର ବୋଲିଂ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ଏହାର ଚିନ୍ତା ଆହୁରି ବଢ଼ାଇ ଦେଇଥିଲା। କର ବା ମର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ଭାବେ ଲଢ଼ିଥିଲା ଦକ୍ଷିଣ ଆଫ୍ରିକା। ତେବେ ଏହାର ଦୁର୍ବଳ ଫିଲ୍‌ଡିଂ ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍‌ସନଙ୍କ ଲଢ଼ୁଆ ଶତକ ନିକଟରେ ଦକ୍ଷିଣ ଆଫ୍ରିକା ହାର ମାନିଥିଲା। ଫଳରେ ଆଫ୍‌ଗାନିସ୍ତାନ ପରେ ୨ୟ ଦଳ ଭାବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରୁ ବାଦ୍‌ପଡ଼ିଛି। ଯଦି ରବିବାର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଜୟୀହୁଏ; ତେବେ ୩ୟ ଦଳ ଭାବେ ସମାନ ଦଶା ଭୋଗିବ ପାକିସ୍ତାନ। ଏହି ଚାପ ପାକିସ୍ତାନ ଉପରେ ରହିବ। ତେବେ ପାକିସ୍ତାନକୁ ମନେ ପକାଇବାକୁ ପଡ଼ିବ ଯେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଦଳ ଇଂଲଣ୍ଡକୁ ଏହା ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟ୍‌ସମ୍ୟାନ ପାଖାପାଖି ସାଢ଼େ ୩ ଶହ ରନ୍ ସ୍କୋର୍ କରିଛନ୍ତି। ତେବେ ପାକିସ୍ତାନର ସମସ୍ୟା ହେଉଛି ଏହି ମ୍ୟାଚ୍‌କୁ ଛାଡ଼ି ଅନ୍ୟ ମ୍ୟାଚ୍‌ମାନଙ୍କରେ ଏହାର ବ୍ୟାଟିଂ ବିଫଳ ହୋଇଛି। ପୁଣି ମହମ୍ମଦ ଆମିରଙ୍କୁ ଛାଡ଼ି ପାକିସ୍ତାନର ଅନ୍ୟ ସମସ୍ତ ବୋଲର ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚ୍ ହାରିଥିଲେ ହେଁ ଏହା ଦୁର୍ବଳ ନୁହେଁ। ପାକିସ୍ତାନ ଦଳକୁ ହରାଇ ସେମିଫାଇନାଲ ରାସ୍ତାରୁ ହଟାଇବାର ସାମର୍ଥ୍ୟ ଏହାର ରହିଛି। ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଲୁଙ୍ଗି ଏନ୍‌ଗିଡ଼ି ସୁସ୍ଥହେବା ଯୋଗୁଁ ଏହାର ବୋଲିଂ ଆହୁରି ମଜ୍‌ଭୁତ ହୋଇଛି। ତେବେ ଅଦ୍ୟାବଧି ବିଫଳ ହୋଇଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟ୍‌ସମ୍ୟାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ଏହି ମ୍ୟାଚ୍‌ର ଫଳାଫଳ ଉପରେ ନିଶ୍ଚୟ ସମସ୍ତଙ୍କର ନଜର ରହିବ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories