Patra electronics

ଆଜି ଅବପାତ ରୂପ ନେବ ଲଘୁଚାପ, ୧୧ ଯାଏ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ରବିବାର ଏହା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ୧୧ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ଏବଂ ୧୨ ତାରିଖ ଯାଏଁ ପ୍ରବଳ ବର୍ଷା ଲାଗି ରହିବ।
କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତରବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଦିଗରେ ଗତି କରିବା ସହିତ ବର୍ତ୍ତମାନ ଉତ୍ତରପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତାକାଲି ଏହା ଉତ୍ତର ଦିଗରେ ଗତି କରି ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୩ ଦିନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଦେଇ ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଆଡ଼େ ମୁହାଁଇବ। ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖ ଯା ଏଁ କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତା ୮ରୁ ୯ ତାରିଖ ଯାଏଁ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୯ରୁ ୧୦ ତାରିଖ କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ୧୦ରୁ ୧୧ ତାରିଖ ଯାଏଁ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ଢେଙ୍କାନାଳ, ବଲାଙ୍ଗୀର, ଅନୁଗୋଳ, ସମ୍ବଲପୁର ଓ ବରଗଡ଼ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ପ୍ରବଳ ବର୍ଷା ହେଲେ ହଠାତ୍ ବନ୍ୟା, ଜଳବନ୍ଦୀ, ମାଟି ଧସିବା, ଭୂସ୍ଖଳନ ସହିତ ଚାଷ ଜମିରେ ପାଣି ଜମିବା ସମ୍ଭାବନା ରହିଛି। ଏନେଇ ଜିଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଲଘୁଚାପ ଓ ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୮ରୁ ୧୧ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି।

Comments are closed.