ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଗୁରୁବାରଠାରୁ ତିନିଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ଅପରାହ୍ଣରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବରରେ ସବୁଠୁ ଅଧିକ ୭୦ମି.ମି.ବର୍ଷା ହୋଇଥିବାବେଳେ ଦାରିଙ୍ଗବାଡ଼ିରେ ୬୨, ଛତ୍ରପୁର ୪୨.୬, ଖୋର୍ଦ୍ଧା ୨୧ ଏବଂ ପାରଳାଖେମୁଣ୍ଡିରେ ୨୦.୪ ମି.ମି. ବର୍ଷା ହୋଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କମଳା ଚେତାବନୀ ଦିଆଯାଇଛି। ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ନେଇ ହଳଦିଆ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୫ତାରିଖରୁ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଲାଲ୍ ଚେତାବନୀ ଦିଆଯାଇଛି। ବର୍ଷା ପାଇଁ ସତର୍କ ରହିବାକୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ରହିଛି।



