୨୪ ଘଣ୍ଟରେ ଲଘୁଚାପ

ବିଗାଡ଼ିବ ସ୍ଥିତି

ଭୁବନେଶ୍ବର : ଦକ୍ଷିଣ ମିଆଁମାର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ଲଘୁଚାପ ଦ୍ବାରା ଆସନ୍ତାକାଲିଠାରୁ ତିନିଦିନ ଧରି ପ୍ରବଳ ବର୍ଷା ହୋଇପାରେ। ତେବେ ୧୯ ଓ ୨୦ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ଆକଳନ କହିଛି, ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେମି ବର୍ଷା ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ଜନିତ ବର୍ଷା ପ୍ରଭାବରେ ୧୯ ଓ ୨୦ରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ବନ୍ୟାବିପନ୍ନଙ୍କ ପାଇଁ ଆହୁରି ସଙ୍ଗିନ ହୋଇପାରେ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସେପ୍ଟେମ୍ବରରେ ଉପକୂଳ ଓ ସଂଲଗ୍ନ ଜିଲାରେ ବର୍ଷା ସ୍ବାଭାବିକରୁ ଅଧିକ ରହିବ। ଆଭ୍ୟନ୍ତରୀଣରେ ବର୍ଷା ସ୍ବାଭାବିକ ହେବ। ଏହି ମାସରେ ରାଜ୍ୟ‌େ‌ର ସ୍ବାଭାବିକ ବର୍ଷା ୮୨୬.୬ମିମି ହୋଇଛି। ସମ୍ଭବତଃ ୨୦%ରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ୨୫ରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିବା ଦ୍ବାରା ବର୍ଷା କମିଯିବ। ସେପ୍ଟେମ୍ବର ୪ରୁ ପୁଣି ବର୍ଷା ପରିମାଣ ବଢିବ। ଅନ୍ୟପଟେ ଅକ୍ଟୋବରରେ ମଧ୍ୟ ଉପକୂଳ ଓ ସଂଲଗ୍ନ ଜିଲାରେ ବର୍ଷା ସ୍ବାଭାବିକରୁ ୧୫ରୁ ୨୦% ଅଧିକ ରହିବ। ବାକି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି। ବିଗତ ବର୍ଷ ପରି ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହୋଇପାରେ।

Comments are closed.