ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଜଣେ ଗିରଫ
ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ଗହଣ୍ଡା ଗ୍ରାମ ନିକଟରେ ଗତ ୨୭ ତାରିଖରେ ହୋଇଥିବା ଏକ ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ଲୁଟେରାକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ନିକଟସ୍ଥ ମାଛପଙ୍ଗୀ ଗ୍ରାମର ମଙ୍ଗୁ ବେହେରା (୨୦) । ତା ନିକଟରୁ ନଗଦ ୧୭ ହଜାର ୫୦୦ଟଙ୍କା ଉଦ୍ଧାର କରା ଯାଇଛି ।ପୁଲିସ ସୂଚନା ଅନୁଯାୟୀ ଭାରତ ଫାଇନାନ୍ସ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ସୁଜ୍ୟୋସ୍ନା ଦାସ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଗତ ବୁଧବାର ଦିନ ସେ ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ଠାରୁ ମୋଟ ୭୬ ହଜାର ୨୦୦ଟଙ୍କା (ଋଣ ଟଙ୍କା) ଆଦାୟ କରି ନିଜ ଅଫିସକୁ ଫେରୁଥିବାବେଳେ ଗହଣ୍ଡା ନିକଟରେ ୨ଜଣ ଦୁର୍ବୁତ୍ତ ତାଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ନିକଟରୁ ଟଙ୍କାଥିବା ବ୍ୟାଗକୁ ଛଡ଼ାଇନେଇ ଫେରାର ହୋଇ ଯାଇଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ମଙ୍ଗୁକୁ ଗିରଫ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଓ ଅବଶିଷ୍ଟ ଲୁଟ ଟଙ୍କା ସେ ନେଇଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ମଙ୍ଗୁକୁ ଅଦାଲତ ଚାଲାଣ କରାଯାଇଛି ।
Comments are closed.