ଲୁଟିନେଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା: ଦୋକାନ ବଜାର ବନ୍ଦ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ବାରମ୍ବାର ଚୋରି, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସକୁ ଚାଲେଞ୍ଜ ଦେଇ ଚାଲିଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବୁଧବାର ମଧ୍ୟରାତ୍ରିରେ ତୁମୁଡିବନ୍ଧ ସ୍ଥିତ ଡ଼ଃ.ଆମ୍ବେଦକର ଛକ ବାସିନ୍ଦା ପିତାମ୍ବର ସାହୁ (ସନ୍ତୋଷ)ଙ୍କ ଘର ଉପରେ ୪/୫ ଜଣ ଅଜଣା ମୁଖା ଧାରୀ ଦୁର୍ବୃତ୍ତ ଅଚାନକ ଚଢ଼ାଉ କରି ୮ ଭରି ସୁନା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଯାଇଛନ୍ତି । ଜଳେଶପଟ୍ଟା ସ୍ଥିତ ଜଳେଶ୍ୱର ଶୈବ ପୀଠରେ ଶିବ ରାତ୍ରି ଥିବା କାରଣରୁ ରାତି ତମାମ ଗହଳ ଚହଳ ଲାଗି ରହିଥିଲା । ସବୁଦିନ ଭଳି ସନ୍ତୋଷ ତାଙ୍କ ପରିବାର ସହ କବାଟ ବନ୍ଦ କରି ଶୋଇପଡ଼ିଥିଲେ । ରାତି ଅଧରେ କେହି କବାଟ ବାଡେଇବାରୁ ଖୋଲିବାକୁ ସଂକୋଚ କରି ଚେଇଁ ବସିଥିଲେ ସନ୍ତୋଷ । କିନ୍ତୁ ଚୋର ମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ । ପ୍ରଥମେ ସନ୍ତୋଷଙ୍କ ପାଟିକୁ ବଡ଼ ସେଲୋଟେପରେ ବନ୍ଦ କରି ପଛପଟ ଦୁଇ ହାତକୁ ବାନ୍ଧି ତାଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ଅଳଙ୍କାର ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ । ସେପଟେ ପୋଲିସ ଶିବରାତ୍ର ପାଇଁ ମନ୍ଦିର ପଇଁତରା ମାରୁଥିବା ବେଳେ ଏପଟେ ଏକ ବଡ଼ ଧରଣର କଳାକନା ବୁଲାଇଲେ ଚୋର । ପ୍ରକାଶ ଥାଉକି ୨୦୨୩ ମସିହା ଏପରି ଶିବରାତ୍ରରେ ହିଁ ମେଡିକାଲ ସମ୍ମୁଖ ଝୁନା ପରିଡ଼ାଙ୍କ ଗୃହରୁ ଏକ ବଡ଼ ଧରଣର ଚୋରୀ ହୋଇଥିଲା । ଏପରି ଛୋଟ ବଡ଼ ଧରଣର ଚୋରୀ ନିୟମିତ ହେଉଥିବାରୁ ପୋଲିସର ଅପାରଗତାର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଚୋରଦଳ ।

ତେଣୁ ପୁଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ଗୁରୁବାର ତୁମୁଡିବନ୍ଧରେ ବଣିକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ । ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଯାନବାହାନ ଅଟକି ଥିବାରୁ ଜନସାଧାରଣ ଓ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ବାଲିଗୁଡ଼ା ପୋଲିସ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ନିଜେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତୁମୁଡିବନ୍ଧ ଗ୍ରାମବାସୀ ଓ ବଣିକ ସଂଘ ସହ ଆପୋଷ ଆଲୋଚନା କରି ଏହି ଡକାୟତି ଘଟଣାର ତଦନ୍ତ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ଅଞ୍ଚଳ ବାସୀ । ତେବେ ବାରମ୍ବାର ଏହିଭଳି ଚୋରି, ଡକାୟତି, ଲୁଟତରାଜ ଓ ରାହାଜାନି ତୁମୁଡିବନ୍ଧ ଅଞ୍ଚଳରେ ଲାଗିରହିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପରପକ୍ଷେ ଆଇନ ବ୍ୟବସ୍ଥାରେ କୋହଳତା ଯୋଗୁଁ ବାରମ୍ବାର ଗିରଫ ପରେ ଚୋରଙ୍କୁ ସହଜରେ ଜାମିନ ମିଳିଯାଉଛି ଏବଂ ପୋଲିସକୁ ଆଉ ଭୟ କରୁନାହାନ୍ତି ।  ତେବେ ଏସଡିପିଓଙ୍କ ପ୍ରତିଶ୍ରୁତି ପରେ ଚୋରଙ୍କ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ତୁମୁଡିବନ୍ଧ ଜନସାଧାରଣ ଦେଖିବାକୁ ବାକି ରହିଲା ।

Comments are closed.