ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଦିନକୁ ଦିନ ଲୁଟ୍ ଘଟଣା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ଏବେ ଏହି ରାସ୍ତାରେ ଏକୁଟିଆ ଯିବାକୁ ନିରାପଦ ମଣୁନାହାନ୍ତି । ସ୍ପଷ୍ଟ ଦିବାଲୋକରେ ଆଜି ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଦୁଇଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଲୋକଙ୍କ ଧନଜୀବନର ସୁରକ୍ଷା ସହ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ପିପିଲି ବନ୍ଧନ ବ୍ୟାଙ୍କ ଶାଖାର ମହିଳା କର୍ମଚାରୀ କବିତା ସାହୁ ଆଜି ଋଣଅର୍ଥ ଆଦାୟ କରି ସ୍କୁଟି ଯୋଗେ ବ୍ୟାଙ୍କକୁ ଫେରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଲୁଟ୍ର ଶିକାର ହୋଇଥିଲେ । ସେ ଜମାଲପୁର ଅଞ୍ଚଳରୁ ଋଣ ଅର୍ଥ ଆଦାୟ କରି ଫେରୁଥିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଭୋଗୁଆବାଙ୍କ ଛକ ଠାରେ ଦୁଇଜଣ ଦୁର୍ବୃତ୍ତ ପଛରୁ ଏକ ବାଇକ୍ରେ ଆସି ତାଙ୍କୁ ସାଇଡ୍ ମାରିବା ସହ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ଏଥିରେ ସେ ସ୍କୁଟି ସହ ରାସ୍ତାକଡରେ ପଡିଯିବା ପରେ ଦୁର୍ବୃତ୍ତ ଦ୍ୱୟ ତାଙ୍କ ବେକରେ କଟୁରୀ ଲଗାଇ ସ୍କୁଟିର ଡିକି ଖୋଲିବାକୁ କହିଥିଲେ । ପରେ ଡିକିରେ ଥିବା ୬୭ହଜାର ୮୪୫ଟଙ୍କା ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଲୁଟେରା ଦ୍ୱୟ ଲୁଟି ନେଇ ସେଠାରୁ ପୁରୀ ଅଭିମୁଖେ ଫେରାର ହୋଇଯାଇଥିଲେ । ଘଟଣା ସମୟରେ ସେହି ବାଟ ଦେଇ ଲୋକେ ଯାତାୟତ କରୁଥିଲେ ମଧ୍ୟ କେହି ହେଲେ ଏହି ଘଟଣାର ପ୍ରତିବାଦ କରିନଥିବା କବିତା କହିଛନ୍ତି । ସ୍କୁଟିରୁ ପଡି ସେ ଆହତ ହୋଇଥିବା ବେଳେ ପିପିଲି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏ ସଂପର୍କରେ ସେ ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।
ଦିନକୁ ଦିନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ ବୃଦ୍ଧି ପାଉଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ପୂର୍ବରୁ ଗତ ଶନିବାର ରାତିରେ ମଙ୍ଗଳପୁର ଠାରୁ ଦାଣ୍ଡମୁକୁନ୍ଦପୁର ମଧ୍ୟରେ ଏହି ରାସ୍ତାରେ ପିପିଲି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିଲା । ସେହିପରି ଗତ ୭ ତାରିଖ ରାତିରେ ତେଇସିପୁର ବଜାର ଠାରେ ପୋଡଙ୍ଗ ଗ୍ରାମର ପରିବା ବ୍ୟବସାୟୀ ନିରଞ୍ଜନ ନାୟକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ନଗଦ ଟଙ୍କା ଓ ସୁନା ଚେନ୍ ଆଦି ଲୁଟି ନେଇଥିଲେ ।



