ଡିଜିଟାଲ ଋଣ ଆପ୍‌ରେ ଠକେଇ, ଆଉ ତିନି ଚୀନ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର

ଇଣ୍ଟରପୋଲର ସହଯୋଗ ଲୋଡ଼ିଲା ଇଓଡବ୍ଲ୍ୟୁ

ଭୁବନେଶ୍ବର : ଡିଜିଟାଲ ଋଣ ଆପ୍‌ କେବଳ ଭାରତ ନୁହେଁ ପାଞ୍ଚଟି ଦେଶରେ କାୟା ବିସ୍ତାର କରିଛି। ଆପ୍‌ର ମାଷ୍ଟରମାଇଣ୍ଡ ଚୀନରେ ବସି ସବୁ କିଛି ପରିଚାଳନା କରୁଛନ୍ତି। ଏଭଳି ଲୋନ ଆପ୍ କରି ଲୋକଙ୍କୁ ଠକୁଥିବା ତିନି ଚୀନ ଲୁଟିଆଙ୍କ ନାଁରେ ରବିବାର ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା (ଇଓଡବ୍ଲ୍ୟୁ) ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମି‌େ‌ଗ୍ରସନ ପକ୍ଷରୁ ଏହି ସର୍କୁଲାର ସହ ଅଭିଯୁକ୍ତଙ୍କ ସ୍କେଚ ମଧ୍ୟ ଜାରି କରାଯାଇଛି। ଏହି ତିନି ବ୍ୟକ୍ତି ହେଲେ ସେନ ଜେହୁଆ, କୁଆନ ହୁଙ୍ଗାଇ ଓ ୟାଙ୍ଗ ହାଇଂ। ଏହାପୂର୍ବରୁ ଲିୟୁ ୟି ନାମକ ଚୀନର ଠକ ନାମରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା। ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଏମାନେ ଠକିଥିବା ଜଣାପଡିଛି।
ଡିଜିଟାଲ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଚାଇନା ଠକମାନେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଓ ବାଂଲାଦେଶ ଲୋକଙ୍କୁ ଟାର୍ଗେଟ କରିଥିବା ତଦନ୍ତରୁ ଜଣାପଡିଛି। ଏପରିକି ୟୁଏସ୍‌ଏ ଓ ହଂକଂରେ ଏମାନଙ୍କ ଲିଙ୍କ ରହିଛି। ଠକମାନେ ଭାରତୀୟଙ୍କୁ କମ୍ପାନୀର ନିର୍ଦେଶକ, ରିକଭରି ଏଜେଣ୍ଟ, କଲ ସେଣ୍ଟର ମୁଖ୍ୟ ଭାବେ ନିଯୁକ୍ତି ଦେଉଛନ୍ତି। ଏହି କର୍ମଚାରୀଙ୍କ ମାଧ୍ୟମରେ ଲୋକଙ୍କ ଟଙ୍କା ଆତ୍ମସାତ କରୁଛନ୍ତି। ଋଣ ଉପରେ ଅଧିକ ସୁଧ ମାଗୁଛନ୍ତି। ୧୫ ହଜାର ଟଙ୍କା ଋଣ ପାଇଁ ଆବେଦନ କଲେ ୯ ହଜାର ଟଙ୍କା ପ୍ରାଥମିକ ଭାବେ ଦେଉଛନ୍ତି। ଟଙ୍କା ଦେବାର ମାତ୍ର ଚାରି ଦିନ ପରେ ସେମାନେ ୧୫ ହଜାର ଦେବାକୁ ବାଧ୍ୟ କରୁଛନ୍ତି। କହିବା ସମୟ ମଧ୍ୟରେ ଯେଉଁମାନେ ସୁଧ ନ ଦେଲେ ସେମାନଙ୍କୁ ବ୍ଲାକମେଲ କରୁଛନ୍ତି। ଋଣ ନେଇଥିବା ଲୋକଙ୍କ ଫଟୋକୁ ଅନ୍ୟ ଫଟୋ ସହ ଯୋଡ଼ି ସେମାନଙ୍କ ଫୋନ୍ ଯୋଗାଯୋଗରେ ଥିବା ଲୋକମାନଙ୍କୁ ପଠାଉଛନ୍ତି। ସେମା‌େ‌ନ କିପରି ଋଣଗ୍ରହୀତାଙ୍କ ସମସ୍ତ କଣ୍ଟାକ୍ଟ ଲିଷ୍ଟ ହାତଉଛନ୍ତି, ତାହା ତଦନ୍ତସାପେକ୍ଷ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏଭଳି ଶତାଧିକ ଫେକ୍ ଆପ୍ ରହିଛି। ଠକମାନେ ଏହି ସଂସ୍ଥାର ବିଭିନ୍ନ ମୁଖିଆ ପଦରେ ଭାରତୀୟ ଲୋକଙ୍କୁ ଦାୟିତ୍ୱ ଦେଇ ସାଧାରଣ ଲୋକଙ୍କୁ ଠକେଇ କରୁଛନ୍ତି।
ଇଓଡବ୍ଲ୍ୟୁ ଏସ୍‌ପିଙ୍କ ସୂତ୍ରରୁ ପ୍ରକାଶ, ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାକୁ ଏମାନେ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ମାଷ୍ଟରମାଇଣ୍ଡଙ୍କୁ ଠାବ କରିବା ଲାଗି ଇଣ୍ଟରପୋଲର ସହାୟତା ନିଆଯାଇଛି। ଏଭଳି ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦେବାକୁ ଗୁଗୁଲକୁ ଚିଠି ଲେଖାଯାଇଛି। ଏପରି ଠକେଇ କରୁଥିବା ଆପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ତଦନ୍ତକାରୀ ସଂସ୍ଥା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ (ଆରବିଆଇ) ଅନୁରୋଧ କରିଛି। ବିଭିନ୍ନ ଦିଗକୁ ଆଧାର କରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରୁଛି ବୋଲି ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।

Comments are closed.