ଲୋକସଭାରେ ୪୩୦ ସାଂସଦ କୋଟିପତି, ୧୦୬ ଅପରାଧିକ ମାମଲାରେ ସମ୍ପୃକ୍ତ

0

ନୂଆଦିଲ୍ଲୀ: ନିର୍ବାଚନରେ ସଂସ୍କାର ଆଣିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏ.ଡି.ଆର) ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଏବେ ଲୋକସଭାରେ ଥିବା ୫୨୧ ସାଂସଦଙ୍କ ମଧ୍ୟରୁ ଅନ୍ୟୁନ ୮୩ ପ୍ରତିଶତ କୋଟିପତି ଏବଂ ୩୩ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି। ଏ.ଡି.ଆର ଦ୍ୱାରା ୨୦୧୪ ସାଧାରଣ ନିର୍ବାଚନ ପରେ ଲୋକସଭାକୁ ନିର୍ବାଚିତ ହୋଇଥିବା ୫୪୩ ସଦସ୍ୟଙ୍କ ମଧ୍ୟରୁ ୫୨୧ ଜଣ ସାଂସଦଙ୍କ ଶପଥ ପତ୍ର ବିଶ୍ଳେଷଣ ପରେ ଏହି ତଥ୍ୟ ଜଣାପଡିଛି। ରିପୋର୍ଟ ଅନୁଯାୟୀ ବର୍ତମାନ ଲୋକସଭାରେ ଥିବା ୫୨୧ ସାଂସଦଙ୍କ ମଧ୍ୟରୁ ୪୩୦ ଜଣ ଅର୍ଥାତ ୮୩ ପ୍ରତିଶତ କୋଟିପତି ସଦସ୍ୟ। ଏହି କୋଟିପତି ସଦସ୍ୟଙ୍କ ମଧ୍ୟରେ ବିଜେପିର ୨୨୭, କଂଗ୍ରେସର ୩୭ ଏବଂ ଏଆଇଏଡିଏମକେର ୨୯ ଜଣ ସାଂସଦ ଅଛନ୍ତି।

ରିପୋର୍ଟ ଅନୁଯାୟୀ ଲୋକସଭାର ପ୍ରତ୍ୟେକ ସଦସ୍ୟଙ୍କ ହାରାହାରି ସମ୍ପତି ପରିମାଣ ୧୪ କୋଟି ୭୨ ଲକ୍ଷ ଥିବାବେଳେ ୩୨ ଜଣ ସାଂସଦ ସେମାନଙ୍କ ପାଖରେ ୫୦ କୋଟି ଟଙ୍କାରୁ ଅଧିକ ସମ୍ପତି ଥିବା ଘୋଷଣା କରିଛନ୍ତି। କେବଳ ଦୁଇ ଜଣ ସାଂସଦ ୫ ଲକ୍ଷ ଟଙ୍କାରୁ କମ ସମ୍ପତି ଥିବା ଘୋଷଣା କରିଛନ୍ତି।

ଏ.ଡି.ଆର ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ ୩୩ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବା ସେମାନେ ଶପଥ ପତ୍ରରେ ଉଲ୍ଲେଖ କରିଛନ୍ତି। ବେସରକାରୀ ସଂସ୍ଥା ଏ.ଡି.ଆର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ୧୦୬ ଜଣ ସାଂସଦ ସେମାନଙ୍କ ବିରୁଦ୍ଧରେ ହତ୍ୟା, ସାମ୍ପ୍ରଦାୟିକ ସଦଭାବନା ବିଗାଡିବା, ଅପହରଣ ଏବଂ ମହିଳାଙ୍କ ପ୍ରତି ଅପରାଧ ଭଳି ମାମଲା ରହିଥିବା ଘୋଷଣା କରିଛନ୍ତି। ୧୦ ଜଣ ସାଂସଦ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଘୋଷଣା କରିଛନ୍ତି ଯେଉଁଥିରେ ବିଜେପିର ୪, କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଲୋକ ଜନଶକ୍ତି ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ସ୍ୱାଭିମାନୀ ପକ୍ଷରୁ ଜଣେ ଲେଖାଏଁ ଓ ଜଣେ ନିର୍ଦଳୀୟ ସାଂସଦ ଅଛନ୍ତି।

ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ଜଣ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଓ ୧୪ ଜଣ ସାଂସଦଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ସଦଭାବନା ବିଗାଡିବା ଭଳି ମାମଲା ରହିଛି।

Leave A Reply