ଭୁବନେଶ୍ବର : କୋଭିଡ୍-୧୯ ବା କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍ । ଲକ୍ ଡାଉନ୍ ପରିପ୍ରେକ୍ଷୀରେ ସବୁଆଡେ ବନ୍ଦ ବଡ ଆଉ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ । ଦୋକାନ ଖୋଲି ନ ପାରିବା ଯୋଗୁ ବେଶ ହଇରାଣ ହରକତ ହେଉଛନ୍ତି ରାଜ୍ୟର ଖୁଚୁରା ବ୍ୟବସାୟୀ। ଏଥିଯୋଗୁ ଭାଙ୍ଗିଗଲାଣି ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ । ଏଭଳି ପରିସ୍ଥିତିରୁ ଅଣ୍ଟା ସଳଖି ବେପାର ଛିଡା କରିବାକୁ ସେମାନଙ୍କର ଆଉ ଦମ୍ଭ ନାହିଁ । ଏଣେ ସରକାରଙ୍କ ଦ୍ବାରା ଦିନକୁ ଦିନ ଜାରି କରାଯାଉଥିବା ନୂଆ ନିୟମ ବ୍ୟବସାୟୀଙ୍କୁ ବ୍ୟତିବ୍ୟସ୍ତ କରିଛି ା ଅନ୍ୟପକ୍ଷରେ ଦୋକାନ ଖୋଲିପାରିବେ କି ନାହିଁ ସେ ନେଇ ଅନେକ ବ୍ୟବସାୟୀ ସଂଶୟରେ ରହିଛନ୍ତି। ତେଣୁ ରାଜ୍ୟ ସରକାର କେଉଁ କେଉଁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଗୁଡିକ ବନ୍ଦ ରହିବ ସେ ନେଇ ଜଲ୍ଦି ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରିଛି।
ଲକ୍ ଡାଉନ୍ରେ ଗ୍ରାହକ ଯେତିକି ହନ୍ତସନ୍ତ ବ୍ୟବସାୟୀଙ୍କ ଅବସ୍ଥା ମଧ୍ୟ ସେତିକି ଶୋଚନୀୟ । କାରଣ ସମ୍ପ୍ରତି ରାଜ୍ୟରେ ପ୍ରାୟ ୨୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ରହିଛନ୍ତି । ବର୍ତ୍ତମାନ ଦେଖାଦେଇଥିବା ପରିସ୍ଥିତିରେ ଏହି ସବୁ ଛୋଟ ଛୋଟ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ବେହାଲ ହେବାରେ ଲାଗିଛି । ଗୋଟିଏ ପଟେ ବେପାର ନାହିଁ, ଅନ୍ୟ ପଟେ ଘର ଚଳିବା ଦରକାର । କେନ୍ଦ୍ର ସରକାର ନିକଟରେ ବିଭିନ୍ନ କ୍ଷେତ୍ରର ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ମାର୍ଗଦର୍ଶିକା ଜାରି କରିବାକୁ ରାଜ୍ୟଗୁଡିକୁ ଦାୟିତ୍ବ ଦେଇଛନ୍ତି। କିନ୍ତୁ ରାଜ୍ୟରେ ପରିସ୍ଥିତି ଭିନ୍ନ। ଦୋକାନ ଖୋଲିବାକୁ ଚାହୁଁଥିବାବେଳେ ପୁଲିସର ନାଲିଆଖି ଭୟ ବ୍ୟବସାୟୀଙ୍କୁ ବେପାର କରିବାକୁ ଅଟକାଉଛି । କାରଣ ଏଯାଏ ରାଜ୍ୟ ସରକାରଙ୍କ ଆଡୁ କେଉଁ ଦୋକାନ ଖୋଲିବ କେଉଁଗୁଡିକ ଖୋଲିବନି ସେ ନେଇ କିଛି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ। ବିଭିନ୍ନ ବ୍ୟବସାୟୀ ସଂଘ ମଧ୍ୟ ଏ ନେଇ ଅନ୍ଧାରରେ । କେତେକ ବ୍ୟବସାୟୀ କରିଥିବା ଅଭିଯୋଗ ଅନୁଯାୟୀ, ଟ୍ରେଡ ଲାଇସେନ୍ସ ଥିବା ଖୁଚୁରା ବ୍ୟବସାୟୀ କେବଳ ଦୋକାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରିପାରିବେ । ଅନ୍ୟପକ୍ଷେ ଦୋକାନ ଖୋଲିବା ନେଇ ସଂଘଗୁଡିକୁ ସ୍ଥାନୀୟ ପ୍ରଶାସନ ଆଡୁ ସେଭଳି ସ୍ପଷ୍ଟ ଭାବେ କିଛି ସୂଚନା ଦିଆଯାଇ ନ ଥିବା କହିଛନ୍ତି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା। ରାଜ୍ୟର ୨୦ ଲକ୍ଷ ଛୋଟ ବ୍ୟବସାୟୀଙ୍କ ମଧ୍ୟରୁ ମାତ୍ର ୫-୧୦% ବ୍ୟବସାୟୀଙ୍କ ନିକଟରେ ଟ୍ରେଡ ଲାଇସେନ୍ସ ରହିଛି। ବର୍ତ୍ତମାନ ବ୍ୟବସାୟୀମାନେ ପେଟପାଟଣା ପାଇଁ ଦୋକାନ ଖୋଲି ବେପାର କରିବେ ନା ଟ୍ରେଡ ଲାଇସେନ୍ସ ଆବେଦନ କରି ମିଳିବା ଯାଏ ଅପେକ୍ଷା କରିବେ। ତେଣୁ ସରକାର ବର୍ତ୍ତମାନ ପାଇଁ ଏହି କ୍ଷୁଦ୍ର ବ୍ୟବସାୟୀଙ୍କୁ ଟ୍ରେଡ ଲାଇସେନ୍ସ ଆବେଦନ ନିମନ୍ତେ ୬ମାସ ସମୟ ଦିଅନ୍ତୁ। ଏହାଛଡା ସରକାର ଯେତେ ଜଲଦି ଲକ୍ଡାଉନ୍ରେ କେଉଁ ଦୋକାନ ଖୋଲିବ କେଉଁଟି ଖୋଲିବ ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଲକ୍ ଡାଉନ୍ : ଖୋଲିପାରୁନି ଖୁଚୁରା ଦୋକାନ
Popular Categories



