www.samajalive.in
Sunday, December 7, 2025
13.1 C
Bhubaneswar

୫ମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚର୍ଚ୍ଚା: ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଅମିତ ଶାହା

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକଡାଉନ (ତାଲାବନ୍ଦ)ର ଅବଧି ଶେଷ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି। ଭିଡିଓ କନଫରେନ୍ସିଂରେ କଥାବାର୍ତ୍ତା ସମୟରେ ଶାହା ବର୍ତ୍ତମାନର ଲକଡାଉନର ସ୍ଥିତି ସମୀକ୍ଷା କରିଥିଲେ। ଏହା ସହିତ ୫ମ ପର୍ଯ୍ୟାୟ ଲକଡାଉନ କାର୍ଯ୍ୟକାରୀ କରିବା ନେଇ ମତାମତ ଲୋଡିଥିଲେ। ୫ମ ପର୍ଯ୍ୟାୟ ଲକଡାଉନ ଦେଶପାଇଁ ଆବଶ୍ୟକ କି ନାହିଁ ତାହା ଜଣାଇବାକୁ ଶାହା ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ମେ ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‌ରେ ଏ ବିଷୟ ସ୍ପଷ୍ଟ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ରାଜ୍ୟମାନଙ୍କର ମତାମତ ଆବଶ୍ୟକ। ଶାହାଙ୍କ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟ ସରକାରଙ୍କ ଠାରୁ ଲକଡାଉନ

ସମ୍ପର୍କରେ ମତାମତ ଲୋଡିଥିଲେ। ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ଲାଗି କି ପ୍ରକାର ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଜଣାଇବାକୁ ଶ୍ରୀ ଗୌବା ରାଜ୍ୟ ସରକାରଗୁଡିକୁ କହିଥିଲେ। ଏଥିପାଇଁ ଶ୍ରୀ ଗୌବା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ମୁଖ୍ୟ ସଚିବମାନେ ରାଜ୍ୟ ସରକାରଙ୍କ ରଣନୀତି ବାବଦରେ ଅବଗତ କରାଇବା ପରେ କ୍ୟାବିନେଟ ସଚିବ ଏହାକୁ ସମୀକ୍ଷା କରିବେ। ଏହା ବାବଦରେ ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା କରିବେ। ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

- Advertisement -

ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲଡକାଉନ ଶେଷ ହେବାକୁ ଯାଉଥିବାବେଳେ ଜୁନ୍‌ ୧ରୁ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଆରମ୍ଭ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପଞ୍ଚମ ପର୍ଯ୍ୟାୟ ଲକଡାଉନରେ କି ପ୍ରକାର ନିୟମାବଳୀ ଲାଗୁ ହେବ ସେ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ପଞ୍ଚମ ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟ ସରକାରଙ୍କୁ ଅଧିକ ସ୍ବାଧୀନତା ଦେବା ଉପରେ କେନ୍ଦ୍ର ସରକାର ଆଗ୍ରହ ରଖିଛନ୍ତି। ଅନ୍ୟପଟେ ଶ୍ରୀ ଗୌବା ଦେଶର ୧୩ଟି ପ୍ରମୁଖ କରୋନା ହଟସ୍ପଟ ସହରର ମ୍ୟୁନିସିପାଲ କମିସନର ଓ ଜିଲାପାଳଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ଗୌବା କହିଛନ୍ତି ଯେ ଯେଉଁସବୁ କଣ୍ଟେନମେଣ୍ଟ ଜୋନରେ ଅଧିକ ସଂକ୍ରମିତ ବାହାରୁଛନ୍ତି ତାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଉ। ଭିଡିଓ କନଫରେନ୍ସିଂରେ ଭାଗନେଇଥିବା ମ୍ୟୁନିସିପାଲ କମିସନରମାନେ ହେଲେ ମୁମ୍ବଇ, ଚେନ୍ନଇ, ଦିଲ୍ଲୀ, ଅହମଦାବାଦ, କଲକାତା, ପୁଣେ, ଥାଣେ, ହାଇଦରାବାଦ, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗାଲପାଟ୍ଟୁ ଓ ତିରୁଭାଲ୍ଲୁର। ଏହିସବୁ ସହରରେ ଦେଶର ୭୦% କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନଗୁଡିକ କଲୋନୀ, ମହଲା, ୱାର୍ଡ, ଥାନା ଆଧାରରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୫୮,୩୩୩ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୫୩୧ରେ ପହଞ୍ଚିଛି। ଗୁରୁବାର ଗୋଟିଏ ଦିନରେ ୬୫୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୭୬୯୨ଜଣ ସୁସ୍ଥ ହୋଇସାରିଲେଣି। ଦେଶରେ କରୋନା ସୁସ୍ଥତା ହାର ୪୨.୭୫କୁ ବୃଦ୍ଧି ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories