ଭୁବନେଶ୍ୱର ଏମ୍ସରେ ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ

ଡେସ୍କ: ଯକୃତ ପ୍ରତିରୋପଣ ସେବା ପ୍ରତିଷ୍ଠା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଏମ୍ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଏବଂ ଓଡ଼ିଶା ତଥା ବାହାର ରାଜ୍ୟର ଯକୃତ ପ୍ରତିରୋପଣର ବର୍ଦ୍ଧିତ ଆବଶ୍ୟକତାକୁ ସମାଧାନ କରିବା ପ୍ରତି ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡାଙ୍କ ଉପସ୍ଥିତିରେ ଏମ୍ସ ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଏହି କ୍ଲିନିକ୍ ଉଦଘାଟନ କରିଥିଲେ। ଏହି ବିଶେଷଜ୍ଞ କ୍ଲିନିକ୍ ଯକୃତ ଯତ୍ନ ପାଇଁ ଏକ ସଂରଚିତ ଏବଂ ବହୁବିଧ ଦୃଷ୍ଟିକୋଣ ସୁନିଶ୍ଚିତ କରି ଯକୃତ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀଙ୍କ ମୂଲ୍ୟାଙ୍କନ, ତାଲିକାଭୁକ୍ତକରଣ ଏବଂ ଅସ୍ତ୍ରୋପଚାର ପୂର୍ବର ବିଭିନ୍ନ ଆବଶ୍ୟକତା ପୂରଣ ଦିଗରେ ବିଶେଷ ସହାୟକ ହେବ।
ଏମସ୍ ଭୁବନେଶ୍ୱର ଯକୃତ ପ୍ରତିରୋପଣ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ, ଅନ୍ତିମ ପର୍ଯ୍ୟାୟରେ ଉପନୀତ ଯକୃତ ପୀଡ଼ିତ ରୋଗୀଙ୍କ ମୂଲ୍ୟାଙ୍କନ ଏବଂ ତାଲିକାଭୁକ୍ତ କରିବା ପାଇଁ ଏକ ଉତ୍ସର୍ଗୀକୃତ କ୍ଲିନିକର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପ ଯକୃତ ଯତ୍ନରେ ଥିବା ବ୍ୟବଧାନକୁ ପୂରଣ କରିବ ଏବଂ ଅଗଣିତ ରୋଗୀଙ୍କ ପାଇଁ ଆଶାର କିରଣ ପ୍ରଦାନ କରିବା ନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି।
ଯକୃତ ପ୍ରତିରୋପଣ କ୍ଲିନିକ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଶିଶୁ ଶଲ୍ୟଚିକିତ୍ସା ଏବଂ ଶିଶୁ ରୋଗ ବିଭାଗ ଦ୍ୱାରା ମିଳିତ ଭାବରେ ପରିଚାଳିତ ହେବ। ଜଣେ ଉତ୍ସର୍ଗୀକୃତ ଯକୃତ ପ୍ରତିରୋପଣ ସଂଯୋଜକ ଏବଂ ପୁଷ୍ଟିସାଧନ ବିଶେଷଜ୍ଞ ମଧ୍ୟ କ୍ଲିନିକ୍ ସହିତ ସାମିଲ ହୋଇ, ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ସାମଗ୍ରିକ ଯତ୍ନ ସୁନିଶ୍ଚିତ କରିବେ।
ଏହି କ୍ଲିନିକ୍ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ରୋଗୀମାନଙ୍କୁ ସେବା ଯୋଗାଇବ, ବ୍ୟାପକ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପ୍ରଦାନ କରିବ। ଏହାର ପ୍ରାଥମିକ କାର୍ଯ୍ୟ ମଧ୍ୟରେ ଯକୃତ ପ୍ରତିରୋପଣ ପାଇଁ ରୋଗୀଙ୍କ ମୂଲ୍ୟାଙ୍କନ, ପ୍ରତିରୋପଣ ପାଇଁ ରୋଗୀଙ୍କ ତାଲିକାଭୁକ୍ତ କରିବା, ଦାତା ଏବଂ ଗ୍ରହଣକାରୀ ଉଭୟଙ୍କ ପାଇଁ ପୂର୍ବ ଅସ୍ତ୍ରୋପଚାର ପ୍ରସ୍ତୁତି, ପୁଷ୍ଟିକର ଏବଂ ପ୍ରତିରୋପଣ ପରାମର୍ଶ, ଏବଂ ଯକୃତ ପ୍ରତିରୋପଣର ବିପଦ ଏବଂ ଲାଭ ବିଷୟରେ ସୂଚନା ପ୍ରଦାନ କରିବ। ଏହି ସ୍ବତନ୍ତ୍ର କ୍ଲିନିକ୍ ପ୍ରତି ମଙ୍ଗଳବାର ଦିନ ୨:୩୦ ରୁ ୪:୩୦ ପର୍ଯ୍ୟନ୍ତ ଗ୍ୟାଷ୍ଟ୍ରୋ ଓପିଡି କମ୍ପ୍ଲେକ୍ସର କୋଠରୀ ନମ୍ବର ୨୨୨ରେ କାର୍ଯ୍ୟ କରିବ।
Comments are closed.