www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ଉପବାସରେ ଶ୍ରୀଲିଙ୍ଗରାଜ…

ଭୁବନେଶ୍ବର : ଏବର୍ଷ ପାଳନ ହେଲାନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ଶନିବାର ବୀରକିଶୋର ବଲ୍ଲଭ ନୀତିରୁ ଦିଅଁଙ୍କ ନୀତି ଆଗକୁ ବଢ଼ିନଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ଦିଅଁଙ୍କ ସମସ୍ତ ନୀତି ବନ୍ଦ ‌େ‌ହାଇଗଲା। ଦ୍ବିପ୍ରହର ଧୂପ, ଟେରାଫିଟା, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ହୋଇପାରିଲାନି। ନୀତିବନ୍ଦ ଯୋଗୁଁ ଉପବାସ ତଥା ଉଜାଗର ରହିଲେ ଦିଅଁ। ପରମ୍ପରା ରକ୍ଷା କରି ପାରୁନଥିବାରୁ ଦିଅଁଙ୍କ ଯାତ୍ରା ପରମ୍ପରା ଭଙ୍ଗ ହେବା ଯୋଗୁଁଁ ପ୍ରଶାସନକୁ ଦାୟୀ କରିଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ। ପ୍ରତିବର୍ଷ ମହାଶିବରାତ୍ରୀ ଯିବାର ପ୍ରଥମ ଶନିବାର ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ପଡ଼ିଥାଏ। ମହାପ୍ରଭୁ ସୁସଜ୍ଜିତ ପାଲିଙ୍କି ଓ ବିମାନରେ କପିଳେଶ୍ବର ମନ୍ଦିରକୁ ଯାତ୍ରା କରିଥାନ୍ତି। ସେଠାରେ ମହାପ୍ରଭୁଙ୍କ ସହ ଶନିଶ୍ଚରଙ୍କ ଭେଟଆଳତି ହୋଇଥାଏ। ଦିଅଁଙ୍କର ଏହି ପରମ୍ପରା ବହୁ ବର୍ଷଧରି ପାଳନ ହୋଇଆସୁଛି। କପିଳେଶ୍ବର ଓ ଲିଙ୍ଗରାଜ ସେବାୟତଙ୍କ ସମନ୍ବୟରେ ହାଣ୍ଡିଭଙ୍ଗା ଯାତ୍ରା ସମ୍ପନ୍ନ କରାଯାଏ। କିନ୍ତୁ ୨୦୧୫ ମସିହାରୁ ଏହି ଯାତ୍ରା ପରମ୍ପରାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। କପିଳେଶ୍ବର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଭିତରେ ସେବାପୂଜା ଅଧିକାର ବିବାଦକୁ ନେଇ ଲିଙ୍ଗରାଜଙ୍କ ଯାତ୍ରା ପରମ୍ପରା ଭାଙ୍ଗୁଛି। ଏହାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ପାଳନ ହେବ କି ନାହିଁ ତାହା ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଦିଅଁଙ୍କ ହାଣ୍ଡିଭଙ୍ଗା ଯାତ୍ରା ପରମ୍ପରା ସହ ମହାଶିବରାତ୍ରିରେ କପିଳେଶ୍ବରଙ୍କ ମଲିଆ ସେବାୟତଙ୍କ ୧୦୮ଜଳଲାଗି ପରମ୍ପରା ଜଡ଼ିତ ରହିଛି। ଏବର୍ଷ କପିଳେଶ୍ବର ମନ୍ଦିର ପ୍ରଶାସନ ତରଫରୁ ତାହା ପାଳନ କରାଯାଇ ନାହିଁ। ପୂର୍ବ ପରମ୍ପରା ରକ୍ଷା କରାଯାଇ ପାରୁନଥିବାରୁ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରୁନି ବୋଲି ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି। ୧୦ବର୍ଷ ହେବ ପରମ୍ପରା ବଞ୍ଚାଇ ପାରୁନଥିବା କପିଳେଶ୍ବର ମନ୍ଦିର ପ୍ରଶାସନକୁ ଲିଙ୍ଗରାଜ ସେବାୟତମାନେ ଦାୟୀ କରିଛନ୍ତି। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ଚଳିତବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ଲିଙ୍ଗରାଜଙ୍କ ନବାଙ୍କବେଢ଼ା ନୀତିରେ ବିବାଦ ଦେଖା ଦେଇଥିଲା। ଦୁଇ ନିଯୋଗଙ୍କୁ ନେଇ ବିବାଦ ବଢ଼ିଥିଲା। ଦିଅଁ ଶୀତକାକରରେ ଦୁଇଦିନ ଉପବାସ ରହିଥିଲେ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦିଅଁଙ୍କ ନୀତିବନ୍ଦ ଉପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଜିଲାପାଳ ଚଞ୍ଚଲ ରାଣାଙ୍କୁ ନୀତିକାନ୍ତି ସ୍ବାଭାବିକ କରିବାକୁ ନିର୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ତାଗିଦ୍ ପରେ ଜିଲା ପ୍ରଶାସନ କ୍ରିୟାଶୀଳ ହୋଇ ନୀତିକାନ୍ତି ସ୍ବାଭାବିକ କରିଥିଲେ। କିନ୍ତୁ ଶନିବାର  ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଥିଲେ ହେଁ ପରମ୍ପରା ରକ୍ଷା ଦିଗରେ କାହାର ନିଦ ନଭାଙ୍ଗିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories