କରୋନା ସହିତ ଜୀବନ : ବିଜୟ ଅଭିଯାନର ପୁନଃପ୍ରସ୍ତୁତି

ମାନବ ସଭ୍ୟତା ଏବେ ଏକ ବିପଦସଙ୍କୁଳ ସ୍ଥିତିରେ ପହଞ୍ଚିଛି, ଯେଉଁଠାରେ କାହାକୁ ଛୁଇଁବା ଏକ ଅଭିଶାପ ଭାବେ ବିବେଚନା କରାଯାଉଛି ଆଉ ପ୍ରତ୍ୟେକ ମଣିଷର ପ୍ରତିଟି ପ୍ରଶ୍ୱାସରେ ବିପଦ ଭରି ରହିଛି। ଆଜିର ସ୍ଥିତି ଓ କରୋନା ପୂର୍ବବର୍ତ୍ତୀ ସ୍ଥିତିରେ ଅନେକ ପାର୍ଥକ୍ୟ ରହିଛି। ସଂକ୍ରମଣର ତୀବ୍ରତା ଦୃଷ୍ଟିରୁ କରୋନା ପରବର୍ତ୍ତୀ ସ୍ୱାଭାବିକ ଜୀବନର ଅନୁମାନ ଏବେ ସମ୍ଭବ ନୁହେଁ। ଟିକା ଉଦ୍ଭାବନ ନ ହେବା ପର୍ଯ୍ୟନ୍ତ ଏବଂ ଭୂତାଣୁ ସମ୍ପୂର୍ଣ୍ଣ ଦୂର ନ ହେବା ଯାଏ ଆମକୁ କରୋନା ସହିତ ବଞ୍ଚିବାକୁ ପଡ଼ିବ। ଆମକୁ ପୁଣି ଥରେ ନୂଆକରି ବଞ୍ଚିବାର ପ୍ରୟାସ ଆରମ୍ଭ କରିବାକୁ ହେବ ଏବଂ ଏହା କଠିନ ବୋଲି ଭାବିବା ଅନୁଚିତ।
ପିୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ନିକଟରେ ହୋଇଥିବା ସର୍ବେକ୍ଷଣର ତଥ୍ୟାନୁଯାୟୀ, ୯୧% ଆମେରିକୀୟ ସ୍ୱୀକାର କରିଛନ୍ତି ଯେ ଭୂତାଣୁ ସେମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି। ଭୂତାଣୁ ଆମଠାରୁ ଶୀଘ୍ର ବିଦାୟ ନେଉ ବୋଲି ୮୬% ବ୍ୟକ୍ତି ପ୍ରାର୍ଥନା କରୁଥିବାବେଳେ ୭୭% ରେସ୍ତୋରାଁରେ ଖାଇବା ଛାଡ଼ି ଦେଇଛନ୍ତି। ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ୬୬% ନାଗରିକ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଏକ ମଣିଷ ଶରୀରକୁ ଆଶ୍ରୟ କରିଥିବା ଅଦୃଶ୍ୟ ଭୂତାଣୁ ସମଗ୍ର ବିଶ୍ୱ ଉପରେ କିଭଳି ପ୍ରଭାବ ବିସ୍ତାର କରିଛି।
ବିଡ଼ମ୍ବନା ଓ ସମ୍ଭାବନା:
ମାର୍ଚ୍ଚ ୨୫ ତାରିଖରେ ଆମ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୫୦୦ରୁ କମ୍ ଥିବାବେଳେ ୧୩୦ କୋଟି ଲୋକ ନିଜକୁ ଘର ଭିତରେ ବନ୍ଦୀ କରିଦେଲେ। ଅଥଚ ମେ’ ୧୭ ତାରିଖରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟିପିଥିବାବେଳେ ସ୍ୱଚ୍ଛନ୍ଦ ଜୀବନଯାତ୍ରା ପାଇଁ ଆମେ ବ୍ୟାକୁଳ ହେଉଛୁ। ଏହି ବ୍ୟାକୁଳତାର କାରଣ ହେଲା, ଦୀର୍ଘଦିନ ଧରି ଆବଦ୍ଧ ଭାବେ ବଞ୍ଚିବା ଅପେକ୍ଷା ଭୂତାଣୁ ସହିତ ଲଢ଼ି ଜୀବନର ସାର୍ଥକତା ପ୍ରତିପାଦନ କରିବା ଶେୟସ୍କର ବୋଲି ଲୋକମାନେ ହୃଦ୍‌ବୋଧ କରିଛନ୍ତି। ଟିକା ଉଦ୍ଭାବନ ହୁଏତ ବିଳମ୍ବ ହୋଇପାରେ; ତେଣୁ କରୋନା ସହିତ ଲଢ଼େଇ ଦୀର୍ଘ ହେବ ବୋଲି ସରକାରୀ ଅଧିକାରୀ ଓ ବିଶେଷଜ୍ଞମାନେ ସୂଚନା ଦେଇସାରିଛନ୍ତି। ମେ’ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଥିବା ଲକ୍‌ଡାଉନ୍ ୪.୦ ପରବର୍ତ୍ତୀ ମାର୍ଗଦର୍ଶିକାକୁ ଲୋକମାନେ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଅବସରରେ କରୋନା ସହିତ ବଞ୍ଚିବାର ଏହି ଆତ୍ମବିଶ୍ୱାସ ଜୀବନକୁ ନୂଆ ରାହା ଦେଖାଇବ। କରୋନା ସଂକ୍ରମଣର ହାର ଓ ଲକ୍‌ଡାଉନ୍ ୪.୦ରେ ଲୋକଙ୍କ ଆଚରଣକୁ ଆଧାର କରି ପରବର୍ତ୍ତୀ ଲକଡାଉନ୍‌ର ରୂପରେଖ ପ୍ରସ୍ତୁତ ହେବ। ସେ ଯାହା ବି ହେଉ ଏବେ ଆମେ ସମସ୍ତେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପୁନଃଚିନ୍ତନ କରିବାର ଆବଶ୍ୟକତା ରହିଛି।
ସାମାଜିକ:
ଅନ୍ୟମାନଙ୍କ ଉପସ୍ଥିତିରେ ମିଳୁଥିବା ସ୍ୱାଚ୍ଛନ୍ଦ୍ୟ ଯେତେବେଳେ ବାଧ୍ୟବାଧକତାରେ ପରିବର୍ତ୍ତନ ହୁଏ, ସେତେବେଳେ ଜୀବନକୁ ସେହି ଅନୁଯାୟୀ ପରିବର୍ତ୍ତନ କରିବାକୁ ପଡ଼େ; କିନ୍ତୁ ଏଥିରୁ ଆତ୍ମସର୍ବସ୍ୱ ମାନସିକତା ଜନ୍ମ ନିଏ। ତେଣୁ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ବେଳେ ଆମେ ଅନ୍ୟମାନଙ୍କ ସହିତ ମାର୍ମିକ ସମ୍ପର୍କ ରକ୍ଷା କରିବା ଏବଂ ଜଣେ ଅନ୍ୟଜଣଙ୍କୁ ଯଥାସମ୍ଭବ ସହଯୋଗ କରିବା ଆବଶ୍ୟକ। କରୋନା ପରବର୍ତ୍ତୀ ସମୟରେ ଆମମାନଙ୍କର ଘର ଶ୍ରେଣୀକକ୍ଷରେ ପରିବର୍ତ୍ତନ ହୋଇଛି। ସେହିପରି ବୈଠକରେ ଶାରୀରିକ ଉପସ୍ଥିତିର ଆବଶ୍ୟକତା ରହୁନି, ଇଣ୍ଟରନେଟ୍ ମାଧ୍ୟମରେ ଆଲୋଚନା ସମ୍ଭବ ହୋଇପାରୁଛି। ଯଦିଓ ଏବେ ମଧ୍ୟ ସମସ୍ତଙ୍କ ପାଇଁ ସାଧନ ଉପଲବ୍ଧ ନୁହେଁ, ତଥାପି ‘ଡିଜିଟାଲ୍ ଲାଇଫ୍’ ଆମ ଜୀବନରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। କରୋନା ସହିତ ଆମ ଭିତରେ ନୂଆ ଅଭ୍ୟାସ ଜନ୍ମ ନେଇଛି। ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ହିଁ ବର୍ତ୍ତମାନ ସଂକ୍ରମଣରୁ ରକ୍ଷା ପାଇବାର ପ୍ରଭାବଶାଳୀ କୌଶଳ ହୋଇଥିବାରୁ ଏହାକୁ ଆମ ଜୀବନଶୈଳୀର ଏକ ଅଙ୍ଗ ଭାବେ ଆବଶ୍ୟକତା ଅନୁଯାୟୀ ଗ୍ରହଣ କରିନେବା ଉଚିତ।
ଅର୍ଥନୈତିକ:
ଅର୍ଥନୀତିର ପୁନରୁଦ୍ଧାର ବେଳେ ଜୀବନ ସୁରକ୍ଷା ଏକ ପ୍ରମୁଖ ଆହ୍ୱାନ। ବିଗତ ଶତାବ୍ଦୀର ‘ଗ୍ରେଟ୍ ଡିପ୍ରେସନ୍’ ପରେ ବିଶ୍ୱ ଅର୍ଥନୀତି ଏବେ ସବୁଠାରୁ ସଙ୍କଟର ସମ୍ମୁଖୀନ ହୋଇଛି। ତେଣୁ କର୍ମଚାରୀ/ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉତ୍ପାଦନ ଓ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ପୁନଃକାର୍ଯ୍ୟକ୍ଷମ ହେବା ଆବଶ୍ୟକ। ସ୍ୱଳ୍ପ ସମୟ ମଧ୍ୟରେ ଉତ୍ପାଦନ ତ୍ୱରାନ୍ୱିତ କରିବା ଯୋଜନା ଅପେକ୍ଷା ପର୍ଯ୍ୟାୟକ୍ରମେ ଏଥିରେ ଉନ୍ନତି ଆଣିବା ଉଚିତ ହେବ। କରୋନା ସଂକ୍ରମଣ ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଥିବା ଦୁର୍ବଳତାକୁ ଦର୍ଶାଇବା ସହିତ ସରକାରୀ ସ୍ୱାସ୍ଥ୍ୟସେବାରେ ଅଧିକ ବ୍ୟୟ ବରାଦ କରିବା ଆବଶ୍ୟକ ବୋଲି ଚେତାଇ ଦେଇଛି। ଏବେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। ଯେଉଁମାନେ ଫେରୁଛନ୍ତି ଓ ଯେଉଁମାନେ ରହିଯାଇଛନ୍ତି ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ।
ରାଜନୈତିକ:
ଭୂତାଣୁ ସଂକ୍ରମଣ ଆମ ଦେଶର ସଂଘୀୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ଆରମ୍ଭରୁ ଅଦ୍ୟାବଧି ଲକ୍‌ଡାଉନ୍ ସମୟରେ କେନ୍ଦ୍ରୀୟ ଓ ପ୍ରାଦେଶିକ ନେତୃତ୍ୱ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ଜରିଆରେ ସମସ୍ୟା ସମାଧାନର ସୂତ୍ର ଖୋଜି ବାହାର କରାଯାଇପାରିଛି। ଜୀବନର ସୁରକ୍ଷା ସହିତ ଅର୍ଥନୀତିକୁ ଚଳଚଞ୍ଚଳ କରିବାରେ ଏହି ସହଯୋଗ ଉପାଦେୟ ସାବ୍ୟସ୍ତ ହେବ। ଭୂତାଣୁ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଭଳି ମିଳିତ ଭାବେ ସଂଗ୍ରାମ କରିଛନ୍ତି ତାହା ଅଭୂତପୂର୍ବ। ଏହି ସଂଗ୍ରାମକୁ ଆହୁରି ସଫଳ କରିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ସ୍ଥାନୀୟ ଗୋଷ୍ଠୀଙ୍କୁ ଆହୁରି ସଶକ୍ତ କରିବାକୁ ପଡ଼ିବ।
ବିଶ୍ୱ:
ଐତିହାସିକ ଓ ଲେଖକ ୟୁଭାଲ୍ ଏନ୍ ହରାରୀଙ୍କ ମତାନୁଯାୟୀ କୋଭିଡ୍ – ୧୯ ବିରୋଧରେ ବିଶ୍ୱ ସଂଗ୍ରାମ ଆଦର୍ଶସ୍ଥାନୀୟ ନୁହେଁ। ସବୁ ଦେଶ ନିଜ ସ୍ତରରେ ନିଜ ଉଦ୍ୟମରେ ଏହି ସଂଗ୍ରାମ ଜାରି ରଖିଛନ୍ତି। ସାମୂହିକ ପ୍ରଚେଷ୍ଟାର ଅନୁପସ୍ଥିତି ଯୋଗୁଁ ଅପେକ୍ଷାକୃତ ଅବିକଶିତ ଦେଶମାନେ ଏହି ମହାସଂଗ୍ରାମରେ ପଛରେ ପଡ଼ିଯାଇଛନ୍ତି। ମହାସଂଗ୍ରାମରେ ସଫଳତା ପାଇବାକୁ ହେଲେ ଏହି ବିଷୟ ପ୍ରତି ଭବିଷ୍ୟତରେ ଦୃଷ୍ଟି ଦେବାକୁ ପଡ଼ିବ। ବୈଷୟିକ ଜ୍ଞାନକୌଶଳ, ଆୟ ଓ ଜୀବନଜୀବିକା କ୍ଷେତ୍ରରେ ଥିବା ବୈଷମ୍ୟ ଏହି ସମୟରେ ପଦାରେ ପଡ଼ିଛି।
ପରିଶେଷରେ ଏତିକି କୁହାଯାଇପାରେ ଯେ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ବିଶ୍ୱସ୍ତରୀୟ ସଂହତି ପ୍ରସଙ୍ଗରେ କରୋନା ଭୂତାଣୁ ଆମ ପାଇଁ ଏକ କଠୋର ଆଘାତ ଓ ଚେତାବନୀ। ଏଥିସହିତ ପ୍ରକୃତି ଓ ଜୈବସତ୍ତା ସହିତ ସୁସ୍ଥ ସହାବସ୍ଥାନ ଲାଗି ଏକ ନୈତିକ ଶିକ୍ଷା। (ମର୍ମାନୁବାଦ)

prayash

ଏମ୍‌.ଭେଙ୍କୟା ନାଇଡ଼ୁ

ଲେଖକ ଭାରତର ଉପରାଷ୍ଟ୍ରପତି

kalyan agarbati

Comments are closed.